ଡ୍ର’ ‌ଫାଇନାଲ୍ ପାଇଁ ବିଜେତା ନିର୍ଣ୍ଣୟ ସୂତ୍ର ରହୁ: ଗାଭାସ୍କର

ଆଇସିସି ଉପରେ ସେହବାଗ୍‌ ଖପ୍ପା

ସାଉଥାମ୍ପଟନ୍‌: ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ ଅମୀମାଂସିତ ରହିଲେ ବିଜେତା ନିର୍ଣ୍ଣୟ କରିବା ଲାଗି ଆଇସିସି ଏକ ସୂତ୍ର ପ୍ରସ୍ତୁତ କରିବା କଥା ବୋଲି ମତ ଦେଇଛନ୍ତି କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର। ପ୍ରଥମ ୪ ଦିନର ଖେଳ ମଧ୍ୟରୁ ୨ ଦିନ ସମ୍ପୂର୍ଣ୍ଣ ଏବଂ ୨ ଦିନ ଅଂଶିକ ଭାବେ ପ୍ରଭାବିତ ହୋଇଥିବାରୁ ଫଳାଫଳ ବାହାରିବା ସମ୍ଭାବନା କ୍ଷୀଣ ରହିଛି। ବର୍ଷା ଓ ଖରାପ ଆଲୋକ ପରିସ୍ଥିତି କାରଣରୁ ଏହି ମ୍ୟାଚ୍‌ ଅମୀମାଂସିତ ସମ୍ଭାବନା ଅଧିକ ରହିଥିବାରୁ ଗାଭାସ୍କର ଏଭଳି କଥା କହିଛନ୍ତି। ଆଇସିସି କ୍ରିକେଟ୍‌ ସମିତି ଏ ଦିଗରେ ଚିନ୍ତା କରିବା ସହ କିଛି ନିଷ୍ପତ୍ତି ନେବା ଉଚିତ୍ ବୋଲି ଗାଭାସ୍କର ଏକ ହିନ୍ଦୀ ଚାନେଲ ସହ କଥା ହେବାବେଳେ ମତବ୍ୟକ୍ତ କରିଛନ୍ତି।

ଗାଭାସ୍କରଙ୍କ ମନ୍ତବ୍ୟ ସତ୍ତ୍ବେ ବର୍ତମାନ ପାଇଁ ନିୟମରେ କୌଣସି ପରିବର୍ତନ ସମ୍ଭାବନା ନାହିଁ। କାରଣ ଗତମାସଠାରୁ ଆଇସିସି ସ୍ପଷ୍ଟ କରି ସାରିଛି ଫାଇନାଲ୍ ମ୍ୟାଚ୍‌ ଅମୀମାଂସିତ ରହିଲେ ଉଭୟ ଦଳ ଯୁଗ୍ମଭାବେ ଟ୍ରଫି ବିଜେତା ହେବେ। ପ୍ରଥମ ଥର ପାଇଁ ଫାଇନାଲ୍ ମ୍ୟାଚ୍‌ ଟ୍ରଫି ଭାଗ ହେବ। ଶେଷ ଦୁଇ ଦିନରେ ଉଭୟ ଦଳ ଖରାପ ଖେଳିଲେ ହିଁ ୩ଟି ପାଳି ଶେଷ ହୋଇପାରିବ। କିନ୍ତୁ ଫୁଟ୍‌ବଲ୍‌ରେ ପେନାଲଟି ସୁଟ୍‌ ଆଉଟ୍‌, ଟେନିସ୍‌ରେ ଟାଇବ୍ରେକର୍‌ ଭଳି କ୍ରିକେଟ୍‌ରେ ମଧ୍ୟ ଅନ୍ୟ ପଦ୍ଧତିମାନ ରହିଛି। ଆଇସିସି ସେ ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନେଉ ବୋଲି ଗାଭାସ୍କର କହିଛନ୍ତି।
ଆଇସିସି ଉପରେ ସେହବାଗ୍‌ ଖପ୍ପା ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ର ଚତୁର୍ଥ ଦିନ ଖେଳ ସମ୍ପୂର୍ଣ୍ଣ ଧୋଇଯିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ଆଇସିସି ଊପରେ ଖପ୍ପା ହୋଇଛନ୍ତି।

ଫାଇନାଲ୍‌ ମ୍ୟାଚ୍‌ ପାଇଁ ଇଂଲଣ୍ଡରେ ଏଭଳି ସମୟ ବାଛିଥିବାରୁ ସେ ଆଇସିସିକୁ ସମାଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ବଦା ସକ୍ରିୟ ସେହବାଗ ନିଜ ସଦ୍ୟତମ ଟ୍ବିଟ୍‌ରେ ଉଲ୍ଲେଖ କରିଥିଲେ ‘ଭାରତୀୟ ବ୍ୟାଟ୍ସମ୍ୟାନ୍‌ କି ଆଇସିସି କାହାରିକୁ ନିଜ ଢଙ୍ଗରେ କାମ କରିବାକୁ ସମୟ ମିଳିଲା ନାହିଁ’। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ୍ ପେସ୍‌ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନକୁ ଅଡୁଆରେ ପକାଇବାରେ ସକ୍ଷମ ହୋଇଥିବା ବେଳେ ଭାରତୀୟ ବୋଲରମାନେ ସେଭଳି ପ୍ରଭାବ ପକାଇପାରିନାହାନ୍ତି। ଭାରତୀୟ ବୋଲରମାନେ ସୁଇଙ୍ଗ କରାଇବାର ବାଟ ପାଉନଥିବାରୁ ସେହବାଗ ଅସନ୍ତୋଷ ପ୍ରକଟ କରିଥିଲେ। ଏଥି ପାଇଁ ସେ ଲେଖିଥିଲେ ‘ମୁଡ୍‌ ସୁଇଙ୍ଗ୍ ହୋ ଗୟା, ବଲ୍‌ ‌ନହି ହୁଇ’।

ସମ୍ବନ୍ଧିତ ଖବର