ଦୁବାଇ : ଆସନ୍ତା କାଲି ଟି-୨୦ ବିଶ୍ବକପର ଫାଇନାଲ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଉଭୟ ଟିମ କେବେ ମଧ୍ୟ ଟି-୨୦ ବିଶ୍ବ ଚାମ୍ପିଅନ ହୋଇନଥିବାରୁ ଏଥର ଗୋଟିଏ ନୂଆ ଟିମ ବିଶ୍ବ ଚାମ୍ପିଅନ ହେବ । କିନ୍ତୁ ଏଥରର ବିଶ୍ବକପକୁ ନେଇ କେତେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକାଂଶ ମ୍ୟାଚରେ ଦେଖାଯାଉଛି ଟସ ମ୍ୟାଚର ଭାଗ୍ୟ ନିର୍ଦ୍ଧାରଣ କରୁଛି । ଅର୍ଥାତ ଯେଉଁ ଦଳ ଟସ ଜିତୁଛି ସେ ମ୍ୟାଚ ଜିତୁଛି ।
ବିଶ୍ବକପର ସୁପର-୧୨ରେ ନିୟମିତ (ଟେଷ୍ଟ ଖେଳୁଥିବା) ଟିମଗୁଡ଼ିକ ମଧ୍ୟରେ ଖେଳାଯାଇଥିବା ୨୩ଟି ମ୍ୟାଚରୁ ୧୮ଟି ମ୍ୟାଚରେ ପଛରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଥିଲା । ସେହିପରି ୧୫ଟି ମ୍ୟାଚରେ ଟସ ଜିତିଥିବା ଦଳ ବିଜୟୀ ହୋଇଥିଲା । ଭାରତ ହାରିଥିବା ଦୁଇଟି ମ୍ୟାଚରେ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ସେହିପରି ଦୁଇଟିଯାକ ସେମି-ଫାଇନାଲ ମ୍ୟାଚ କଥା ଦେଖାଯାଉ । ପ୍ରଥମ ସେମି-ଫାଇନାଲରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ସେହିପରି ୨ୟ ସେମି-ଫାଇନାଲରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । କହିବା ବାହୁଲ୍ୟ, ଉଭୟ ଟିମ ସେମି-ଫାଇନାଲ ଜିତିଥିଲେ ।
ଅବଶ୍ୟ ଅଳ୍ପ କେତୋଟି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛନ୍ତି । ଦକ୍ଷିଣ-ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡକୁ ୧୦ ରନରେ ପରାସ୍ତ କରିଥିଲା । ସେହିପରି ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଶ୍ରୀଲଙ୍କାକୁ ୨୬ ରନରେ ହରାଇଥିଲା । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶ୍ରୀଲଙ୍କା ଜିତୁ ଜିତୁ ହାରିଯାଇଥିଲା ।
ଏସବୁ ପରିସଂଖ୍ୟାନକୁ ଦେଖିଲେ ଜଣାପଡ଼ୁଛି ଯେ ବିଶ୍ବକପରେ ପିଚ ଓ ଟସ ବିଜୟରେ ବଡ଼ ଭୂମିକା ନିର୍ବାହ କରିଥିଲା । ଏଣୁ ପିଚ ପ୍ରସ୍ତୁତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।