ଜଗଦୀଶ ୧୦୩; ଭାରତର ଅଭିଯାନ ଶେଷ

ଶୀତକାଳୀନ ଅଲିମ୍ପିକ୍ସ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଶୁକ୍ରବାର ଭାରତୀୟ ତାରକା ଜଗଦୀଶ ସିଂହ ଖରାପ ପ୍ରଦର୍ଶନ କରି ୧୫ କିମି ଫ୍ରି କ୍ରସ୍‌ କଣ୍ଟ୍ରି ସ୍କିଙ୍ଗ୍‌ରେ ୧୦୩ତମ ସ୍ଥାନ ପାଇଥିଲେ। ଏଥି ସହିତ ଏହି ଅଲିମ୍ପିକ୍ସରୁ ଭାରତର ଅଭିଯାନ ମଧ୍ୟ ଶେଷ ହୋଇଯାଇଛି। ଜଗଦୀଶଙ୍କ ପୂର୍ବରୁ ଗତ ୧୧ ତାରିଖରେ ଶିବ କେଶବନ୍‌ ଲୁଗ୍‌ ଏକକରେ ୩୪ତମ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଏହି ଦୁଇ ଜଣଙ୍କ ନୈରାଶ୍ୟଜନକ ବିଦାୟ ପରେ ଭାରତ ପୁଣି ଥରେ ପଦକ ଶୂନ୍ୟ ରହିବାକୁ ବାଧ୍ୟ ହୋଇଛି। ପ୍ରଥମ ଥର ଲାଗି ଅଲିମ୍ପିକ୍ସରେ ଖେଳୁଥିବା ୨୬ ବର୍ଷୀୟ ଜଗଦୀଶ ୪୩.୦୨ ମିନିଟ୍‌ ସମୟ ନେଇ ମୋଟ ୧୧୯ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ୧୦୩ତମ ସ୍ଥାନରେ ରହିଥିଲେ। ତାଙ୍କଠାରୁ ୯.୧୬.୧୪ ମିନିଟ୍‌ ଆଗରେ ସ୍ୱିଜରଲାଣ୍ଡ୍‌ର ଦାରିଓ କୋଲୋଗ୍ନା (୩୩.୪୩.୯ ମିନିଟ୍‌) ପ୍ରଥମ ସ୍ଥାନରେ ରେସ୍‌ ପୂର୍ଣ୍ଣ କରି ସ୍ୱର୍ଣ୍ଣ ପଦକ କବ୍‌ଜା କରିଥିଲେ। ଅଲ୍‌ପାଇନ୍‌ ସ୍କିଙ୍ଗ୍‌ ପୁରୁଷ ସୁପର-ଜିରେ ଅଷ୍ଟ୍ରିଆର ମାଥିଆସ୍‌ ମେୟର ସ୍ୱର୍ଣ୍ଣ, ସ୍ୱିଜରଲାଣ୍ଡ୍‌ର ବିଟ୍‌ ଫିଉଜ୍‌ ରୌପ୍ୟ ଏବଂ ନରେଓ୍ଵର ଜେଟିଲ ଜାନ୍ସରୁଡ୍‌ କାଂସ୍ୟ ଜିତିଥିଲେ। ମହିଳା ସ୍ଲାଲମ୍‌ ରନ୍‌-୨ରେ ସ୍ୱିଜରଲାଣ୍ଡ୍‌ର ଫ୍ରିଡା ହନ୍ସଡୋଟର ସ୍ୱର୍ଣ୍ଣ, େଓ୍ଵଣ୍ଡି ହୋଲ୍ଡନର ରୌପ୍ୟ ଏବଂ ଅଷ୍ଟ୍ରିଆର କଥାରିନା ଗାଲୁମ୍ବର କାଂସ୍ୟ ପଦକ ପାଇଥିଲେ। ମହିଳା ଫ୍ରିଷ୍ଟାଇଲ୍‌ ସ୍କିଙ୍ଗ୍‌ରେ ବେଲାରୁଷ୍‌ର ହାନ୍ନା ହୁସକୋଭାଙ୍କୁ ସ୍ୱର୍ଣ୍ଣ ଏବଂ ଚୀନ୍‌ର ଝାଙ୍ଗ୍‌ ସିନ୍‌ ଓ କଙ୍ଗ୍‌ ପାନୁଙ୍କୁ ରୌପ୍ୟ ଓ କାଂସ୍ୟ ମିଳିଥିଲା। ପୁରୁଷ ସ୍କିଲଟନ୍‌ରେ କୋରିଆର ୟୁନ୍‌ ସୁଙ୍ଗବିନ୍‌ ସ୍ୱର୍ଣ୍ଣ, ରୁଷିଆର ନିକିତା ତ୍ରିଗୁଭୋ ରୌପ୍ୟ ଓ ବ୍ରିଟେନ୍‌ର ହମ୍‌ ପାର୍ସନ୍ସ କାଂସ୍ୟ ଜିତିଥିଲେ। ମହିଳା ସ୍ନୋବୋର୍ଡ କ୍ରସ୍‌ ବିଗ୍‌ରେ ଇଟାଲିର ମିଚିଲା ମେଲୋଲି ସ୍ୱର୍ଣ୍ଣ, ଫ୍ରାନ୍ସର ଜୁଲିଆ ପେରିରା ଡିସୌସା ମାବିଲିଉ ରୌପ୍ୟ ଏବଂ ସ୍ୱଜରଲାଣ୍ଡ୍‌ର ଇଭା ସାମ୍‌କୋଭା କାଂସ୍ୟ ହାତେଇଥିଲେ। ମହିଳା ସ୍ପିଡ୍‌ ସ୍କେଟିଂ ୫୦୦୦ ମିଟରରେ ନେଦରଲାଣ୍ଡ୍‌ର ଏସ୍‌ମି ଭିସର ସ୍ୱର୍ଣ୍ଣ କରାୟତ କରିଥିଲା ବେଳେ ସ୍ୱିଜରଲାଣ୍ଡ୍‌ର ମାର୍ଟିନା ସାବ୍ଲିକୋଭା ରୌପ୍ୟ ଏବଂ ରୁଷିଆର ନତାଲିଆ ଭୋରୋନିନା କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର