୧୪ ବର୍ଷରୁ କମ୍‌ କ୍ରିକେଟ୍‌ ଲିଗ୍‌, ପାରାମାଉଣ୍ଟ୍‌ ବିଜେତା

ଭୁବନେଶ୍ବର: ପାରାମାଉଣ୍ଟ୍‌ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଏକ ୪ ଦଳୀୟ ୧୪ ବର୍ଷରୁ କମ୍‌ କ୍ରିକେଟ୍‌ ଲିଗ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ପ୍ରଗତି ସ୍ପୋର୍ଟିଂ, ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌, ଓସ୍କାର ସ୍ପୋର୍ଟିଂ ଏବଂ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପ୍ରତିଯୋଗିତାର ଦୁଇ ଶ୍ରେଷ୍ଠ ଦଳ ଭାବେ ପ୍ରଗତି ଓ ପାରାମାଉଣ୍ଟ୍‌ ମଧ୍ୟରେ ଫାଇନାଲ୍‌ ମୁକାବିଲା ହୋଇଥିଲା। ଏଥିରେ ପ୍ରଗତିକୁ ୧୩ ରନ୍‌ରେ ପରାସ୍ତ କରି ପାରାମାଉଣ୍ଟ୍‌ ବିଜେତା ହୋଇଥିଲା।

ପାରାମାଉଣ୍ଟ୍‌ ନିର୍ଦ୍ଧାରିତ ୩୫ ଓଭରରେ ୫ ୱିକେଟ୍‌ ହରାଇ କରିଥିଲା ୧୩୪ ରନ୍‌। ସିଦ୍ଧାର୍ଥ ଶଙ୍କର ବେହେରା ୫୭, ଏମ୍‌ କୌଶିକ୍‌ ୨୬ ଓ ସ୍ବାଗତ ମିଶ୍ର ୧୭ ରନ୍‌ କରିଥିଲେ। ପ୍ରଗତି ପକ୍ଷରୁ ସୌମ୍ୟ ମହାରଣା ଓ ସନନ୍ଦ ମହାନ୍ତି ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ଅସିମ ବାରାଦ୍‌ଙ୍କ ୩୪ ଓ ସନନ୍ଦ ମହାନ୍ତିଙ୍କ ୨୦ ରନ୍‌ ସତ୍ତ୍ବେ ପ୍ରଗତି ୧୨୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସୈୟଦ୍‌ ତୁଫେଲ ଅହମ୍ମଦ ୩, ପ୍ରଜ୍ଞା ପତ୍ରୀ ୨ ୱିକେଟ୍‌ ନେଇଥିଲେ। ସିଦ୍ଧାର୍ଥ ଲିଗ୍‌ର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଓ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ସୈୟଦ୍‌ ତୁଫେଲ ଅହମ୍ମଦ ଶ୍ରେଷ୍ଠ ବୋଲର ସାଙ୍ଗକୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ପ୍ରଗତି ଦଳର ଅସିମ୍‌ ବରାଦ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ବିବେଚିତ ହୋଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ତଥା ବିଜେବି ନଗର ଉନ୍ନୟନ ପରିଷଦର ସଭାପତି ରଘୁନାଥ ମିଶ୍ର ଯୋଗଦେଇଥିଲା ବେଳେ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ପ୍ରତିଷ୍ଠାତା ସଭ୍ୟ ବିବେକାନନ୍ଦ ଦାସ, କ୍ଲବ୍‌ର ସଭାପତି ପ୍ରତାପ ଜେନା, କୋଷାଧ୍ୟକ୍ଷ ସଞ୍ଜୀବ କୁମାର ରଥ, ଉପସଭାପତି ଅମର ମହାପାତ୍ର, ସଦସ୍ୟ ଦିପ୍ତି ଜେନା, ଚିତ୍ତରଞ୍ଜନ ସ୍ବାଇଁ ଓ ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର