କାକାମିଗହରା: ଗତ ସପ୍ତାହରେ ଭାରତୀୟ ପୁରୁଷ ଦଳ ଏସିଆ କପ୍ ହକି ବିଜେତା ହୋଇଥିଲା ବେଳେ ଏବେ ମହିଳା ଦଳ ବୃହତ୍ ବିଜୟରୁ ଏସିଆ କପ୍ ଅଭିଯାନ ଆରମ୍ଭ କରିଛି। ଶନିବାରଠାରୁ ଏଠାରେ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍ରେ ଭାରତ ତା’ର ପ୍ରଥମ ମୁକାବିଲାରେ ସିଙ୍ଗାପୁରକୁ ୧୦-୦ ଗୋଲ୍ରେ ପରାସ୍ତ କରି ଦମ୍ଦାର ଆରମ୍ଭ କରିଛି। ମ୍ୟାଚ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତର ଆଧିପତ୍ୟ ଜାରି ରହିଥିଲା। ତୃତୀୟ ମିନିଟ୍ରୁ ଗୋଲ୍ ଅଭିଯାନ ଆରମ୍ଭ ହୋଇ ୫୦ ମିନିଟ୍ରେ ଶେଷ ହୋଇଥିଲା। ନଭ୍ନୀତ୍ କୌର (୩ ଓ ୪୧ ମିନିଟ୍), ରାଣୀ (୧୫ ଓ ୧୮ ମିନିଟ୍) ଏବଂ ନଭ୍ଜୋତ୍ କୌର (୩୦ ଓ ୫୦ ମିନିଟ୍) ଦୁଇଟି ଲେଖାଏଁ ଗୋଲ୍ କରିଥିଲା ବେଳେ ଲାଲ୍ରେମ୍ସିଆମି (୧୮ ମିନିଟ୍), ଓଡ଼ିଆ ଝିଅ ଦୀପ୍ ଗ୍ରେସ୍ ଏକ୍କା (୨୫ ମିନିଟ୍), ଗୁର୍ଜିତ୍ କୌର (୪୧ ମିନିଟ୍) ଓ ସୋନିକା (୪୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ଭାରତକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ଭାରତ ଲାଗ ଲାଗ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ପ୍ରଥମ ପେନାଲ୍ଟିକୁ ସିଙ୍ଗାପୁର ଗୋଲ୍ରକ୍ଷିକା ଫେଲିସା ଲାଇ ବଞ୍ଚାଇ ଦେଇଥିଲେ ମଧ୍ୟ ନଭ୍ନୀତ୍ ଦ୍ୱିତୀୟ ପେନାଲ୍ଟିକୁ ଗୋଲ୍ରେ ରୂପାନ୍ତରିତ କରିଥିଲେ। ଏହାପରେ ରାଣୀଙ୍କ ଗୋଲ୍ ଭାରତକୁ ପ୍ରଥମ କ୍ୱାର୍ଟରରେ ୨-୦ର ଅଗ୍ରଣୀ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ବି ଆକ୍ରମଣକୁ ଜୋର୍ଦାର କରି ଭାରତ ଆଉ ୪ ଗୋଲ୍ ଲଦି ଦେଇଥିଲା। ଫଳରେ ପ୍ରଥମାର୍ଧ ଶେଷ ବେଳକୁ ଭାରତ ୬-୦ ଗୋଲ୍ରେ ଆଗେଇ ଯାଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଦୀପ୍ ଗ୍ରେସ୍ ପେନାଲ୍ଟି କର୍ନରରୁ ଚମତ୍କାର ଗୋଲ୍ କରିଥିଲେ। ଏହାପରେ ଗୁର୍ଜିତ୍ଙ୍କ ଡ୍ରାଗ୍ ଫ୍ଲିକ୍ରୁ ଦଳକୁ ପେନାଲ୍ଟି କର୍ନର ଜରିଆରେ ସପ୍ତମ ଗୋଲ୍ ମିଳିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ୨ଟି ଗୋଲ୍ ଯୋଡ଼ିଥିଲା ବେଳେ ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଆଉ ୩ ଗୋଲ୍ କରି ବ୍ୟବଧାନ ୧୦-୦ କରିଦେଇଥିଲା।
ଭାରତ-ସିଙ୍ଗାପୁର ମୁକାବିଲା ପୂର୍ବରୁ ଶନିବାର ପ୍ରଥମ ଦିବସରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଚୀନ୍ ବିଜୟୀ ହୋଇଥିଲା। ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଚୀନ୍ ୫-୪ ଗୋଲ୍ରେ ମାଲେସିଆକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।