ପରିବାର ନଗ‌ଲେ, ରାହାଣେଙ୍କ ଅସୁବିଧା ନାହିଁ

ମୁମ୍ବାଇ: ସେପ୍ଟେମ୍ବର ୧୯ ତାରିଖରୁ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ଲାଗି ବିସିସିଆଇ ଯଦି ଖେଳାଳିଙ୍କ ସହ ପତ୍ନୀ, ଗର୍ଲଫ୍ରେଣ୍ଡ୍ ଓ ପରିବାର ନେବାକୁ ବାରଣ କରେ ତେବେ ଏଥିରେ ଅଜିଙ୍କ୍ୟ ରାହାଣେଙ୍କର କିଛି ଅସୁବିଧା ନାହିଁ। ପରିବାରକୁ ଦୁବାଇ ନେବାକୁ ଚାହୁଁଥିଲେ ମଧ୍ୟ ସାମ୍ପ୍ରତିକ କୋଭିଡ୍‌-୧୯ ପରିସ୍ଥିତି କାରଣରୁ ସୁରକ୍ଷା ପ୍ରଥମ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତମାନ ସୁରକ୍ଷା ଆଗ, ପରେ କ୍ରିକେଟ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏହି ଭାରତୀୟ ଖେଳାଳି।

ସୂଚନାଯୋଗ୍ୟ, ରାହାଣେ ରାଜସ୍ଥାନ ରୟାଲ୍ସରୁ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ଗତବର୍ଷ ମୁଁ ହାମ୍ପସାୟାର ସହ ଖେଳିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରସ୍ତାବ ଆସିଥିଲା। ମୁଁ କିଛି ଦିନ ସମୟ ନେଇ ନୂଆ କିଛି ଶିଖିବାର ଆଶାରେ ହଁ ମାରିଦେଇଥିଲି। ଏହା ଦ୍ବାରା ମୁଁ ମୋ ଟି-୨୦ ଖେଳକୁ ବି ଆଗକୁ ନେଇପାରିବି। ନୂଆ ଗୋଷ୍ଠୀ ସହିତ ଖେଳିବାକୁ ମୁଁ ଉତ୍ସାହିତ ଅଛି ବୋଲି ୩୨ ବର୍ଷୀୟ ଏହି ଡାହାଣହାତୀ ବ୍ୟାଟସମ୍ୟାନ୍‌ ପ୍ରକାଶ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ମାର୍ଗଦର୍ଶକ ସୌରଭ ଗାଙ୍ଗୁଲିଙ୍କ ସହ ମଧ୍ୟ କାମ କରିବାର ସୁଯୋଗ ମିଳିବ। ଦାଦା ଓ ପଣ୍ଟିଂଙ୍କ ଅଧୀନରେ ଯଦି ମୁଁ ଖେଳିଥା’ନ୍ତି ତେବେ ନିଶ୍ଚିତ ଅଧିକ କିଛି ଶିଖିଥା’ନ୍ତି ବୋଲି କହିଥିଲେ ଏହି ମୁମ୍ବାଇ ବ୍ୟାଟସମ୍ୟାନ୍‌।

ସମ୍ବନ୍ଧିତ ଖବର