ଓ୍ଵକ୍ସ, ବେୟାରଷ୍ଟୋଙ୍କ ରନ୍ ବର୍ଷା
ଲର୍ଡସ୍: ଲର୍ଡସ ଟେଷ୍ଟ୍ର ଦ୍ୱିତୀୟ ଦିବସରେ ଭାରତର ଓ୍ଵିକେଟ୍ ଝଡ଼ ଦେଖିବାକୁ ମିଳିଥିଲା। ଶନିବାର ତୃତୀୟ ଦିବସରେ କିନ୍ତୁ ଇଂଲଣ୍ଡ୍ ରନ୍ ବର୍ଷା କରିଛି। ଖରାପ ଆଲୋକ କାରଣରୁ ଆଗୁଆ ଖେଳ ବନ୍ଦ ବେଳକୁ ଇଂଲଣ୍ଡ ୬ ଓ୍ଵିକେଟ୍ରେ ୩୫୭ ରନ୍ ସଂଗ୍ରହ କରିଥିଲା। ହାତରେ ୪ ଓ୍ଵିକେଟ୍ ଥାଇ ୨୫୦ ରନ୍ର ବଡ଼ ଅଗ୍ରଣୀ ନେଇ ଜୋ ରୁଟ୍ଙ୍କ ଘରୋଇ ଦଳ ମଧ୍ୟ ନିଜ ସ୍ଥିତି ଦୃଢ଼ କରିସାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥ ଦୁଇ ଦିନ ବର୍ଷା ଖେଳିଥିଲା। ଶନିବାର କିନ୍ତୁ ଲର୍ଡସରେ ସୂର୍ଯ୍ୟକିରଣର ତେଜ ବେଶ୍ ପଡ଼ିଥିଲା। ଫଳତଃ ଖେଳ ଠିକଣା ସମୟରେ ଆରମ୍ଭ ହୋଇଥିଲା। ଭାରତର ଦୟନୀୟ ପ୍ରଥମ ପାଳି ସ୍କୋର୍ ୧୦୭ ରନ୍ ଜବାବରେ ଇଂଲଣ୍ଡ ଭଲ ଆରମ୍ଭ କରିଥିଲା। ଭାରତୀୟ ବୋଲର ପ୍ରଥମରୁ ମାମୁଲି ସାବ୍ୟସ୍ତ ହୋଇଥିଲେ ମଧ୍ୟ କ୍ରମେ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଈଶାନ୍ତ ଶର୍ମାଙ୍କ ଶୃଙ୍ଖଳିତ ବୋଲିଂ ନଜରକୁ ଆସିଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କିଟନ୍ ଜେନିଙ୍ଗ୍ସଙ୍କୁ ସାମି ଏଲ୍ବିଡବ୍ଲ୍ୟୁ କରି ଦେଇଥିଲେ। ପରବର୍ତୀ ଓଭରରେ କୁକ୍ଙ୍କୁ ଈଶାନ୍ତ ଓ୍ଵିକେଟ୍ ପଛପଟେ କାର୍ତିକଙ୍କ ହାତରେ ଧରାଇ ନେଇଥିଲେ। ଅଧିନାୟକ ଜୋ ରୁଟ୍ ଏବଂ ପଦାର୍ପଣକାରୀ ୨୦ ବର୍ଷୀୟ ଓଲି ପୋପ୍ ତୃତୀୟ ଓ୍ଵିକେଟ୍ ପାଇଁ ୪୫ ରନ୍ ଯୋଡ଼ିଥିଲେ। ପୋପ୍ଙ୍କୁ ପାଣ୍ଡ୍ୟା ପ୍ଲମ୍ଭ କରିଦେବା ପରେ ଭାରତ ପୁଣି ଲେଉଟିଥିଲା। ଜୋ ରୁଟ୍ଙ୍କୁ ସାମି ଅନୁରୂପ ଭାବେ ଆଉଟ୍ କରି ମଧ୍ୟାହ୍ନ ଭୋଜନ ବେଳକୁ ଇଂଲଣ୍ଡକୁ ୮୯/୪ ସ୍ଥିତିରେ ରଖିଥିଲେ। ଜୋସ୍ ବଟଲର୍ଙ୍କୁ ସାମି ନିଜର ତୃତୀୟ ଶିକାର କରିଥିଲେ। ଇଂଲଣ୍ଡ ୧୩୧/୫ରେ ଥିବାବେଳେ ଓ୍ଵିକେଟରକ୍ଷକ ଜନି ବେୟାରଷ୍ଟୋ (୯୩, ୧୪୪ ବଲ୍, ୧୨ ଚୌକା) ଏବଂ ଆହତ ସମସ୍ୟାରୁ ଫେରିଥିବା ଅଲ୍ରାଉଣ୍ଡର୍ କ୍ରିସ୍ ଓ୍ଵକ୍ସ (୧୨୦*, ୧୫୯ ବଲ୍, ୧୮ ଚୌକା)ଙ୍କ ମଧ୍ୟରେ ହୋଇଥିବା ୪୩.୩ ଓଭର ଓ ୧୮୯ ରନ୍ ଭାଗୀଦାରି ଭାରତକୁ ଏହି ମ୍ୟାଚ୍ରେ ଏକ ପ୍ରକାର ପରାଜୟ ମୁହାଁ କରିଦେଇଛି। ବେୟାରଷ୍ଟୋଙ୍କୁ ପାଣ୍ଡ୍ୟା କଟ୍ ବିହାଇଣ୍ଡ୍ କରାଇ ଶତକରୁ ବଞ୍ଚିତ ରଖିଥିଲେ। କ୍ରିସ୍ ଓ୍ଵକ୍ସ କିନ୍ତୁ ନିଜ ପ୍ରଥମ ଟେଷ୍ଟ୍ ଶତକକୁ ଲର୍ଡସରେ ଜମାଇ ସ୍ମରଣୀୟ ସ୍ମୃତି ଛାଡ଼ିଥିଲେ। ଐତିହାସିକ ଲର୍ଡସରେ ପୂର୍ବରୁ ପାଳିରେ ୫ ଓ୍ଵିକେଟ୍ ଏବଂ ମ୍ୟାଚ୍ରେ ୧୦ ଓ୍ଵିକେଟ୍ ନେଇଥିବାରୁ ଶତକକୁ ମିଶାଇ ତ୍ରିମୂଖି ସଫଳତା ଅର୍ଜନରେ ଓ୍ଵକ୍ସ ବିଶ୍ୱର ପଞ୍ଚମ କ୍ରିକେଟର୍ ହୋଇଛନ୍ତି।