ଏଥର ବିଜେତା ପାଇବେ ୪ ମିଲିୟନ୍‌ ଡଲାର

ଦୁବାଇ: ଇଂଲଣ୍ଡ୍‌ରେ ଆୟୋଜିତ ୨୦୧୯ ବିଶ୍ବକପ୍‌ରେ ବିଜେତା ଦଳକୁ ମିଳିବ ୪ ମିଲିୟନ୍‌ (୪୦ ଲକ୍ଷ) ଡଲାର ପୁରସ୍କାର ରାଶି। ଭାରତୀୟ ମୁଦ୍ରାରେ ଯାହାର ପରିମାଣ ଆନୁମାନିକ ୨୮ କୋଟି ଟଙ୍କା ହେବ। ଏହି ପୁରସ୍କାର ରାଶି ୨୦୧୫ ବିଶ୍ବକପ୍‌ ତୁଳନାରେ .୨୫ ମିଲିୟନ୍‌ ଡଲାର ଅଧିକ। ୨୦୧୫ ବିଶ୍ବକପ୍‌ ବିଜେତା ପୁରସ୍କାର ରାଶି ବାବଦରେ ପାଇଥିଲେ ୩.୭୫ ମିଲିୟନ୍‌ ଡଲାର। ସେହିପରି ଏଥର ଉପବିଜେତା ଦଳକୁ ମିଳିବ ବିଜେତା ରାଶିର ଅଧା। ଅର୍ଥାତ୍‌ ଉପବିଜେତା ଦଳ ପାଇବେ ୨ ମିଲିୟନ୍‌ (୨୦ ଲକ୍ଷ) ଡଲାର। ୨୦୧୫ରେ ଉପବିଜେତା ଦଳ ୧.୭୫ ମିଲିୟନ୍‌ ଡଲାର ପୁରସ୍କାର ରାଶି ପାଇଥିଲା ‌ବେଳେ ଏଥର .୨୫ ମିଲିୟନ୍‌ ଡଲାର ଅଧିକ ପାଇବ। ଭାରତୀୟ ମୁଦ୍ରାରେ ଏହା ୧୪ କୋଟି ଟଙ୍କା ହେବ। ଏଥରର ୧୦ ଦଳୀୟ ବିଶ୍ବକପ୍‌ ପାଇଁ ବର୍ଧିତ ପୁରସ୍କାର ରାଶି ବାବଦରେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଶୁକ୍ରବାର ଘୋଷଣା କରିଛି। ଯାହାକି ଇଂଲଣ୍ଡ୍‌ ବିଶ୍ବକପ୍‌ରେ ମୋଟ ପୁରସ୍କାର ରାଶି ୧୦ ମିଲିୟନ୍‌ (୧୦୦ ଲକ୍ଷ) ଡଲାର ହେବ ବୋଲି ଆଇସିସି କହିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୭୦ କୋଟି ଟଙ୍କା ହେବ। ମୋଟ ପୁରସ୍କାର ରାଶି ୨୦୧୫ ବିଶ୍ବକପ୍‌ ତୁଳନାରେ ୨୫ ପ୍ରତିଶତ ଅଧିକ ହୋଇଛି। ତେବେ ଫରକ ଏତିକି ରହିଛି, ୨୦୧୫ ବିଶ୍ବକପ୍‌ ୧୪ ଦଳୀୟ ରହିଥିଲା ବେଳେ ୨୦୧୯ ବିଶ୍ବକପ୍‌ ୧୦ ଦଳୀୟ ହେବ। ତେଣୁ ଦଳ ସଂଖ୍ୟା ହ୍ରାସ ପାଇଥିଲା ବେଳେ ପୁରସ୍କାର ରାଶି ବୃଦ୍ଧି ପାଇଛି। ୨୦୧୫ ବିଶ୍ବକପ୍‌ରେ ମୋଟ ପୁରସ୍କାର ରାଶି ୮ ମିଲିୟନ୍‌ ଡଲାର ଥିଲା ‌ବେଳେ ଏଥର ଏହି ପରିମାଣ ୧୦ ମିଲିୟନ୍‌ ଡଲାରକୁ ବୃଦ୍ଧି ପାଇଛି।
ଆଇସିସି ଦ୍ବାରା ଘୋଷିତ ବର୍ଧିତ ପୁରସ୍କାର ରାଶି ଅନୁଯାୟୀ ବିଜେତା ଓ ଉପବିଜେତା ଦଳ ବ୍ୟତୀତ ପରାଜିତ ସେମିଫାଇନାଲିଷ୍ଟ ଦଳ ପ୍ରତ୍ୟେକ ୮ ଲକ୍ଷ ଡଲାର ଲେଖାଏଁ ପାଇବେ। ଯାହାକି ୨୦୧୫ ସଂସ୍କରଣ ତୁଳନାରେ ବି ଅଧିକ। ୨୦୧୫ରେ ପରାଜିତ ସେମିଫାଇନାଲିଷ୍ଟ ଦଳ ପ୍ରତ୍ୟେକ ୬ ଲକ୍ଷ ଡଲାର ଲେଖାଏଁ ପୁରସ୍କାର ରାଶି ପାଇଥିଲେ। ସେହିପରି ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ବିଜୟୀ ଦଳ ଏଥର ୪୦ ହଜାର ଡଲାର ଲେଖାଏଁ ପାଇବାକୁ ସ୍ଥିର ହୋଇଥିଲା ବେଳେ ଲିଗ୍‌ ପର୍ଯ୍ୟାୟରୁ ଅଭିଯାନ ଶେଷ କରିଥିବା ଦଳଗୁଡ଼ିକ ୧ ଲକ୍ଷ ଡଲାର ଲେଖାଏଁ ପାଇବେ।
୨୦୧୯ ବିଶ୍ବକପ୍‌ର ଫର୍ମାଟ୍‌ ୯ ଦଳୀୟ ୧୯୯୨ ସଂସ୍କରଣ ଭଳି ରହିଛି। ଯେଉଁଥିରେ କି ପ୍ରତ୍ୟେକ ଦଳ ରାଉଣ୍ଡ୍‌ ରବିନ୍‌ ପର୍ଯ୍ୟାୟରେ ପରସ୍ପର ସହ ଖେଳିବେ। ସେଥିରୁ ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ୪୬ ଦିନିଆ ବିଶ୍ବକପ୍‌ ଇଂଲଣ୍ଡ୍‌ର ୧୧ ପଡ଼ିଆରେ ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୬ ତାରିଖରେ ଶେଷ ହେବ।

ସମ୍ବନ୍ଧିତ ଖବର