ମହିଳା ଫୁଟ୍‌ବଲ୍‌ ରେଫରିଙ୍କୁ ଅଣଦେଖା

ଛତିଆ : କ୍ରୀଡା ଓ କ୍ରୀଡାବିତ୍‌ମାନଙ୍କ ବିକାଶ ପାଇଁ ସରକାର ବହୁ ଯୋଜନା ପ୍ରସ୍ତୁତ କରିଥିବା ବେଳେ ତାହା ଅନେକ ସ୍ଥାନରେ ସଠିକ୍‌ ଭାବରେ କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ ହେଉଛି । ବହୁ ଗ୍ରାମାଞ୍ଚଳ କ୍ରୀଡାବିତ୍‌ ପ୍ରତିଭା ଥାଇ ମଧ୍ୟ ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକ୍‌ରେ। ଜଣେ ପ୍ରତିଭାବାନ୍‌ ଯୁବ ମହିଳା ରେଫରି ଏବେ ପ୍ରଶାସନିକ ଅବହେଳାର ଶିକାର ହୋଇଛନ୍ତି। ସେ ହେଉଛନ୍ତି ବଡଚଣା ବ୍ଲକ୍‌ ଅଧିନସ୍ଥ ଖଏରା ଗ୍ରାମର ମିନତୀ ବରାଳ ଓ ଶରତ ବରାଳଙ୍କ ଏକମାତ୍ର ଝିଅ ରିତାଲି ବରାଳ(୨୩)।
୨୦୦୮ ମସିହାରୁ ଫୁଟ୍‌ବଲ ଖେଳରେ ରୁଚି ରଖି ଗାଁ ପଡିଆରେ ଖେଳ ଆରମ୍ଭ କରିଥିଲେ। ୨୦୧୧-୧୨ ମସିହାରେ ଆଗ୍ରାହାଟ, ୨୦୧୨-୧୩ରେ ଭଦ୍ରକ, ୨୦୧୩-୧୪ରେ ଯାଜପୁର ଜିଲ୍ଲା ତରଫରୁ ଉନ୍ନତ ପ୍ରଦର୍ଶନ କରିିଥିଲେ। ୨୦୧୨-୧୩ରେ ମହିଳା ରେଫରି ଭାବେ ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିଲେ। ନଭେମ୍ବର ୨୦୧୬ରେ ଦିଲ୍ଲୀଠାରେ ଅନୁଷ୍ଠିତ ଫିଫା, ସର୍ବଭାରତୀୟ ଫୁଟ୍‌ବଲ ସଂଘ ତରଫରୁ ଏମଏ ମହିଳା ରେଫରି କୃତିତ୍ୱ ଅର୍ଜନ କରି ଦେଶର ବିଭିନ୍ନ ରାଜ୍ୟରେ ପ୍ରତିଯୋଗିତା ପରିଚାଳନା କରୁଛନ୍ତି। ବିପିଏଲ୍‌ ଶ୍ରେଣୀଭୁକ୍ତ ପରିବାରରେ ଜନ୍ମିତ ରିତାଲି ବହୁ କଷ୍ଟରେ କ୍ରୀଡା ଜୀବନ ବିତାଇଥିବା କହିଛନ୍ତି। ନିଜ ଗାଁ ସ୍କୁଲ ଇର୍ଜର୍ଟନ ଉପ୍ରା ବିଦ୍ୟାଳୟ, ବାଳିକା ଉଚ୍ଚବିଦ୍ୟାଳୟ, କନିଷ୍ଠ ମହିଳା ମହାବିଦ୍ୟାଳୟ ଏବଂ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରଛନ୍ତି। ସେ ଏବେ କାଟାଗୋରୀ-୩ ରେଫରି ପାଇଁ ଜାତୀୟସ୍ତରରେ କାର୍ଯ୍ୟ କରିଚାଲିଛନ୍ତି। ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରି ଭାରତ ବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଓଡ଼ିଶା ପାଇଁ ଗର୍ବ ମଧ୍ୟ ଆଣିଛନ୍ତି। ମାତ୍ର କ୍ରୀଡାବିଭାଗ ତରଫରୁ ଏ ପର୍ଯ୍ୟନ୍ତ ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ । ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ କ୍ରୀଡାବିତ୍‌ଙ୍କ ପାଇଁ ସଂରକ୍ଷିତ ଚାକିରି କ୍ଷେତ୍ରରେ ବାରମ୍ବାର ଆବେଦନ କରି ମଧ୍ୟ ଏ ପର୍ଯ୍ୟନ୍ତ ଚାକିରି ଖଣ୍ଡିଏ ପାଇପାରିଲେ ନାହିଁ। ମାତ୍ର ଅନ୍ୟମାନେ ସଂରକ୍ଷଣରେ ଚାକିରି ପାଉଥିବା ଅଭିଯୋଗ ହେଉଛି । ତୁରନ୍ତ ରିତାଲି ବରାଳଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ କ୍ରୀଡାବିତ୍‌ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର