ଇତିହାସ ରଚିଲେ ଜୋର୍‌ଗେନ୍‌: ଅଲ୍‌ପିନେ ସ୍କିଙ୍ଗ୍‌ରେ ଲେଡେକାଙ୍କୁ ସ୍ୱର୍ଣ୍ଣ

ଶୀତକାଳୀନ ଅଲିମ୍ପିକ୍ସ

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଶନିବାର ମହିଳା ରିଲେରେ ସ୍ୱର୍ଣ୍ଣ ପଦକ ଜିତି ନରେଓ୍ଵ ଇତିହାସ ରଚିଛି। ମାରିତ୍‌ ଜୋର୍ଗେନ୍‌ ଚୂଡାନ୍ତ ପର୍ଯ୍ୟାୟରେ ବିଜୟୀ ହେବା ସହିତ ଅଲିମ୍ପିକ୍ସ କୀର୍ତିମାନ ପୁସ୍ତକରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି। ଏହି ନରେଓ୍ଵ ମହିଳା ଜୋର୍ଗେନ୍‌ ୪x୫ କିଲୋମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାତେଇନେବା ସହିତ ୧୩ ପଦକ ଜିତି ସର୍ବକାଳୀନ ସବୁଠୁ ସଫଳ ଶୀତକାଳୀନ ଅଲିମ୍ପିଆନ୍‌ ବିବେଚିତ ନିଜ ଦେଶର ଓଲେ ଇନାର୍‌ ଜୋର୍ନଡାଲେନ୍‌ଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହି ରିଲେରେ ୨ ସେକେଣ୍ଡ୍‌ ପଛୁଆ ରହି ସ୍ୱିଡେନ୍‌ ରୌପ୍ୟ ଜିତିଥିଲା ବେଳେ ରୁଷିଆ କାଂସ୍ୟ ପଦକ ହାସଲ କରିଛି। ସବୁଠୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ଚେକ୍‌ ଗଣରାଜ୍ୟର ଇଷ୍ଟର ଲେଡେକା ଶନିବାର ଅଲ୍‌ପିନେ ସ୍କିଙ୍ଗ୍‌ରେ ସ୍ୱର୍ଣ୍ଣ ପଦକ କବ୍‌ଜା କରିନେଇଛନ୍ତି। ମହିଳା ସୁପର୍‌-ଜି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ପୂର୍ବରୁ ସବୁଠୁ ପସନ୍ଦ ଥିବା ଅଷ୍ଟ୍ରିଆର ଆନ୍ନା ଭିତ୍‌ଙ୍କୁ ପଛରେ ପକାଇଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଭିତ୍‌ ରୌପ୍ୟରେ ସନ୍ତୁଷ୍ଟ ରହିଥିଲା ବେଳେ ଲିଚେନ୍‌ଷ୍ଟେନ୍‌ର ଟିନା ଓ୍ଵିରାଦର୍‌ କାଂସ୍ୟ ପଦକ ପାଇଥିଲେ। ତେବେ ଅଲ୍‌ପିନ୍‌ ବିଶ୍ୱକପ୍‌ରେ ୮୧ ବିଜୟ ପାଇ ସବୁଠୁ ସଫଳ ତାରକା ଆମେରିକାର ଲିଣ୍ଡ୍‌ସେ ଭନ୍‌ ଚୂଡାନ୍ତ ଲମ୍ଫ ପୂର୍ବରୁ ସାମାନ୍ୟ ତ୍ରୁଟି କରିବାରୁ ଷଷ୍ଠ ସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ବର୍ଗରେ ସ୍ୱର୍ଣ୍ଣ ଜିତିଥିବା ଲେଡେକା ତାଙ୍କର ସ୍ୱର୍ଣ୍ଣିମ ସଫଳତାକୁ ଦୁଇଗୁଣା କରିବା ଲକ୍ଷ୍ୟରେ ରହିଛନ୍ତି। ଲେଡେକା ଚଳିତ ଅଲିମ୍ପିକ୍ସରେ ଆଗକୁ ସ୍ନୋବୋର୍ଡିଂ ବର୍ଗରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାରୁ ସେଥିରେ ବି ସ୍ୱର୍ଣ୍ଣ ପଦକ ଜିତିବାର ଲାଳସା ରଖିଛନ୍ତି।

ସମ୍ବନ୍ଧିତ ଖବର