ମେଲ୍ବର୍ଣ୍ଣ: ଗତଥରର ବିଜୟିନୀ ନାଓମି ଓସାକାଙ୍କ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଅଭିଯାନ ତୃତୀୟ ପର୍ଯ୍ୟାୟରୁ ଶେଷ ହୋଇଯାଇଛି। ଆମେରିକାର ଆମନ୍ଦା ଆନିସିମୋଭା ୪-୬, ୬-୩, ୭-୬ ସେଟ୍ରେ ଏହି ଜାପାନ ମହିଳାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଚତୁର୍ଥ ରାଉଣ୍ଡରେ ଆନିସିମୋଭା ବିଶ୍ବର ଏକ ନମ୍ବର ସ୍ଥାନୀୟ ତାରକା ଆସ୍ଲେ ବାର୍ଟିଙ୍କୁ ଭେଟିବେ। ୱିମ୍ବଲଡନ୍ ବିଜୟିନୀ ୨୫ ବର୍ଷିୟା ବାର୍ଟି ୬-୨, ୬-୩ ସେଟ୍ରେ ଇଟାଲିର କାମିଲା ଜିଓର୍ଗିଙ୍କୁ ହରାଇ ୪୪ ବର୍ଷ ପରେ ପ୍ରଥମ ଅଷ୍ଟ୍ରେଲିଆ ମହିଳା ଭାବେ ଘରୋଇ ପଡ଼ିଆରେ ଟ୍ରଫି ଜିତିବା ଦିଗରେ ଆଉ ଗୋଟିଏ ପାଦ ବଢ଼ିଛନ୍ତି। ସେହିପରି ପଞ୍ଚମ ମାନ୍ୟତାପ୍ରାପ୍ତ ମାରିଆ ସାକାରି ୬-୪, ୬-୧ ସେଟ୍ରେ ରୁଷିଆର ଭେରୋନିକା କୁଦର୍ମେଟୋଭାଙ୍କୁ ହରାଇଥିଲେ। ଏହି ଗ୍ରିକ୍ ମହିଳା ଚତୁର୍ଥ ରାଉଣ୍ଡରେ ଆମେରିକାର ଜେସିକା ପେଗୁଲାଙ୍କୁ ଭେଟିବେ। ପେଗୁଲା ୭-୬, ୬-୨ ସେଟ୍ରେ ସ୍ପେନ୍ର ନୁରିଆ ପାରିଜାନ-ଦିଆଜ୍ଙ୍କୁ ହରାଇଥିଲେ। ବେଲାରୁଷର ୩୨ ବର୍ଷିୟା ଭିକ୍ଟୋରିଆ ଆଝାରେଙ୍କା ୬-୦, ୬-୨ ସେଟ୍ରେ ପଞ୍ଚଦଶ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନାଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ୩ ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଆଝାରେଙ୍କା ପରବର୍ତ୍ତୀ ରାଉଣ୍ଡରେ ଚତୁର୍ଥ ମାନ୍ୟତାପ୍ରାପ୍ତ ବାର୍ବୋରା କ୍ରେଁସିକୋଭାଙ୍କୁ ଭେଟିବେ। କ୍ରେଁସିକୋଭା ୨-୬, ୬-୪, ୬-୪ ସେଟ୍ରେ ଜେଲିନା ଓସ୍ତାପେଙ୍କୋଙ୍କୁ ମାତ୍ ଦେଇଥିଲେ। ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ପେନ୍ର ପାଉଲ ବଦୋସା ୬-୨, ୫-୭, ୬-୪ ସେଟ୍ରେ ୟୁକ୍ରେନ୍ର ମାର୍ତା କୋସ୍ତିଉକଙ୍କୁ ପରାସ୍ତ କରିଥିଲେ। ସେ ଆମେରକାର ମାଡିସନ କିଜ୍ଙ୍କୁ ଭେଟିବେ। କିଜ୍ ୪-୬, ୬-୩, ୭-୬ ସେଟ୍ରେ ଚୀନ୍ର ୱାଙ୍ଗ କ୍ବିଆଙ୍ଗଙ୍କୁ ହରାଇଥିଲେ।
ପୁରୁଷ ଏକକ ବର୍ଗରେ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ, ତୃତୀୟ ମାନ୍ୟତାପ୍ରାପ୍ତ ଆଲେକ୍ଜାଣ୍ଡର ଭେରେଭ, ସପ୍ତମ ମାନ୍ୟତାପ୍ରାପ୍ତ ମାତିଓ ବେରେତିନି ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ସ୍ପେନ୍ ତାରକା ନାଦାଲ ୬-୩, ୬-୨, ୩-୬, ୬-୧ ସେଟ୍ରେ ରୁଷିଆର କରେନ ଖାଚାନୋଭଙ୍କୁ, ଭେରେଭ ୬-୩, ୬-୪, ୬-୪ ସେଟ୍ରେ ମୋଲଡୋଭା ଅଲ୍ବର୍ଟଙ୍କୁ, ଇଟାଲିର ବେରେତିନି ୬-୨, ୭-୬, ୪-୬, ୨-୬, ୭-୬ ସେଟ୍ରେ ସ୍ପେନ୍ର କାର୍ଲସ ଅଲକାରାଜ ଗାର୍ଫିଆଙ୍କୁ ହରାଇଥିଲେ। ଏମାନଙ୍କ ବାଦ୍ କାନାଡ଼ାର ଡାନିସ ସାପୋଭାଲୋଭ, ଫ୍ରାନ୍ସର ଗେଲ୍ ମନ୍ଫିଲ୍ସ ଓ ସର୍ବିୟାର ମିଓମିର କେସମାନୋଭିକ ନିଜ ନିଜ ମ୍ୟାଚ୍ ଜିତି ଚତୁର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି।