ବାଂଲାଦେଶ ଗସ୍ତ ଓ ମହିଳା ଏସିଆ କପ୍‌: ଭାରତ-ଏ ଦଳରେ ସୁଶ୍ରୀ

ଭୁବନେଶ୍ବର: ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଆଗାମୀ ବାଂଲାଦେଶ ଗସ୍ତ ସାଙ୍ଗକୁ ଏମର୍ଜିଂ ମହିଳା ଏସିଆ କପ୍‌ ପାଇଁ ଭାରତ-ଏ ଦଳରେ ସ୍ଥାନ ପାଇଛନ୍ତି। ଦେବିକା ବୈଦ୍ୟଙ୍କ ନେତୃତ୍ବରେ ଏହି ଦୁଇଟି ଗସ୍ତ ପାଇଁ ମଙ୍ଗଳବାର ଦଳ ଘୋଷଣା ହୋଇଛି ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏକ ଇସ୍ତାହାରରେ ସ୍ପଷ୍ଟ କରିଛି। ଘୋଷିତ ୧୫ ଜଣିଆ ଦଳରେ ଏକମାତ୍ର ଓଡ଼ିଆ ଭାବେ ସୁଶ୍ରୀ ସାମିଲ ହୋଇଛନ୍ତି। ଦଳରେ ଏସ୍‌ ‌ମେଘନା ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି। ହେମଲତା କାଲାଙ୍କ ଅଧ୍ୟକ୍ଷତାରେ ଗଠିତ ବିସିସିଆଇ ଚୟନ କମିଟି ଏହି ଦଳ ବାଛିଛି।

ଭାରତ-ଏ ଦଳ ବାଂଲାଦେଶ ଗସ୍ତରେ ମୋଟ ୬ (୩ ଦିନିକିଆ ଓ ୩ ଟ୍ବେଣ୍ଟି-୨୦) ମ୍ୟାଚ୍‌ ଖେଳିବ। ବାଂଲାଦେଶ-ଏ ବିପକ୍ଷ ସମସ୍ତ ଦିନିକିଆ ମ୍ୟାଚ୍‌ କକ୍ସ ବଜାରସ୍ଥିତ ସେକ୍‌ କମଲ ଇଣ୍ଟରନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିଲା ବେଳେ ଟ୍ବେଣ୍ଟି-୨୦ ମ୍ୟାଚ୍‌ଗୁଡ଼ିକ ଚଟ୍ଟୋଗ୍ରାମର ଜହୁର ଅହମ୍ମଦ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଦିନିକିଆ ଶୃଙ୍ଖଳା ଚଳିତ ବର୍ଷ ଅକ୍ଟୋବର ୪, ୬ ଓ ୮ ତାରିଖରେ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳା ଅକ୍ଟୋବର ୧୧, ୧୨ ଓ ୧୪ ତାରିଖରେ ଖେଳାଯିବ। ଏହାପରେ ଭାରତ-ଏ ଦଳ ଏମର୍ଜିଂ ମହିଳା ଏସିଆ କପ୍‌ ଖେଳିବା ପାଇଁ ସେଠାରୁ ଶ୍ରୀଲଙ୍କା ଗସ୍ତ କରିବ। ଏସିଆ କପ୍‌ ଶ୍ରୀଲଙ୍କାରେ ଅକ୍ଟୋବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଭାରତ-ଏ ଦଳ: ଦେବିକା ବୈଦ୍ୟ (ଅଧିନାୟିକା), ଏସ୍‌ ମେଘନା (ଉପଅଧିନାୟିକା), ୟାସ୍ତିକା ଭାଟିଆ, ତେଜଲ ହାସବ୍‌ନିସ୍‌, ତନୁଶ୍ରୀ ସର୍‌କାର, ସିମ୍ରନ୍‌ ଦିଲ୍‌ ବାହାଦୁର, ନୁଜହାତ୍‌ ପର୍ବିନ୍‌, ଆର୍‌ କଳ୍ପନା, ମନାଲି ଦକ୍ଷିଣି, କାସ୍‌ମା ସିଂହ, ଅଞ୍ଜଳି ସର୍‌ୱାନି, ମିନୁ ମଣୀ, ସୁଶ୍ରୀ ଦିବ୍ୟଦର୍ଶିନୀ, ଟିପି କନ୍‌ୱାର ଏବଂ ରାଶି କାନୋଜିଆ।

ସମ୍ବନ୍ଧିତ ଖବର