ସମ୍ମାନ ନମିଳିବାରୁ ଆଇପିଏଲ୍‌ରୁ ଓହରିଛି: ଗେଲ୍‌

ଲଣ୍ଡନ୍‌: ଟ୍ବେଣ୍ଟି-୨୦ କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର୍‌ କ୍ରିସ ଗେଲ୍‌ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ମୋତେ ଠିକଣା ଭାବେ ସମ୍ମାନ ନମିଳିବାରୁ ମୁଁ ଚଳିତ ସଂସ୍କରଣ ଆଇପିଏଲ୍‌ରୁ ଓହରିଯାଇଥିଲି ବୋଲି କହିଛନ୍ତି ଏହି ପୂର୍ବତନ ୱେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌। ଆଇପିଏଲ୍‌ ଦ୍ବିତୀୟ ସଂସ୍କରଣରୁ ନିଜ ବ୍ୟାଟିଂ ଜଲୱା ଦେଖାଇ ଆସିଥିବା ଗେଲ୍‌ କୋଲକାତା ନାଇଟ୍ ରାଇଡର୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପରେ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିଲେ। ୨୦୧୯ରେ ଆଇପିଏଲ୍‌ର ଅଗ୍ରଣୀ ରନ୍‌ ସଂଗ୍ରହକାରୀଙ୍କ ତାଲିକାର ଷଷ୍ଠରେ ରହିଥିଲେ ମଧ୍ୟ ୨୦୨୦ ଓ ୨୦୨୧ ଋତୁରେ ଅସ୍ଥିର ପ୍ରଦର୍ଶନ କାରଣରୁ ପଞ୍ଜାବ କିଙ୍ଗ୍ସର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ସଂଘର୍ଷ କରିଥିଲେ। ୨୦୨୦ରେ ୭ ମ୍ୟାଚ୍‌ରୁ ୨୮୮ ରନ୍‌ ଏବଂ ୨୦୨୧ରେ ୧୦ ମ୍ୟାଚ୍‌ରୁ ୧୯୩ ରନ୍‌ ସଂଗ୍ରହ କରିଥିଲେ। ‘ବିଗତ ଦୁଇ ବର୍ଷ ମୋତେ ଯେଭଳି ବ୍ୟବହାର କରାଯାଇଥିଲା ସେଥରୁ ତିକ୍ତତା ମିଳିଥିଲା। ମୋତେ ଯେଭଳି ସମ୍ମାନ ମିଳିବା କଥା ମିଳିନଥିଲା।

ତେଣୁକରି ମୁଁ ବିଶେଷ ଚିନ୍ତା ନକରି ଖେଳାଳିଙ୍କ ଚିଠା ପ୍ରସ୍ତାବରେ ନିଜକୁ ସାମିଲ କରିନଥିଲି’ ବୋଲି ଗେଲ୍ ପ୍ରକାଶ କରିଛନ୍ତି। କ୍ରିକେଟ୍ ବାଦ ବି ଜୀବନ ରହିଛି, ମୁଁ ଏଥି ସହ ଖାପ ଖୁଆଇନେବାକୁ ପ୍ରସ୍ତୁତ’ ଅଛି ବୋଲି ଗେଲ୍ କହିଥିଲେ। ତେବେ ଏହି ଜାମାଇକାନ ମହାନ ଖେଳାଳି ଆସନ୍ତା ଋତୁରେ ଫେରିବାକୁ ଦୁଇଟି ଦଳରୁ ନିମନ୍ତ୍ରଣ ପାଇଥିବା କହିଛନ୍ତି। ଅତୀତରେ ମୁଁ ଯେଉଁ ୩ଟି ଦଳରୁ ପ୍ରତିନିଧିତ୍ବ କରିଛି ସେମାନେ ଏବେ ବି ମୋତେ ଚାହୁଁଛନ୍ତି। ମୁଁ କିନ୍ତୁ ଆର୍‌ସିବି କିମ୍ବା ପଞ୍ଜାବ କିଙ୍ଗ୍ସ ପାଇଁ ଟ୍ରଫି ଜିତିବାକୁ ଆଗ୍ରହୀ ରହିଛି ବୋଲି ପ୍ରକାଶ କରିଥିଲେ ଏହି ବାମହାତୀ ବ୍ୟାଟର୍‌। ୪୨ ବର୍ଷୀୟ ଗେଲ୍‌ ୧୪୨ ଆଇପିଏଲ୍‌ ମ୍ୟାଚ୍‌ରୁ ୪,୯୬୫ ରନ୍‌ ସଂଗ୍ରହ କରିଛନ୍ତି। ୨୦୧୩ ମସିହାରେ ପୁଣେ ୱାରିୟର୍ସ ବିପକ୍ଷରେ ଗେଲ୍‌ଙ୍କ ୧୭୫ ରନ୍‌ ଏବେ ବି ସର୍ବୋଚ୍ଚ ବ୍ୟକ୍ତିଗତ ପାଳିର କୀର୍ତ୍ତିମାନ ବହନ କରୁଛି।

ସମ୍ବନ୍ଧିତ ଖବର