ଦୁବାଇ : ଗୁରୁବାର ରାତିରେ ଶେଷ ଦୁଇ ବଲ୍କୁ ଛକା ମାରି ରବୀନ୍ଦ୍ର ଜାଦେଜା ଚେନ୍ନାଇ ସୁପର୍ କିଙ୍ଗ୍ସକୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ବିଜୟୀ କରାଇଥିଲେ। ଚଳିତ ସଂସ୍କରଣରେ ଏହା ଦ୍ବିତୀୟ ଏବଂ ଆଇପିଏଲ୍ ଇତିହାସରେ ଦଶମ ଉଦାହରଣ। ଚଳିତ ସଂସ୍କରଣରେ ପୂର୍ବରୁ ଆର୍ସିବି ବିପକ୍ଷରେ ପଞ୍ଜାବର ନିକୋଲାସ୍ ପୂରନ୍ ମଧ୍ୟ ଏଭଳି କରିଥିଲେ। ଆଇପିଏଲ୍ ଇତିହାସରେ କିନ୍ତୁ ରୋହିତ ଶର୍ମା ଏକମାତ୍ର ଖେଳାଳି ୩ ଥର ଶେଷ ଦୁଇ ବଲ୍ରେ ଦୁଇଟି ଛକା ମାରିବାର ଗୌରବ ରଖିଛନ୍ତି। ୨୦୦୯ରେ କେକେଆର୍ ବିପକ୍ଷରେ, ୨୦୧୧ରେ ପୁନେ ୱାରିୟର୍ସ ବିପକ୍ଷରେ ଏବଂ ୨୦୧୨ରେ ଡିସି ବିପକ୍ଷରେ ଏହି ସଫଳତା ପାଇଥିଲେ। ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ (ବନାମ କେକେଆର୍, ୨୦୧୧), ସୌରଭ ତିୱାରୀ (ବନାମ ପୁନେ, ୨୦୧୨), ଡ୍ବାନ ବ୍ରାଭୋ (ବନାମ କେକେଆର୍, ୨୦୧୨), ମହେନ୍ଦ୍ର ସିଂହ ଧୋନି (ବନାମ ପଞ୍ଜାବ, ୨୦୧୬), ମିଚେଲ୍ ସାଣ୍ଟନର୍ (ବନାମ ରାଜସ୍ଥାନ, ୨୦୧୯) ଏଭଳି ଯୁଗଳ ଛକା ମାରି ଦଳକୁ ଜିତାଇଥିଲେ।
ଚେନ୍ନାଇ ଶୀର୍ଷରେ: ପଶ୍ଚାତଧାବନ ବେଳେ ଶେଷ ବଲ୍ରେ ଜିତିବାରେ ଚେନ୍ନାଇ ସୁପର୍ କିଙ୍ଗ୍ସ ମଧ୍ୟ ଗୁରୁବାର ରାତିରେ ଶୀର୍ଷକୁ ଉଠିଛି। ସିଏସ୍କେ ସର୍ବାଧିକ ୬ ଥର ଶେଷ ବଲରେ ମ୍ୟାଚ୍ ଜିତିଥିବା ବେଳେ ମୁମ୍ବାଇ (୫)କୁ ଗୁରୁବାର ରାତିରେ ପଛରେ ପକାଇଛି। ରାଜସ୍ଥାନ ରୟାଲ୍ସ (୪) ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (୩) ପଛକୁ ପଛ ରହିଛନ୍ତି।
ଧୋନିଙ୍କ ସ୍ପିନ୍ ବୋଲ୍ଡ: ଆଇପିଏଲ୍ରେ ସ୍ପିନରଙ୍କ ବିପକ୍ଷରେ ମହେନ୍ଦ୍ର ସିଂହ ଧୋନି ଭଲ ଖେଳିଥା’ନ୍ତି। କିନ୍ତୁ ଏହି ଶ୍ରେଣୀୟ ବୋଲରଙ୍କ ବିପକ୍ଷରେ ସେ ମାତ୍ର ୫ ଥର ବୋଲ୍ଡ ଆଉଟ୍ ହୋଇଛନ୍ତି। ଚଳିତ ବର୍ଷ କିନ୍ତୁ ପ୍ରଥମ ସ୍ପିନର୍ ଭାବେ ଧୋନିଙ୍କୁ ଦୁଇ ଥର ବୋଲ୍ଡ କରିଛନ୍ତି ତାମିଲନାଡୁର ରହସ୍ୟମୟ ବୋଲର ବରୁଣ ଚକ୍ରବର୍ତ୍ତୀ। ପୂର୍ବରୁ କେବଳ ୩ ଜଣ ସ୍ପିନର୍ ପ୍ରଜ୍ଞାନ ଓଝା, ପୀୟୂଷ ଚାୱଲା, ରସିଦ୍ ଖାନ୍ ଥରେ ଲେଖାଏଁ ଧୋନିଙ୍କୁ ବୋଲ୍ଡ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Ravindra-Jadeja-IPL-2020-lg.jpg)