ନ୍ୟୁୟର୍କ: ବିଶ୍ବ ମାନ୍ୟତାର ପୂର୍ବତନ ଏକ ନମ୍ବର ମହିଳା ଟେନିସ୍‌ ତାରକା ଆଞ୍ଜେଲିକ୍‌ କର୍ବର ଏବେ ଅନ୍ତଃସତ୍ତ୍ବା। ଏଥିପାଇଁ ସେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୟୁଏସ୍‌ ଓପନ୍‌ରୁ ଓହରି ଯାଇଛନ୍ତି। ଏନେଇ ବୁଧବାର ଟ୍ବିଟର୍‌ରେ ପୋଷ୍ଟ କରିଛନ୍ତି ତିନି ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ଜର୍ମାନୀର କର୍ବର। ବାମହାତୀ କର୍ବରଙ୍କୁ ଏବେ ୩୪ ବର୍ଷ। ଶେଷଥର ପାଇଁ ୱିମ୍ବିଲଡନ୍‌ରେ ଖେଳିଥିବା ବେଳେ ତୃତୀୟ ରାଉଣ୍ଡରେ ବେଲ୍‌ଜିୟମ୍‌ର ଏଲିସେ ମର୍ତେନ୍ସଙ୍କଠୁ ହାରି ଯାଇଥିଲେ। ୨୦୧୬ରେ ସେ ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ହିଁ ଜିତିଥିଲେ। ଏହାପରେ ସେହିବର୍ଷ ୟୁଏସ୍‌ ଓପନ୍‌ ମଧ୍ୟ ଜିତି ମହିଳା ବିଶ୍ବ ମାନ୍ୟତାର ଶୀର୍ଷକୁ ଲମ୍ଫ ମାରିଥିଲେ। ଏହାର ଦୁଇ ବର୍ଷ ପରେ ଅଲ୍‌ ଇଂଲଣ୍ଡ କ୍ଲବ୍‌ର ଗ୍ରାସ୍‌ କୋର୍ଟରେ ନିଜର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି କରାୟତ କରିଥିଲେ। ‘‘ମୁଁ ପ୍ରକୃତରେ ଏଥରର ୟୁଏସ୍‌ ଓପନ୍‌ ଖେଳିବାକୁ ଚାହୁଥିଲି। କିନ୍ତୁ ଅନ୍ତଃସତ୍ତ୍ବା ଯୋଗୁଁ ପ୍ରତିଯୋଗିତା ଖେଳିବା ବିପଦ ବୋଲି ଭାବିବାରୁ ଓହରିଯିବାକୁ ବାଧ୍ୟ ହୋଇଛି’’ ବୋଲି କର୍ବର ଟ୍ବିଟ୍‌ରରେ ପୋଷ୍ଟ କରିଛନ୍ତି। ଆସନ୍ତା ମାସ ପାଇଁ ମୁଁ ଭ୍ରମଣରୁ ବିରତି ନେବି। ଏହାହିଁ ୟୁଏସ୍‌ ଓପନ୍‌ରୁ ଦୂରେଇ ଯିବାର କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି।