କେପ୍ ଟାଉନ୍: ସାତ ରନ୍ ବ୍ୟବଧାନରେ ଲୋମଟାଙ୍କୁରା ବିଜୟ ସହିତ ଭାରତ ସୀମିତ ଓଭର କ୍ରିକେଟ୍ରେ ଦ୍ୱିମୁକୁଟ ଅର୍ଜନ କରି ଦୁଇ ମାସିଆ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କଲା। ଟେଷ୍ଟ୍ ଶୃଙ୍ଖଳା ପରାଜୟର ପ୍ରତିଶୋଧକୁ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ରେ ନେଇ ଐତିହାସିକ ସଫଳତା ବି ପାଇଲା। ଶନିବାର ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେ୍ଵଣ୍ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଭାରତ ବିଜୟ ପାଇଁ ୧୭୩ ରନ୍ ଲକ୍ଷ୍ୟ ରଖିଥିଲା। ଘରୋଇ ଦଳ କିନ୍ତୁ ୧୬୫/୬ରେ ସୀମିତ ରହିଯାଇଥିଲା। ଶୃଙ୍ଖଳାକୁ ୨-୧ରେ ଜିତି ଭାରତ ମଧ୍ୟ ଯେଉଁ କେପ୍ ଟାଉନ୍ (ଟେଷ୍ଟ୍) ପରାଜୟ ସହ ଗସ୍ତ ଆରମ୍ଭ କରିଥିଲା ସେହିଠାରେ ବିଜୟ ସହ ଦୁଇ ମାସିଆ ଅଭିଯାନକୁ ଶେଷ କରିଦେଲା। ଶନିବାର ସୁରେଶ ରାଇନା ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବାବେଳେ ଭୁବନେଶ୍ୱର କୁମାର (୭ ଓ୍ଵିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ। ୧୭୩ ରନ୍କୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପାଇଁ ଜେପି ଡୁମିନିଙ୍କ ଅର୍ଧଶତକ (୫୫, ୪୧ ବଲ, ୨ ଚୌକା, ୩ ଛକା) ଏବଂ ପ୍ରଥମ ପଦାର୍ପକ କ୍ରିଷ୍ଟିଆନ୍ ଜୋଙ୍କର (୪୯, ୨୪ ବଲ, ୫ ଚୌକା, ୨ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ କରିଥିଲା। ଶେଷ ୩ ଓଭରରୁ ୫୨ ରନ୍ ଆବଶ୍ୟକ କରୁଥିବା ଘରୋଇ ଦଳ ଜୋଙ୍କର ଜରିଆରେ ନିକଟତର ହୋଇଥିଲା। ଶେଷ ଓଭରରେ ୧୮ ରନ୍ ଆବଶ୍ୟକ କରୁଥିବା ଡୁମିନିଙ୍କ ଦଳକୁ ଭୁବନେଶ୍ୱର କୁମାର ଜୋଙ୍କରଙ୍କ ଓ୍ଵିକେଟ୍ ସହିତ ୧୦ ରନରେ ସନ୍ତୁଷ୍ଟ ରଖିଥିଲେ। ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିବା ସହିତ ଭାରତ ମଧ୍ୟ ଏହି ଗସ୍ତରେ ଟ୍ରଫି ବିଜୟକୁ ୨-୧ରେ ଶେଷ କଲା। ଟେଷ୍ଟ୍ରେ ୧-୨ରେ ହାରିଥିବା କୋହଲି ସେନା ଦିନିକିଆକୁ ୫-୧ରେ ଜିତିଥିଲା। ସେହିଭଳି ରୋହିତ ଶର୍ମା ତାଙ୍କ ପ୍ରଥମ ଟେ୍ଵଣ୍ଟି-୨୦ ଅଧିନାୟକତ୍ୱରେ ଶୃଙ୍ଖଳା ଜିତିବାରେ ବିଶ୍ୱର ଷଷ୍ଠ ଖେଳାଳି ହେଲେ। ସମ୍ପୂର୍ଣ୍ଣ ଗସ୍ତରେ ଭାରତ ୮ ମ୍ୟାଚ୍ ଜିତିଥିବାବେଳେ ଘରୋଇ ଦଳ ୪ ବିଜୟ ପାଇଥିଲା। ଶୃଙ୍ଖଳା ବିଜୟରେ ମଧ୍ୟ ଭାରତ ଦୁଇ ଗୁଣା ସଫଳତା ପାଇଥିଲା।
ଭାରତ ପାଳିରେ ଅଧିନାୟକ ରୋହିତ ଶର୍ମା (୧୧) ଶସ୍ତାରେ ବିଦାୟ ନେବା ପରେ ଦୁଇ ଥର ଜୀବନ ଦାନ ପାଇଥିବା ଶିଖର ଧାଓ୍ଵନ (୪୭, ୪୦ ବଲ୍, ୩ ଚୌକା) ସର୍ବାଧିକ ରନ୍ କରିଥିଲେ ମଧ୍ୟ ଅର୍ଧଶତକରୁ ବଞ୍ଚିତ ରହିଥିଲେ। ସେ ବ୍ୟକ୍ତିଗତ ଭାବେ ୯ ଏବଂ ୩୪ ରନ୍ରେ ଥିବାବେଳେ ତାବ୍ରାଇଜ୍ ସାସମୀ କ୍ୟାଚ୍ ଛାଡ଼ିବାରୁ ସେ ବର୍ତିଯାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ। ସୁରେଶ ରାଇନା (୪୩, ୨୭ ବଲ୍, ୫ ଚୌକା, ୧ ଛକା), ହାର୍ଦିକ ପାଣ୍ଡ୍ୟା (୨୧, ୧୭ ବଲ୍, ୧ ଛକା), ମନୀଷ ପାଣ୍ଡେ (୧୩, ୧୦ ବଲ୍, ୧ ଛକା), ମହେନ୍ଦ୍ର ସିଂହ ଧୋନି (୧୨, ୧୧ ବଲ୍, ୧ ଚୌକା), ଦୀନେଶ କାର୍ତିକ (୧୩, ୬ ବଲ୍, ୩ ଚୌକା) ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଖେଳିପାରି ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୁନିଅର ଡାଲା ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ କ୍ରିସ୍ ମୋରିସ୍ଙ୍କୁ ୨ ଓ୍ଵିକେଟ୍ ମିଳିଥିଲା। ରାଇନାଙ୍କ ଓ୍ଵିକେଟ୍ ନେଇଥିଲେ ସାସମୀ।
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃୃତ୍ୱରେ ଖେଳିଥିଲା। ଆହତ ବିରାଟ କୋହଲିଙ୍କ ବଦଳରେ ଦୀନେଶ କାର୍ତିକ ଖେଳିଥିଲେ। ସେହିଭଳି ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କ ଗସ୍ତର ଶେଷ ମ୍ୟାଚ୍ରେ ପ୍ରଥମ ସୁଯୋଗ ମିଳିଥିଲା। ସେହିଭଳି ଜୟଦେବ ଉନାଦକତ୍ଙ୍କ ବଦଳରେ ଯଶପ୍ରୀତ ବୁମରା ଖେଳିଥିଲେ। ଦକ୍ଷିଣ ଆଫ୍ରିକା ମଧ୍ୟ ୩ ପରିବର୍ତନ କରି ପଡ଼ିଆକୁ ଆସିଥିଲା। ସ୍ମଟ୍ସଙ୍କ ବଦଳରେ ଡେଭିଡ୍ ମିଲରଙ୍କୁ ପାଳି ଆରମ୍ଭ ଲାଗି ଉନ୍ନୀତ କରାଯାଇଥିଲା। ମଧ୍ୟକ୍ରମରେ କ୍ରିଷ୍ଟିଆନ୍ ଜୋଙ୍କରଙ୍କୁ ପଦାର୍ପଣ ସୁଯୋଗ ଦିଆଯାଇଥିଲା। ଘରୋଇ ଦଳ କିନ୍ତୁ ଆରୋନ ଫାଙ୍ଗିସୋଙ୍କୁ ଖେଳାଇ ୨ ଜଣ ସ୍ପିନର୍ ଓ ୩ ଜଣିଆ ପେସ୍ ବୋଲିଂ ବାହିନୀ ଆକ୍ରମଣ ରଚିଥିଲା।