ବେଙ୍ଗାଲୁରୁ: ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବିଦାୟ ରାସ୍ତା ଦେଖାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରି ନେଇଛି। ଆର୍ସିବି ୨୧୮ ରନ୍ କରିନେବା ପରେ ସିଏସ୍କେକୁ ୧୯୧ ରନ୍ରେ ରୋକିଦେଇଥିଲା। ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚିଯିବାରୁ ଉନ୍ନତ ଏନ୍ଆର୍ଆର୍ ବଳରେ ଆର୍ସିବି ପ୍ଲେଅଫ୍ର ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା। ସିଏସ୍କେକୁ ବିଜୟ ପାଇଁ ୨୧୯ ରନ୍ ଆବଶ୍ୟକ ପଡ଼ିଥିଲେ ମଧ୍ୟ ଯୋଗ୍ୟତା ଅର୍ଜନ ଲାଗି ୨୦୧ ରନ୍ ଦରକାର ଥିଲା। ଶେଷ ଦୁଇ ଓଭରରୁ ୩୫ ରନ୍ ଲୋଡ଼ା ପଡ଼ିବା ପରେ ଧୋନି-ଜାଡ଼େଜା ଯୋଡ଼ି ୧୯ତମ ଓଭରରୁ ୧୮ ରନ୍ ଆଦାୟ କରିଥିଲେ। ୨୦ତମ ଓଭର ପ୍ରଥମ ବଲ୍କୁ ଧୋନି ୧୧୦ ମିଟରର ଲମ୍ବା ଛକା ମାରିଥିଲେ ମଧ୍ୟ ପରବର୍ତୀ ବଲ୍ରେ ଆଉଟ୍ ହୋଇଯିବାରୁ ୟଶ ଦୟାଲ ଶେଷ ୪ ବଲ୍ରେ ମାତ୍ର ଗୋଟିଏ ରନ୍ ଦେଇ ରାତାରାତି ହିରୋ ପାଲଟିଯାଇଛନ୍ତି। ଏଥି ସହଫଳରେ ବିରାଟ କୋହଲିଙ୍କ ଅଧୁରା ସ୍ବପ୍ନ ପୁଣି ଜାରି ରହିଲା। ଆର୍ସିବି ପ୍ରଥମ ୮ଟିରୁ ୭ ହାରିଯିବା ପରେ ଶେଷ ୬ ମ୍ୟାଚ୍ ଜିତି ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରିବା ଆଇପିଏଲ୍ ଇତିହାସରେ ସବୁଠାରୁ ଚମତ୍କାର ପ୍ରତ୍ୟାବର୍ତନ ଆଖ୍ୟା ପାଇଛି। ଏକତା ପଏଣ୍ଟ ଟେବୁଲ୍ର ଶେଷରେ ସଂଘର୍ଷ କରୁଥିଲା ଆର୍ସିବି। ଅନ୍ୟପକ୍ଷରେ ବିଜେତା ସିଏସ୍କେର ବିଦାୟ ସହ ମହେନ୍ଦ୍ର ସିଂହ ଧୋନିଙ୍କ ଆଇପିଏଲ୍ ଜୀବନ ଶେଷ ହୋଇଯାଇଥିବା ଚର୍ଚ୍ଚା ଆରମ୍ଭ ହୋଇଛି।
ମେଘୁଆ ପାଗର ଫାଇଦା ଉଠାଇବା ପାଇଁ ଋତୁରାଜ ଗାଏକ୍ବାଡ ଟସ୍ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ ଭିନ୍ନ ଚିନ୍ତାଧାରା ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ ଓଭରରେ ତୁଷାର ଦେଶପାଣ୍ଡେଙ୍କୁ ସମ୍ମାନ ଦେଇ ଖେଳିଥିଲା ବେଳେ ପରବର୍ତ୍ତୀ ୨ ଓଭରରୁ ୨୯ ରନ୍ ସଂଗ୍ରହ କରିଥିଲେ। ତୃତୀୟ ଓଭର ପରେ ବର୍ଷା ଆରମ୍ଭ ହେବାରୁ ଖେଳ ପାଖାପାଖି ୪୦ ମିନିଟ୍ ବନ୍ଦ ରହିଥିଲା। କିନ୍ତୁ ଏହି ବର୍ଷା ବିରତି ପରେ ଚେନ୍ନାଇ ସ୍ପିନରମାନେ କୋହଲି ଓ ଡୁପ୍ଲେସିସ୍ଙ୍କୁ ବାନ୍ଧି ରଖିଥିଲେ। ପରବର୍ତ୍ତୀ ୭ ଓଭରରେ ମାତ୍ର ୪୭ ରନ୍ ଆସିଥିଲା। ଦଶମ ଓଭରରେ ମିଚେଲ ସାଣ୍ଟନରଙ୍କୁ କୋହଲି ସିଧା ଛକା ମାରିବାକୁ ଯାଇଥିଲେ ମଧ୍ୟ ଡାରେଲ୍ ମିଚେଲ୍ ଏକ ଚମତ୍କାର ଡିଆଁ ମାରି କ୍ୟାଚ୍ ନେଇଥିଲେ। କିନ୍ତୁ ଡୁପ୍ଲେସିସ୍ଙ୍କ ସହ ରଜତ ପଟିଦାର ପିଚ୍ରେ ଯୋଗଦେଇ ଦ୍ରୁତ ଭାବେ ରନ୍ ଗତି ବଢ଼ାଇଥିଲେ। ଡୁପ୍ଲେସିସ୍ (୩୯ ବଲ୍ରେ ୫୪ରନ୍)ଙ୍କୁ ସାଣ୍ଟନର ଫଲୋଥ୍ରୁରେ ରନ୍ଆଉଟ୍ କରିଥିଲେ। ପଟିଦାର ଓ କାମେରନ୍ ଗ୍ରିନ୍ ତୃତୀୟ ୱିକେଟ୍ରେ ୨୮ ବଲ୍ରୁ ୭୧ ରନ୍ ଭାଗୀଦାରି ଗଢିଥିଲେ। କିନ୍ତୁ ଡେଥ୍ ଓଭରରେ ୨୩ ବଲ୍ରୁ ୪୧ ରନ୍ କରିଥିବା ପଟିଦାରଙ୍କୁ ସମାନ ଢଙ୍ଗରେ ଡାରେଲ୍ ମିଚେଲ୍ କ୍ୟାଚ୍ ନେଇ ପାଭିଲିଅନ୍ ଫେରାଇଥିଲେ। ଦୀନେଶ କାର୍ତ୍ତିକ (୧୪) ଓ ଗ୍ଲେନ୍ ମ୍ୟାକ୍ସୱେଲ୍ (୧୬) ଙ୍କ ବଡ଼ ସଟ୍ ଯୋଗୁଁ ଆର୍ସିବି ୨୧୮/୫ରେ ପହଞ୍ଚିପାରିଥିଲା।
ସଂକ୍ଷିପ୍ତ ସ୍କୋର:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୧୮/୫ (ଫାଫ୍ ଡୁପ୍ଲେସିସ୍-୫୪, ବିରାଟ କୋହଲି-୪୭, ରଜତ ପଟିଦାର-୪୧, କାମେରନ୍ ଗ୍ରିନ୍-୩୮*, ଶାର୍ଦ୍ଦୁଳ ଠାକୁର-୨/୬୧, ମିଚେଲ ସାଣ୍ଟନର-୧/୨୩, ତୁଷାର ଦେଶପାଣ୍ଡେ-୧/୪୯)। ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୯୧/୭ (ରାଚିନ ରବୀନ୍ଦ୍ର-୬୧, ରବୀନ୍ଦ୍ର ଜାଡ଼େଜା-୪୨*, ଅଜିଙ୍କ୍ୟ ରାହାଣେ-୩୩, ମହେନ୍ଦ୍ର ସିଂହ ଧୋନି-୨୫, ୟଶ ଦୟାଲ-୨/୪୨, କାମେରନ୍ ଗ୍ରିନ-୧/୧୮, ଗ୍ଲେନ୍ ମ୍ୟାକ୍ସୱେଲ-୧/୨୫, ମହମ୍ମଦ ସିରାଜ-୧/୩୫, ଲୋକି ଫର୍ଗୁସନ୍-୧/୩୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/rcb-1.jpg)