ବେଜିଂ : ଏକମାତ୍ର ଭାରତୀୟ ଭାବେ ବେଜିଂ ଶୀତକାଳୀନ ଅଲିମ୍ପିକ୍ସରେ ଭାଗନେଇଥିବା ଆଲ୍ପାଇନ୍ ସ୍କିଅର ଆରିଫ ଖାନ୍ ରବିବାର ଜିଆଣ୍ଟ ସ୍ଲାଲୋମ ଇଭେଣ୍ଟରେ ୪୫ତମ ସ୍ଥାନରେ ରହିଥିଲେ। ୟାଙ୍କିଙ୍ଗ ନ୍ୟାସନାଲ୍ ଆଲ୍ପାଇନ୍ ସ୍କିଂ କେନ୍ଦ୍ରରେ ଖରାପ ପାଗରେ ଆୟୋଜିତ ଏହି ଇଭେଣ୍ଟ୍ର ୨ ରେସ୍କୁ ୩୧ ବର୍ଷୀୟ ଆରିଫ ୨ ମିନିଟ୍ ୪୭.୨୪ ସେକେଣ୍ଡରେ ଶେଷ କରିଥିଲେ। ଶୀତକାଳୀନ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଆରିଫ ପ୍ରଥମ ରେସ୍କୁ ୧:୨୨.୩୫ରେ ଶେଷ କରିଥିଲେ।
ମୋଟ ୬୨ ଦେଶରୁ ୮୯ ପ୍ରତିଯୋଗୀ ଏଥିରେ ଭାଗନେଇଥିଲା ବେଳେ ୫୪ ଜଣ ରେସ୍ ଶେଷ କରିଥିଲେ। ୩୩ ଜଣ ଅଧାରୁ ଅଟକିଥିଲା ବେଳେ ଜଣେ ଆରମ୍ଭ କରିପାରିନଥିଲେ। ଦ୍ବିତୀୟ ରେସ୍ରେ ଆରିଫ୍ (୧:୨୪.୮୯) ପ୍ରଥମଠୁ ଭଲ ପ୍ରଦର୍ଶନ କରିଥିଲେ। ଶେଷ କରିଥିବା ୪୫ ଜଣଙ୍କ ମଧ୍ୟରେ ସେ ୪୪ତମ ସ୍ଥାନରେ ରହିଥିଲେ। ଫଳରେ ସେ ମୋଟ ଉପରେ ସ୍ବର୍ଣ୍ଣ ଜିତିଥିବା ସ୍ବିଜରଲାଣ୍ଡର ମାକୋ ଓଡେରମାଟ (୨:୦୯.୩୫)ଙ୍କଠୁ ୩୭.୮୯ ସେକେଣ୍ଡ ପଛରେ ରହି ୪୫ତମ ସ୍ଥାନ ପାଇଥିଲେ। ସ୍ଲୋଭେନିଆର ଜାନ୍ କ୍ରାଜେକ (୨:୦୯.୫୪) ରୌପ୍ୟ ଓ ଫ୍ରାନ୍ସର ମାଥ୍ୟୁ ଫାଇଭରେ (୨:୧୦.୬୯) କାଂସ୍ୟ ଜିତିଥିଲେ।