ମହିଳା ‘ଏ’ ଶୃଙ୍ଖଳା ବାତିଲ୍‌ ଆଶଙ୍କା

କଟକ: ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଭାରତ ଓ ବାଂଲାଦେଶ ‘ଏ’ ଦଳ ମଧ୍ୟରେ ତିନିଟି ଲେଖାଏଁ ମ୍ୟାଚ୍‌ ବିଶିଷ୍ଟ ମହିଳା ଦିନିକିଆ ଓ ଟେ୍ଵଣ୍ଟି-୨୦ ଶୃଙ୍ଖଳା ବାତିଲ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଶୃଙ୍ଖଳା ଆୟୋଜନ ପାଇଁ ଓସିଏ (ଓଡ଼ିଶା କ୍ରିକେଟ୍‌ ସଂଘ)କୁ ବିସିସିଆଇ ଜଣାଇବାର ଗୋଟିଏ ଦିନ ପରେ ଏଭଳି ଆଶଙ୍କା ଦେଖାଦେଇଛି। ପ୍ରାଥମିକ ଭାବେ ଓସିଏ ଏଥିପାଇଁ ସମ୍ମତି ଜଣାଇଥିଲା। ହେଲେ ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀମାନେ ରହିବା ପାଇଁ ହୋଟେଲ୍‌ର ଅଭାବ ରହୁଥିବାରୁ ଏହି ସମସ୍ୟା ଉପୁଜିଛି। ଖେଳାଳିମାନଙ୍କୁ କେବଳ ମେ ଫେୟାର କିମ୍ବା ଟ୍ରାଇଡେଣ୍ଟରେ ରଖାଯିବାକୁ ବିସିସିଆଇ କହିଥିଲା। କିନ୍ତୁ ଡିସେମ୍ବର ପ୍ରଥମ ସପ୍ତାହରୁ ବିଶ୍ୱ ହକି ଲିଗ୍‌ ପାଇଁ ସମସ୍ତ ହୋଟେଲ୍‌ ବୁକ୍‌ ହୋଇସାରିଛି। ତେବେ ଅନ୍ୟ କୌଣସି ହୋଟେଲ୍‌ରେ ରଖାଯିବାକୁ ଓସିଏ ପରାମର୍ଶ ଦେଇଥିଲେ ବି ବିସିସିିଆଇ ତାହାକୁ ଅଗ୍ରାହ୍ୟ କରିଦେଇଛି। ତେଣୁ ହୋଟେଲ୍‌ ସମସ୍ୟା ଯୋଗୁଁ ଓଡ଼ିଶାରୁ ଏହି ଶୃଙ୍ଖଳା ଫେରିଯିବା ୯୦ ପ୍ରତିଶତ ନିଶ୍ଚିତ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର