ଭୁବନେଶ୍ବର: ଭାରତ ୨୦୩୬ ମସିହାରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ମଧ୍ୟ ଏଥିରେ ସାମିଲ ହେବାର ଆଶାରେ ଅଛି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ହେଉଥିବାରୁ ଅନ୍ୟରାଜ୍ୟ ଅପେକ୍ଷା ଅଲିମ୍ପିକ୍ସ ଆୟୋଜନର ଅଂଶବିଶେଷ ହେବା ଓଡ଼ିଶା ପାଇଁ ଅଧିକ ମହତ୍ତ୍ବ ରଖୁଛି। ସେଥିପାଇଁ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଆୟୋଜନକୁ ଏହି ଦିଗରେ ଏକ ବଳିଷ୍ଠ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଭାରତ ଯଦି ଅଲିମ୍ପିକ୍ସ ଆୟୋଜନର ପ୍ରତୀକ୍ଷିତ ଅଧିକାର ପାଏ, ତାହେଲେ ଭୁବନେଶ୍ବରରେ କିଛି ନା କିଛି ଖେଳ ଖେଳାଯିବାର ସମ୍ଭାବନା ଅଧିକ ରହିଛି। କାରଣ ଏହା ପୂର୍ବରୁ ୨୦୧୭ ମସିହାରେ ଭୁବନେଶ୍ବର ସଫଳତାର ସହ ଏସିଆନ୍ ଚାମ୍ପିଅନସିପ୍ ଆୟୋଜନ କରିସାରିଛି। ଚଳିତବର୍ଷ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଆୟୋଜନ କରିବା କରିବା ପରେ ଭୁବନେଶ୍ବରର ଅଲିମ୍ପିକ୍ସର ଆଥଲେଟିକ୍ସ ଖେଳଗୁଡ଼ିକର ଆୟୋଜନ କରିବା ଦାବିଦାରିକୁ ଅଧିକ ସୁଦୃଢ଼ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଥଲେଟିକ୍ସ ସହ କଳିଙ୍ଗ ଷ୍ଟାଡିୟମ୍ରେ ହକି ପ୍ରତିଯୋଗିତା କରିବାକୁ ମଧ୍ୟ ବିଚାର କରାଯାଇପାରେ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଲିମ୍ପିକ୍ସ ଆୟୋଜନ ସହର ଭିତ୍ତିକ ହୋଇଥିବାରୁ ମୁଖ୍ୟ ଆୟୋଜକ ସହର ଭାବେ ଅହମଦାବାଦ ରହିବା ଏକପ୍ରକାର ନିଶ୍ଚିତ। ତେବେ ଗୋଆ, ପୁଣେ ଓ ଭୁବନେଶ୍ବର ଭଳି ସହର ମଧ୍ୟ ଦ୍ବିତୀୟ ପସନ୍ଦର ଆୟୋଜକ ଭେନ୍ୟୁ ହୋଇପାରନ୍ତି ବୋଲି କହିଛନ୍ତି ସେ।
ବାଧାଦୌଡ଼ରେ ପ୍ରଜ୍ଞା ପ୍ରଥମ
ବିଶ୍ବ ଦୌଡ଼କୁଦ ମହାଦେଶୀୟ ଟୁର୍ ବ୍ରୋଞ୍ଚ୍ ଲେବୁଲ୍ ଇଭେଣ୍ଟ୍ରେ ଓଡ଼ିଶା କେବଳ ସଫଳ ଆୟୋଜନ ନୁହେଁ ପ୍ରଦର୍ଶନରେ ବି ଚମକ ଛାଡ଼ିଛି। ମହିଳା ୧୦୦ ବାଧାଦୌଡ଼ରେ ଓଡ଼ିଶା ତାରକା ପ୍ରଜ୍ଞା ପ୍ରଶାନ୍ତି ସାହୁ ଇତିହାସ ରଚିଛନ୍ତି। ନିଜ ପ୍ରଭାବୀ ପ୍ରଦର୍ଶନରେ କଳିଙ୍ଗ ଷ୍ଟାଡିୟମ୍ ଦର୍ଶକଙ୍କୁ ବିମୋହିତ କରିବା ସହ ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର (କାଂସ୍ୟ)ରେ ଏହି ଇଭେଣ୍ଟର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ କ୍ରୀଡ଼ା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ରବିବାରର ଫାଇନାଲରେ ପ୍ରଜ୍ଞା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ୧୩.୭୪ ସେକେଣ୍ଡ ସମୟ ସହ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ତାମିନଲନାଡ଼ୁର ନନ୍ଦିନୀ କଙ୍ଗାନ (୧୩.୮୦) ଦ୍ବିତୀୟ, କେରଳର ଅଞ୍ଜଳି ସି (୧୪.୦୦) ତୃତୀୟ ଏବଂ ଜେଏସ୍ଡବ୍ଲ୍ୟୁର ପ୍ରାଞ୍ଜଳି ଦିଲୀପ ପାଟିଲ (୧୪.୦୩) ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ସ୍ଥାନରେ ରହି ପ୍ରଜ୍ଞା ୮୦୦ ଆମେରିକୀୟ ଡଲାର ବା ପାଖାପାଖି ୭୦,୦୦୦ ଟଙ୍କା ଆର୍ଥିକ ପୁରସ୍କାର ପାଇଥିଲେ। ଅନ୍ୟମାନଙ୍କୁ ଯଥାକ୍ରମେ ୪୦୦, ୩୦୦ ଓ ୨୦୦ ଡଲାର ମିଳିଥିଲା। ଏହା ପୂର୍ବରୁ ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ତୃତୀୟ ଦକ୍ଷିଣ ଏସୀୟ କନିଷ୍ଠ ଆଥଲେଟିକ୍ସ ପ୍ରତିଯୋଗିତାରେ ପ୍ରଜ୍ଞା ୧୪.୯୮ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ଜିତିଥିଲେ। ବରିଷ୍ଠ ସ୍ତରୀୟ ବହୁରାଷ୍ଟ୍ରୀୟ ପ୍ରତିଯୋଗିତାରେ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିଲାଗି ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି।
ବାଲେଶ୍ବର ଜିଲ୍ଲା ବସ୍ତାର ଟିକରପଡ଼ାର ବାସିନ୍ଦା ପାର୍ଥସାରଥୀ ସାହୁ ଏବଂ ସୁକାନ୍ତିମଣି ଜେନାଙ୍କ ସଫଳ କନ୍ୟା ସନ୍ତାନ ପ୍ରଜ୍ଞା ତୃତୀୟ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଥିଲେ। ଇଣ୍ଡିଆନ୍ ଗ୍ରାଁ ପ୍ରି ସହ ବହୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତି ରାଜ୍ୟ ବାଧାଦୌଡ଼ର ନୂଆ ନାୟିକା ଭାବେ ଉଭା ହୋଇଥିଲେ। ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଭଳି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଐତିହାସିକ ସଫଳତା ହାସଲ କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ମାତ୍ର ୦.୦୧ ସେକେଣ୍ଡ ସମୟ ପାଇଁ ପ୍ରଜ୍ଞା ଆସନ୍ତା ମାସରେ ଜାପାନର ଟୋକିଓଠାରେ ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନସିପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ (୧୨.୭୩ ସେକେଣ୍ଡ) କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। କିଟ୍ ଛାତ୍ରୀ ପ୍ରଜ୍ଞା ପ୍ରଶାନ୍ତିଙ୍କ ଏହି ଅପୂର୍ବ ସଫଳତା ପାଇଁ ତାଙ୍କୁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହ ତାଙ୍କ ପାଇଁ ଦେଶ ଓ ରାଜ୍ୟ ଗର୍ବିତ ବୋଲି ପ୍ରକାଶ କରିଛନ୍ତି।
ଲାଲୁ ଚତୁର୍ଥ
ପୁରୁଷ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଦୁଇଜଣ ଖେଳାଳି ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଅନିମେଷ ୨୦୦ ମିଟରରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପରେ କେବଳ ଲାଲୁ ପ୍ରସାଦ ଭୋଇ ଏଥିରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ଘରୋଇ ପରିବେଶ ସତ୍ତ୍ବେ ପ୍ରଭାବୀ ପ୍ରଦର୍ଶନ ଦେବାରେ ଏକପ୍ରକାର ବିଫଳ ହୋଇଥିଲେ। ୭ଜଣିଆ ଫାଇନାଲ୍ରେ ୧୦.୫୪ ସେକେଣ୍ଡ ସମୟ ସହ ଚତୁର୍ଥ ସ୍ଥାନରେ ରହିଥିଲେ। ମାତ୍ର ୦.୦୪ ସେକେଣ୍ଡ ସମୟ ପାଇଁ ପ୍ରଥମ ତିନି ଜଣଙ୍କ ମଧ୍ୟରେ ରହିବାର ସୁଯୋଗ ହରାଇଥିଲେ ମଧ୍ୟ ଚତୁର୍ଥ ସ୍ଥାନ ଅଧିକାର କରି ୨୦୦ ଡଲାର ବା ପାଖାପାଖି ୧୭,୫୦୦ ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଥିଲେ। ଏହା ପୁର୍ବରୁ ହିଟ୍-୧ରେ ଯୋଗ୍ୟତା ପର୍ଯ୍ୟାୟ ଖେଳିଥିବା ଲାଲୁ ୧୦.୬୧ ସେକେଣ୍ଡ ସମୟ ସହ ଫାଇାନାଲ୍ରେ ପ୍ରବେଶ କରିଥିଲେ। ଫାଇନାଲ୍ରେ ତୁଳନାତ୍ମକ ଭାବେ ଭଲ କରିଥିଲେ। ଏହା କିନ୍ତୁ ଟପ୍ ଥ୍ରୀ ଫିନିସ୍ ପାଇଁ ପର୍ଯ୍ୟାପ୍ତ ହୋଇ ନଥିଲା। ଏହି ଇଭେଣ୍ଟ୍ରେ ମାଲେସିଆର ମହମ୍ମଦ ଅଜିମ ବିନ୍ (୧୦.୩୫ ସେକେଣ୍ଡ), ଶ୍ରୀଲଙ୍କାର ଚାମୋଦ ଏମ୍ ଯୋଦ୍ଧାସିଂହ (୧୦.୪୩ ସେକେଣ୍ଡ) ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଥିଲେ। ମାଲେସିଆର ଦାନିସ ଇଫତିକର ମୁହା (୧୦.୫୦ ସେକେଣ୍ଡ) ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଶ୍ରାବଣୀ ପଞ୍ଚମ
ମହିଳା ୧୦୦ ମିଟରରେ ଘରୋଇ ଦର୍ଶକଙ୍କ ସବୁ ନଜର ଅଭିଜ୍ଞ ଧାବିକା ତଥା ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦଙ୍କ ଉପରେ ରହିଥିଲା। ହିଟ୍ରେ ୧୧.୯୨ ସେକେଣ୍ଡ ସମୟ ନେଇ ସଫଳତାର ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ ସେ। ଫାଇନାଲ୍ରେ ୧୧.୮୬ ସେକେଣ୍ଡ ସମୟ ହାସଲ କରି ଏହାଠାରୁ ଭଲ ପ୍ରଦର୍ଶନ କରିଥିଲେ। ତେବେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଢେର ପଛରେ ରହିଯାଇଥିଲେ। ଫଳରେ ନୈରାଶ୍ୟଜନକ ଭାବେ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଏହି ଇଭେଣ୍ଟରେ ତାମିଲନାଡ଼ୁର ଅବନୟା ରାଜାରାଜନ (୧୧.୫୭), କର୍ଣ୍ଣାଟକର ସ୍ନେହା ଏସ୍ଏସ୍ (୧୧.୭୦), ତେଲେଙ୍ଗାନାର ନିତ୍ୟା ଗାନ୍ଧେ (୧୧.୬୯୮) ଓ ତାମିଲନାଡ଼ୁର ସୁଦେସ୍ନା ହସମନ୍ତ (୧୧.୭୬) ପ୍ରଥମ ୪ ସ୍ଥାନରେ ରହି ଆର୍ଥିକ ପୁରସ୍କାରର ହକ୍ଦାର ହୋଇଥିଲେ।
ରମେଶଙ୍କୁ ବିଶ୍ବ ଚାମ୍ପିଅନସିପ୍ ଟିକେଟ୍
ବିଶ୍ବ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ର ରବିବାର ହୋଇଥିବା ୧୭ଟି ଇଭେଣ୍ଟର ଫାଇନାଲ୍ ମଧ୍ୟରୁ ଏକମାତ୍ର ବ୍ୟକ୍ତିଗତ ବର୍ଗ ଖେଳାଳି ଭାବେ ଶ୍ରୀଲଙ୍କାର ରମେଶ ଥରଙ୍ଗା ଆସନ୍ତାମାସରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ବ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ ଦୂରତା ୮୫.୫୦ ମିଟର ଥିଲା ବେଳେ ରମେଶ ତାଙ୍କ ଶ୍ରେଷ୍ଠ ଥ୍ରୋ’ରେ ୮୬.୫୦ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗିଥିଲେ। ମହାରାଷ୍ଟ୍ରର ଶିବମ ଲୋଖାରେ (୮୦.୭୩ ମିଟର) ଦ୍ବିତୀୟ, ଶ୍ରୀଲଙ୍କାର ସୁମେଧା ରଣସିଂହ (୮୦.୬୫ ମିଟର) ତୃତୀୟ ଏବଂ ଉତ୍ତର ପ୍ରଦେଶର ରୋହିତ ଯାଦବ (୮୦.୩୫) ଚତୁର୍ଥ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
ଅନନ୍ୟ ଅନିମେଷ
ପୂର୍ବାହ୍ନରେ ହୋଇଥିବା ୨୦୦ ମିଟରର ଯୋଗ୍ୟତା ପର୍ଯ୍ୟାୟରେ ୨୦.୯୯ ସେକେଣ୍ଡ ସମୟ ସହ ଅନିମେଷ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଉଭୟ ହିଟ୍ର ପ୍ରଥମ ସ୍ଥାନରେ ରହିଥିବାରୁ ଫାଇନାଲ୍ରେ ସେ ହିଁ ବିଜେତା ହେବାର ଆଶା ଥିଲା। ଅନିମେଷ ମଧ୍ୟ ନିରାଶ କରି ନଥିଲେ। ଫାଇନାଲ୍ରେ ହିଟ୍ଠାରୁ ଭଲ ଟାଇମିଂ (୨୦.୭୭) ପାଇ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ବିଜୟ ପରେ ନିଜ ନିଆରା ବିଜୟ ଉତ୍ସବ (ଉସେନ୍ ବୋଲ୍ଟ)ରେ କଳିଙ୍ଗ ଦର୍ଶକଙ୍କୁ ଉଲ୍ଲସିତ ମଧ୍ୟ କରିଥିଲେ। ତେବେ ୨୦.୧୬ ସେକେଣ୍ଡର ଟାଇମିଂଠାରୁ ପଛରେ ରହି ଜାପାନ ବିଶ୍ବ ଚାମ୍ପିଅନସିପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିପାରି ନଥିଲେ। ତଥାପି ନିଜ ବିଶ୍ବମାନ୍ୟତା ବଳରେ ସେ ବିଶ୍ବ ଚାମ୍ପିଅନସିପ୍ ଟିକେଟ ହାସଲ କରିନେବାର ଯଥେଷ୍ଟ ସମ୍ଭାବନା ରହିଛି। ଦେଶର ଦ୍ରୁତତମ ଧାବକ ଅନିମେଷଙ୍କ ପଛକୁ କୋରିଆର କୋ ସିଙ୍ଗୱାନ (୨୦.୯୫), ତାମିଲନାଡ଼ୁର ରଗୁଲ କୁମାର ଜି (୨୧.୧୭) ଏବଂ ଗ୍ରେଟ୍ ବ୍ରିଟେନର ଲୁକ୍ ଡୋରେଲ (୨୧.୨୩) ଦ୍ବିତୀୟରୁ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।