ବିଜୟିନୀ ଷ୍ଟିଫେନ୍‌ସ ବିଦା

ନାଦାଲ, ସେରେନା ଓ ଡେଲ୍‌ ପୋଟ୍ରୋ ସେମିରେ

ନ୍ୟୁୟର୍କ: ଆର୍ଥର ଆସେସ୍‌ ଷ୍ଟାଡିୟମ୍‌ରେ ପ୍ରବଳ ଗରମ ଓ ଗୁଳୁଗୁଳି ପରିବେଶରେ ଟେନିସ୍‌ ଖେଳାଳିମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ଚଳିତ ଋତୁର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ରେ ଏଭଳି ତାପମାତ୍ରା ଅସହ୍ୟ ହୋଇଥିଲା ବେଳେ ମଙ୍ଗଳବାର ଗତଥରର ମହିଳା ବିଜୟିନୀ ସ୍ଲୋଆନେ ଷ୍ଟିଫାନ୍‌ସ ଏବଂ ପୁରୁଷ ବର୍ଗରେ ଜନ୍‌ ଇଜ୍‌ନରଙ୍କ ମଳି ଖେଳାଳିଙ୍କୁ ଦୁଃଖଦ ବିଦାୟ ନେବାକୁ ପଡ଼ିଛି। ଏଥର ତୃତୀୟ ମାନ୍ୟତା ପାଇଥିବା ଆମେରିକାର ଷ୍ଟିଫେନ୍‌ସ ମହିଳା ଏକକ କ୍ୱାର୍ଟର ଫାଇନାଲ୍‌ରେ ୧୯ତମ ମାନ୍ୟତା ଲାଟିଭିଆର ଆନାସ୍ତେସିଆ ସେଭାତ୍ସୋଭାଙ୍କ ନିକଟରୁ ସିଧାସଳଖ ୨-୬ ଓ ୩-୬ ସେଟ୍‌ରେ ହାରିଯାଇଥିଲେ। ଫଳରେ ଷ୍ଟିଫେନ୍‌ସଙ୍କଠୁ ୨୮ ବର୍ଷିୟା ସେଭାତ୍ସୋଭା ଗତବର୍ଷ କ୍ୱାର୍ଟର ଫାଇନାଲ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲେ। ଆହତ ଯୋଗୁଁ ୨୦୧୩ରେ ଟେନିସ୍‌ରୁ ଅବସର ନେଇ ପୁର୍ନବାର ୨୦୧୫ରେ ପ୍ରତ୍ୟାବର୍ତନ କରିଥିବା ସେଭାତ୍ସୋଭା ମଧ୍ୟ ନିଜର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ସେମିଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ୟୁଏସ୍‌ ଓପନ୍‌ ସେମିଫାଇନାଲ୍‌ ପହଞ୍ଚିବାରେ ଲାଟିଭିଆର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି। ଏଥର ସେମିଫାଇନାଲ୍‌ରେ ସେଭାତ୍ସୋଭାଙ୍କ ମୁକାବିଲା ୬ ଥର ବିଜୟିନୀ ଆମେରିକାର ସେରେନା ଓ୍ଵିଲିୟମ୍‌ସଙ୍କ ସହ ହେବ। ମଙ୍ଗଳବାର ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ସପ୍ତଦଶ ମାନ୍ୟତା ସେରେନା ସିଧାସଳଖ ୬-୪ ଓ ୬-୩ ସେଟ୍‌ରେ ଅଷ୍ଟାଦଶ ମାନ୍ୟତା ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍‌କୋଭାଙ୍କୁ ପରାସ୍ତ କରି ବିଦାୟ ରାସ୍ତ ଦେଖାଇ ଦେଇଛନ୍ତି। ଫଳରେ ସେରେନା ଏଠାରେ ସପ୍ତମ ଏବଂ ନିଜ ଜୀବନର ମୋଟ ୨୪ତମ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ଆଗକୁ ବଢ଼ିଛନ୍ତି।

ପୁରୁଷ ବର୍ଗରେ ଗତଥର ବିଜେତା ରାଫେଲ ନାଦାଲ ପରାଜୟରୁ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଶୀର୍ଷ ମାନ୍ୟତା ସ୍ପେନ୍‌ ତାରକା ମଙ୍ଗଳବାର ନବମ ମାନ୍ୟତା ଡୋମିନିକ୍‌ ଥିମ୍‌ଙ୍କ ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ପ୍ରଥମ ସେଟ୍‌ରେ ଗୋଟିଏ ହେଲେ ଗେମ୍‌ ଜିତିବାରେ ସମର୍ଥ ହୋଇନଥିଲେ ମଧ୍ୟ ଅଭିଜ୍ଞତାର ଫାଇଦା ଉଠାଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲେ। ତଥାପି ତାଙ୍କ ମ୍ୟାଚ୍‌ ଜିତିବା ପାଇଁ ୫ ସେଟ୍‌ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡ଼ିଥିଲା। ଶେଷରେ ନାଦାଲ ୦-୬, ୬-୪, ୭-୫, ୬-୭ ଓ ୭-୬ ଟାଇବ୍ରେକର୍‌ ସେଟ୍‌ରେ ଥିମ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଥିଲେ। ତେବେ ବି ଥିମ୍‌ ୧୪ ବର୍ଷ ତଳେ ଆଣ୍ଡି ରଡିକ୍‌ଙ୍କ ଏକ ଐତିହାସିକ ସଫଳତାର ସମକକ୍ଷ ହୋଇଥିଲେ। ୨୦୦୪ ୟୁଏସ୍‌ ଓପନ୍‌ରେ ରଡିକ୍‌ ଏକ ମୁକାବିଲାରେ ନାଦାଲଙ୍କୁ ପ୍ରଥମ ସେଟ୍‌ରେ ଗୋଟିଏ ବି ଗେମ୍‌ ଜିତିବାକୁ ଦେଇନଥିଲେ। ତେଣୁ ୧୪ ବର୍ଷ ପରେ ପ୍ରଥମ ଖେଳାଳି ଭାବେ ଥିମ୍‌ ଏଭଳି ସଫଳତା ହାସଲ କରିଥିଲେ। ପୂର୍ବରୁ ଥିମ୍‌ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ରେ ନାଦାଲଙ୍କ ନିକଟରୁ ହାରିଥିଲେ ମଧ୍ୟ ପରସ୍ପର ୧୦ ଥର ମୁହାଁମୁହିଁରେ ଥିମ୍‌ ତିନି ଥର ନାଦାଲଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଥିମ୍‌ଙ୍କ ବିପକ୍ଷ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ ଅତିକ୍ରମ କରିଥିବା ନାଦାଲ ଏଠାରେ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନାର ଶକ୍ତିଶାଳୀ ଜୁଆନ୍‌ ମାର୍ଟିନ୍‌ ଡେଲ୍‌ ପୋଟ୍ରୋଙ୍କୁ ଭେଟିବେ। ତୃତୀୟ ମାନ୍ୟତା ଡେଲ୍‌ ପୋଟ୍ରୋ ମଙ୍ଗଳବାରର ଅନ୍ୟ ଏକ ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍‌ରେ ପ୍ରାୟ ସାଢ଼େ ୩ ଘଣ୍ଟା ଲଢ଼ିବା ପରେ ଏକାଦଶ ମାନ୍ୟତା ଆମେରିକାର ଜନ୍‌ ଇଜ୍‌ନର୍‌ଙ୍କୁ ପରାସ୍ତ କରି ଦେଇଥିଲେ। ଏହି ମୁକାବିଲା ୪ ସେଟ୍‌ରେ ଶେଷ ହୋଇଥିଲା ବେଳେ ଇଜ୍‌ନର ୭-୬, ୩-୬, ୬-୭ ଓ ୨-୬ରେ ପରାସ୍ତ ହୋଇ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର