ଇଡେନ୍ ଗାର୍ଡେନ୍ସରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ
କୋଲକାତା: ଘରୋଇ ପଡ଼ିଆରେ ଆଉ ଏକ ପରାଜୟ ସହିତ ଗତଥରର ବିଜେତା କୋଲକାତା ନାଇଟ୍ ରାଇଡର୍ସ ତଳମୁହାଁ ହୋଇଛି। ସୋମବାର ଦଳ ଅଷ୍ଟମ ମ୍ୟାଚ୍ରେ ଇଡେନ୍ ଗାର୍ଡେନ୍ସରେ ଟେବୁଲ୍ ଟପ୍ପର ଗୁଜରାଟ ଟାଇଟନ୍ସ ନିକଟରୁ ୩୯ରନ୍ରେ ହାରିଯାଇଛି। ପୂର୍ବ ମ୍ୟାଚ୍ରେ ପଞ୍ଜାବର ୧୧୧ ରନ୍କୁ ପିଛା କରି ମାତ୍ର ୯୫ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିବା କେକେଆର୍ ଏହି ଚାପରୁ ବି ବାହାରିପାରିନାହିଁ। ସେହିଭଳି ୨୦୨୩ରେ ଏଠାରେ ଶେଷ ଓଭରରେ ୟସ ଦୟାଲଙ୍କୁ ୫ ଛକା ମାରି ରିଙ୍କୁ ସିଂହ ମ୍ୟାଚ୍ ଛଡ଼ାଇ ନେବାର ମଧୁର ପ୍ରତିଶୋଧ ବି ନେଇଯାଇଛି ଟାଇଟନ୍ସ। ଲିଗ୍ ଟପ୍ପର ସ୍ଥାନକୁ ଦୃଢ଼ କରିବା ସହ ଗୁଜରାଟ ଉଭୟ କମଳା ଟୋପି (ସାଇ ସୁଦର୍ଶନ) ଓ ବାଇଗଣୀ ଟୋପି (ପ୍ରସିଦ୍ଧ କୃଷ୍ଣ)କୁ ପାଖରେ ରଖିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଗୁଜରାଟ ଟାଇଟନ୍ସ ବିନା କ୍ଷତିରେ ପାୱାର ପ୍ଲେ’କୁ ୪୫ ରନ୍ରେ ଶେଷ କରିଥିଲା। ଏହି ୬ ଓଭରରୁ ୩ଟି ସ୍ପିନ୍ ଆକ୍ରମଣ କରିଥିବା କେକେଆର ନିଜ କୌଶଳରେ ସଫଳ ହୋଇଥିଲେ ମଧ୍ୟ ଶୁବମନ ଗିଲ୍ ଓ ସାଇ ସୁଦର୍ଶନଙ୍କୁ ଅଲଗା କରି ପାରିନଥିଲା। ଏହା ପରେ କିନ୍ତୁ ଗିଲ୍ ଗିୟର ବଦଳାଇ ଦେଇଥିଲେ। ଏକାଦଶ ଓଭର ଗୁଜରାଟ ପାଇଁ ଘଟଣାବହୁଳ ଥିଲା। ଚଳିତ ଋତୁରେ ସାଇ ନିଜ ପଞ୍ଚମ ଏବଂ ଗିଲ୍ ନିଜ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳ ମଧ୍ୟ ୧୦.୫ ଓଭରରେ ୧୦୦ ଅତିକ୍ରମ କରିଯାଇଥିଲା। ଶେଷରେ ଇଡେନ୍ରେ ଏକାଧିକ ସ୍ମରଣୀୟ ପାଳି (୨ ଶତକ ସହ) ଖେଳିଥିବା ବଟଲର୍ ୪୧* ରନ୍ କରିଥିଲେ। ଏକାଧିକ ମିସଫିଲ୍ଡ କାରଣରୁ ଗୁଜରାଟ ମଧ୍ୟ ବହୁ ଫାଇଦା ଉଠାଇଥିଲା।
ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୮/୩ (ଶୁବମନ ଗିଲ୍-୯୦, ସାଇ ସୁଦର୍ଶନ-୫୨, ଜୋସ ବଟଲର୍-୪୧*, ଆନ୍ଦ୍ରେ ରସେଲ-୧/୧୩, ବୈଭବ ଅରୋଡ଼ା-୧/୪୪, ହର୍ଷିତ ରାଣା-୧/୪୫)। କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୫୯/୮ (ଅଜିଙ୍କ୍ୟ ରାହାଣେ-୫୦, ଅଙ୍ଗକ୍ରିସ ରଘୁବଂଶୀ-୨୬*, ଆନ୍ଦ୍ରେ ରସେଲ-୨୧, ରସିଦ୍ ଖାନ୍-୨/୨୫, ପ୍ରସିଦ୍ଧ କୃଷ୍ଣ-୨/୨୫, ଈଶାନ୍ତ ଶର୍ମା-୧/୧୮, ସାଇ କିଶୋର-୧/୧୯, ମହମ୍ମଦ ସିରାଜ-୧/୩୨, ୱାସିଂଟନ୍ ସୁନ୍ଦର-୧/୩୬)।