ବିଜୟିନୀ କେନିନ୍‌ ବିଦା: ତୃତୀୟ ପର୍ଯ୍ୟାୟରେ ବାର୍ଟି

ସିସିପାସ୍‌ ବର୍ତ୍ତିଲେ; ନାଦାଲଙ୍କ ସହଜ ବିଜୟ

ମେଲ୍‌ବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରୁ ଗତଥରର ମହିଳା ଏକକ ବିଜୟିନୀ ସୋଫିଆ କେନିନ ଦ୍ବିତୀୟ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ଗୁରୁବାର ଦ୍ବିତୀୟ ପର୍ଯ୍ୟା‌ୟ ମୁକାବିଲାରେ ଏହି ଆମେରିକୀୟ ତାରକା ସିଧାସଳଖ ୩-୬, ୨-୬ ସେଟ୍‌ରେ ୬୫ ମାନ୍ୟତାପ୍ରାପ୍ତ ଇସ୍ତୋନିଆର କାଇଆ କାନେପିଙ୍କଠୁ ହାରି ଯାଇଛନ୍ତି। ୨୨ ବର୍ଷୀୟ କେନିନ ଗତବର୍ଷ ମେଲ୍‌ବର୍ଣ୍ଣ ପାର୍କରେ ଟ୍ରଫି ଜିତିବା ସହ ପ୍ରେଞ୍ଚ ଓପନ୍‌ ଫାଇନାଲ୍‌ରେ ପହଞ୍ଚିଥିଲେ। କାନେପି ଗତ ସପ୍ତାହରେ ଗିପ୍‌ସଲାଣ୍ଡ ଟ୍ରଫିର ଫାଇନାଲ୍‌ ଖେଳିଥିଲେ। ତୃତୀୟ ପର୍ଯ୍ୟାୟରେ କାନେପି କ୍ରୋଏସିଆର ଡୋନା ଭେକିକଙ୍କୁ ଭେଟିବେ। ଭେକିକ ଆର୍ଜେଣ୍ଟିନାର ନାଦିଆ ପୋଡୋରୋସ୍କାଙ୍କୁ ପରାସ୍ତ କରିଛନ୍ତି। ତେବେ ‌ବିଶ୍ବର ଏକ ନମ୍ବର ମହିଳା ଖେଳାଳି ଆସ୍‌ଲେ ବାର୍ଟି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ‌ଟିକେ କଷ୍ଟ କରିବାକୁ ପଡ଼ିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଦ୍ବିତୀୟ ରାଉଣ୍ଡ୍‌ ମ୍ୟାଚ୍‌ରେ ସ୍ଥାନୀୟ ତାରକା ବାର୍ଟି ୬-୧, ୭-୬ ସେଟ୍‌ରେ ନିଜ ଦେଶର ଡାରିଆ ଗାଭରିଲୋଭାଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ମହିଳା ତାରକା ଖେଳାଳି ଭାବେ ଏଲିନା ସ୍ବିତୋଲିନା (ପଞ୍ଚମ) ଏବଂ କାରୋଲିନା ପ୍ଲିସକୋଭା (ଷଷ୍ଠ) ଦ୍ବିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିଛନ୍ତି। ୟୁକ୍ରେନର ସ୍ବିତୋଲିନା ୬-୪, ୬-୩ ସେଟ୍‌ରେ ଆମେରିକା‌ର କୋକୋ ଗଫ୍‌ଙ୍କୁ ଏବଂ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ଚେକ୍‌ଗଣରାଜ୍ୟର ପ୍ଲିସକୋଭା ୭-୫, ୬-୨ ସେଟ୍‌ରେ ଅମେରିକାର ଡାନିଏଲି କଲିନ୍ସଙ୍କୁ ପରାସ୍ତ କରିଛନ୍ତି।

ସିସିପାସ୍‌ ବର୍ତ୍ତିଲେ; ନାଦାଲଙ୍କ ସହଜ ବିଜୟ
ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ନାଦାଲ ସହଜ ବିଜୟ ସହ ଆଗକୁ ବଢ଼ିଥିଲା ବେଳେ ପଞ୍ଚମ ମାନ୍ୟତାପ୍ରାପ୍ତ ‌ଷ୍ଟିଫାନସ ସିସିପାସଙ୍କୁ ଜିତିବା ଲାଗି କଡ଼ା ସଂଘର୍ଷ କରିବାକୁ ପଡ଼ିଛି। ମେଲ୍‌ବର୍ଣ୍ଣରେ ଥରେ ଏବଂ ମୋଟ ୨୦ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନ୍‌ ତାରକା ନାଦାଲ ୬-୧, ୬-୪, ୬-୨ ସିଧାସଳଖ ସେଟ୍‌ରେ ଆମେରିକାର ମାଇକେଲ ମୋ’ଙ୍କୁ ମାତ୍‌ ଦେଇଥିଲେ। ହେଲେ ଗ୍ରିକ୍‌ର ସିସିପାସ ‌୪ ଘଣ୍ଟା ୩୨ ମିନିଟ୍‌ ଧରି ସଂଘର୍ଷ କରିବା ପରେ ୬-୭, ୬-୪, ୬-୧, ୬-୭, ୬-୪ ସେଟ୍‌ରେ ୨୬୭ ମାନ୍ୟତାପ୍ରାପ୍ତ ଅଷ୍ଟ୍ରେଲିଆର ଥାନାସି କୋକିନାକିସଙ୍କୁ ହରାଇଛନ୍ତି।‌ ‌ଅନ୍ୟ ପୁରୁଷ ତାରକା ଖେଳାଳିଙ୍କ ମଧ୍ୟରେ ରୁଷିଆର ଡାନିଏଲ ମେଦଭେଦବ, ଆନ୍ଦ୍ରେ ରୁବଲେଭ ଏବଂ ଇଟାଲିର ମାଟିଓ ବେରେତିନି ନିଜ ନିଜ ମ୍ୟାଚ୍‌ ଜିତି ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ମେଦଭେଦବ (ଚତୁର୍ଥ) ୬-୨, ୭-୫, ୬-୧ ସେଟ୍‌ରେ ସ୍ପେନ୍‌ର ରୋବର୍ଟୋ କାର୍ବେଲେସ ବାଇନାଙ୍କୁ, ରୁବଲେଭ (ସପ୍ତମ) ୬-୪, ୬-୪, ୭-୬ ସେଟ୍‌ରେ ବ୍ରାଜିଲର ଥିଆଗୋ ମଣ୍ଟେରିଓଙ୍କୁ ଏବଂ ବେରେତିନି (ନବମ) ୬-୩, ୬-୨, ୪-୬, ୬-୩ ସେଟ୍‌ରେ ଚେକ୍‌ ଗଣରାଜ୍ୟର ଟୋମାସ ମାକାକଙ୍କୁ ପରାସ୍ତ କରିଥିଲେ।

ନାଦାଲଙ୍କୁ ମଝି ଆଙ୍ଗୁଠି ଦେଖାଇଲେ ମହିଳା
୨୦ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ରାଫେଲ ନାଦାଲ ନିଜ ଦ୍ବିତୀୟ ରାଉଣ୍ଡ ମୁକାବିଲାରେ ଏକ ଅଶୋଭନୀୟ ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଧ୍ୟାନ ଭଗ୍ନ କରିବା ଲାଗି ଜଣେ ମହିଳା ଦର୍ଶକ ଆଜି ବାରମ୍ବାର ଚେଷ୍ଟା କରିଥିଲେ। ଏପରିକି ନାଦାଲଙ୍କୁ ସେ ମଝି ଆଙ୍ଗୁଠି ଦେଖାଇ ଚିଡ଼ାଇବାକୁ ବି ଚେଷ୍ଟା କରିଥିଲେ। ଏହି ଉଗ୍ର ମହିଳା ଦର୍ଶକଙ୍କ ପାଇଁ ନାଦାଲ କିଛିଟା ଅସୁବିଧା‌‌ରେ ପଡ଼ିଥିଲେ। ହେଲେ ମ୍ୟାଚ୍ ଜିତି ନେଇ ତୃତୀୟ ରାଉଣ୍ଡରେ ସ୍ଥାନ ପକ୍କା କରି ନେଇଥିଲେ। ଏଭଳି ଅଶ୍ଳୀଳ ଇଙ୍ଗିତ କରିଥିବା ମହିଳାଙ୍କୁ ‌ସୁରକ୍ଷାକର୍ମୀ ଷ୍ଟାଡିୟମ୍‌ରୁ ବାହାରକୁ ନେଇ ଯାଇଥିଲେ। ହେଲେ ନାଦାଲ ଏଥିରେ ଭାଙ୍ଗି ନପଡ଼ି ହସି ଦେଇଥିଲେ। ପ୍ରଶଂସକଙ୍କୁ ଜାଣିଥିବା କଥା ତାଙ୍କୁ ପଚାରାଯିବାରୁ ନାଦାଲ ହସିହସି କହିଥିଲେ, ‘‘ନା, ସତ କହିବାକୁ ଗଲେ ମୁଁ ଜାଣିବାକୁ ବି ଚାହେଁନି।

ସମ୍ବନ୍ଧିତ ଖବର