ମୁମ୍ବାଇ: ଆଇପିଏଲ୍ର ପଞ୍ଚଦଶ ସଂସ୍କରଣ ଅର୍ଥାତ୍ ୨୦୨୨ ମସିହାରେ ୮ ପରିବର୍ତ୍ତେ ୧୦ ଦଳ ଖେଳିବେ। ବିସିସିଆଇ ଏଥିନେଇ ଆନୁଷ୍ଠାନିକ ଘୋଷଣା କରି ସାରିଥିଲା ବେଳେ ଦୁଇଟି ନୂଆ ଦଳର ନିଲାମ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ପର୍ବ ବି ଆରମ୍ଭ କରିଦେଲାଣି। ଏହି ଦୁଇଟି ସହର କିମ୍ବା ରାଜ୍ୟ ଭିତ୍ତିକ ନୂଆ ଦଳ ଲାଗି ଆସନ୍ତା ଏପ୍ରିଲ ମାସରେ ଟେଣ୍ଡର ଆହ୍ବାନ କରାଯିବ। ଉଭୟ ଦଳର ମୂଳଦର ୧୫୦୦ କୋଟି ଟଙ୍କାରୁ କମ୍ ହେବନି। ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ଏଥିନେଇ ଅଣଆନୁଷ୍ଠାନିକ ଆଲୋଚନା ସରିଛି। ଚୂଡ଼ାନ୍ତ ନିଷ୍ପତ୍ତି ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ନିଆଯିବ। ତେବେ ୨୦୧୮ରେ ଜେଏସ୍ଡବ୍ଲ୍ୟୁ କଂପାନି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ୫୦ ପ୍ରତିଶତ ଅଂଶଧନ କିଣିଥିଲା। ସେତେବେଳେ ଏହି ଦଳର ଆନୁମାନିକ ମୂଲ୍ୟ ୧୧୦୦ କୋଟି ଟଙ୍କା ରଖାଯାଇଥିଲା। ଗତ ଦୁଇ ବର୍ଷ ଭିତରେ ଆଇପିଏଲ୍ର ବ୍ରାଣ୍ଡ ଭ୍ୟାଲ୍ୟୁ ଯଥେଷ୍ଟ ବଢ଼ିଯାଇଥିବାରୁ ଏବେକାର ନୂଆ ଦଳର ମୂଳଦର ୧୫୦୦ କୋଟି ଟଙ୍କାରୁ ଅଧିକ ହୋଇପାରେ, କମ୍ ନୁହେଁ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ୨୦୦୮ରେ ଆଇପିଏଲ୍ର ୮ଟି ଦଳର ନିଲାମ ପାଇଁ ମୂଳଦର ୫୦ ନିୟୁତ ଡଲାର ରଖାଯାଇଥିଲା ଏବଂ ଗୋଟିଏ ଡଲାରର ବିନିମୟ ମୂଲ୍ୟକୁ ୩୫ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୧୧୧.୯ ନିୟୁତ ଡଲାର, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୧୧.୬ ନିୟୁତ ଡଲାର, ଡେକାନ୍ ଚାର୍ଜର୍ସ ୧୦୭ ନିୟୁତ ଡଲାର, ଚେନ୍ନାଇ ସୁପରକିଙ୍ଗ୍ସ ୯୧ ନିୟୁତ ଡଲାର, ଦିଲ୍ଲୀ ଡେୟାରଡେଭିଲ୍ସ ୮୪ ନିୟୁତ ଡଲାର, କିଙ୍ଗ୍ସ ଏକାଦଶ ପଞ୍ଜାବ ୭୬ ନିୟୁତ ଡଲାର, କୋଲକାତା ନାଇଟ୍ ରାଇଡର୍ସ ୭୫.୦୯ ନିୟୁତ ଡଲାର ଏବଂ ରାଜସ୍ଥାନ ରୟାଲ୍ସ ସବୁଠାରୁ କମ୍ ୬୭ ନିୟୁତ ଡଲାରରେ ବିକ୍ରି ହୋଇଥିଲା।
ଆଶାୟୀ ସହର ଭିତରେ ଅହମ୍ମଦାବାଦ ସର୍ବାଗ୍ରେ
ଆଇପିଏଲ୍ର ଦୁଇଟି ନୂଆ ଦଳ ମଧ୍ୟ ପୂର୍ବଭଳି ସହର କିମ୍ବା ରାଜ୍ୟ ଭିତ୍ତିକ ହେବ। ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ସହର କିମ୍ବା ରାଜ୍ୟର ନାଁ ଅନୁସାରେ ଦଳର ନାଁ ରଖାଯିବ। ସେହିଦୃଷ୍ଟିରୁ ଦୁଇଟି ନୂଆ ଦଳ କିଣିବା ଦୌଡ଼ରେ ଅହମ୍ମଦାବାଦ ସର୍ବାଗ୍ରେ ରହିଛି। ତେବେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ୮ରୁ ୧୦ଟି ସହରକୁ ବିସିସିଆଇ ସୁଯୋଗ ଦେବ। ଏହି ସହରଗୁଡ଼ିକ ହେଲେ ଅହମ୍ମଦାବାଦ, ପୁନେ, ଲକ୍ଷ୍ନୌ, କାନପୁର, ଗୁଆହାଟୀ, ଇନ୍ଦୋର, କୋଚି, ରାଏପୁର ଏବଂ ତ୍ରିଭେନ୍ଦ୍ରମ। ଦୁଇ ଦେଶୀ ବହୁ ରାଷ୍ଟ୍ରୀୟ କଂପାନି ଅଦାନି ଗ୍ରୁପ୍ ଏବଂ ଆର୍ପିଏସ୍ଜି ନୂଆ ଆଇପିଏଲ୍ ଦଳ କିଣିବାର ସମ୍ଭାବନା ଅଧିକ ରହିଛି। ଅହମ୍ମଦାବାଦ ପାଇଁ ଅଦାନି ଏବଂ ପୁନେ ପାଇଁ ଆର୍ପିଏସ୍ଜି ବିଡ୍ ଦାଖଲ କରିପାରେ। ଉଭୟ କଂପାନି ଆଇପିଏଲ୍ ଦଳ କିଣିବାକୁ ଅତୀତରେ ଅଗ୍ରହ ପ୍ରକାଶ କରିସାରିଛନ୍ତି। ଆର୍ପିଏସ୍ଜିର ମାଲିକ ସଂଜୀବ ଗୋଏଙ୍କା ଦୁଇବର୍ଷ ପାଇଁ ପୁନେ ସୁପରଜିଆଣ୍ଟ୍ସ ଦଳ ଚଳାଇ ସାରିଛନ୍ତି। ଗୁଆହାଟୀ ମଧ୍ୟ ନୂଆ ଆଇପିଏଲ୍ ଦଳ କିଣିବା ଦୌଡ଼ରେ ସାମିଲ ହେବ ବୋଲି ଆସାମ କ୍ରିକେଟ୍ ସଂଘର ସଂପାଦକ ଦେବଜିତ ସାଇକିଆ କହିସାରିଛନ୍ତି। ସେହିଭଳି ଏକ ବଡ଼ ଦକ୍ଷିଣ ଭାରତୀୟ କଂପାନି ସହ ଅଭିନେତା ମୋହନ ଲାଲ ମଧ୍ୟ ଆଇପିଏଲ୍ ଦଳ କିଣିବା ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ipl-1.jpg)