କୁଆଲାଲୁମ୍ପୁର: ଏଠାରେ ଚାଲିଥିବା ମହିଳା ଏସିଆ କପ୍ ଟେ୍ଵଣ୍ଟି-୨୦ ପ୍ରତିଯୋଗିତାରେ କ୍ରମାଗତ ଦୁଇଟି ବିଜୟ ପରେ ପ୍ରଥମ ଥର ଲାଗି ବାଂଲାଦେଶ ନିକଟରୁ ହାରିଯାଇଥିବା ଭାରତ ଗୁରୁବାର ଅଲ୍ରାଉଣ୍ଡ୍ ପ୍ରଦର୍ଶନ ବଳରେ ପୁଣି ବିଜୟଧାରାକୁ ଫେରିଛି। ମାଲେସିଆ ଏବଂ ଥାଇଲାଣ୍ଡକୁ ହରାଇଥିବା ଭାରତ ବୁଧବାର ବାଂଲାଦେଶଠୁ ୭ ଓ୍ଵିକେଟ୍ରେ ହାରି ଯାଇଥିଲା। ତେବେ ଗୁରୁବାର ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍ରେ ପରାସ୍ତ କରି ୪ ମ୍ୟାଚ୍ରୁ ତୃତୀୟ ବିଜୟ ପାଇଛି। ଏଥି ସହିତ ଫାଇନାଲ୍ ଖେଳିବା ଆଶା ମଧ୍ୟ ବଳବତ୍ତର ରଖିଛି। ସମସ୍ତ ଦଳ ଏବେ ୪ ଲେଖାଏଁ ମ୍ୟାଚ୍ ଖେଳି ସାରିଥିଲା ବେଳେ ଭାରତ ସହିତ ପାକିସ୍ତାନ ଓ ବାଂଲାଦେଶ ସମାନ ୬ ପଏଣ୍ଟ୍ ଲେଖାଏଁ ପାଇଛନ୍ତି। କେବଳ ଉନ୍ନତ ରନ୍ରେଟ୍ରେ ଭାରତ (୨.୭୦୯) ପଏଣ୍ଟ୍ ତାଲିକାରେ ପାକିସ୍ତାନ (୨.୬୦୨) ଓ ବାଂଲାଦେଶ (୦.୪୫୪)ଠୁ ଉପରେ ରହିଛି। ଶ୍ରୀଲଙ୍କା ୪ ପଏଣ୍ଟରେ ଅଟକିଯାଇଛି। ପ୍ରତ୍ୟେକ ଦଳ ଆଉ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବାକୁ ଥିବାରୁ ଫାଇନାଲ୍ ଦୌଡ଼ ନିଶ୍ଚିତ ହୋଇପାରିନାହିଁ।
ଟସ୍ ଜିତିି ବ୍ୟାଟିଂ କରିଥିବା ଶ୍ରୀଲଙ୍କା ହାସିନି ପେରେରା (୪୬) ଓ ଯଶୋଦା ମେଣ୍ଡିସ୍ (୨୭)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ବଳରେ ୭ ଓ୍ଵିକେଟ୍ ବିନିମୟରେ କରିଥିଲା ୧୦୭ ରନ୍। ଭାରତ ପକ୍ଷରୁ ସଫଳ ବୋଲର ଭାବେ ବାମହାତୀ ସ୍ପିନର ଏକ୍ତା ବିସ୍ତ ୨୦ ରନ୍ରେ ୨ ଓ୍ଵିକେଟ୍ ପାଇଥିଲା ବେଳେ ଝୁଲଣ ଗୋସ୍ୱାମୀ, ଅନୁଜା ପାଟିଲ ଓ ପୂନମ୍ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ମିତାଲି ରାଜ୍ (୨୩), ସ୍ମୃତି ମାନ୍ଧାନା (୧୨), ଅଧିନାୟିକା ହର୍ମନ୍ପ୍ରୀତ୍ କୌର (୨୪)ଙ୍କ ଓ୍ଵିକେଟ୍ ହରାଇବା ପରେ ଭେଡା କୃଷ୍ଣମୂର୍ତି (୨୯*) ଓ ଅନୁଜା ପାଟିଲ (୧୯*)ଙ୍କ ଅପରାଜିତ ପାଳି ବଳରେ ଭାରତ ୭ ବଲ୍ ପୂର୍ବରୁ ୧୧୦ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅନୁଜା ପାଟିଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ତା’ର ଶେଷ ମ୍ୟାଚ୍ ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବ। ଫାଇନାଲ୍ ସ୍ଥାନ ସୁରକ୍ଷିତ କରିବା ପାଇଁ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ‘କର ବା ମର’ ସଦୃଶ ହେବ।
ମିତାଲିଙ୍କ କୀର୍ତିମାନ
୨୦୦୦ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ରନ୍ କରିବାରେ ପ୍ରଥମ ଭାରତୀୟ
କୁଆଲାଲୁମ୍ପୁର, ୭|୬: ମହିଳା ଏସିଆ କପ୍ ଟେ୍ଵଣ୍ଟି-୨୦ ପ୍ରତିଯୋଗିତା ଅବସରରେ ପୂର୍ବତନ ଅଧିନାୟିକା ମିତାଲି ରାଜ୍ ଏକ ଭାରତୀୟ କୀତିମାନ ପ୍ରତିଷ୍ଠା କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ୨୩ ରନ୍ କରିଥିବା ମିତାଲି ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୨୦୦୦ ରନ୍ ପୂରଣ କରିଥିଲେ। ଆଉ ଏକ୍ଷେତ୍ରରେ ସେ ମଧ୍ୟ ପୁରୁଷ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଟପି ପ୍ରଥମ ଭାରତୀୟ ହେବାର ଗୌରବ ପାଇଥିଲେ। ୨୦୧୦ରୁ ଟେ୍ଵଣ୍ଟି-୨୦ ପଦାର୍ପଣ କରିଥିବା କୋହଲି ଇତି ମଧ୍ୟରେ ୫୭ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ମୋଟ ୧୯୮୩ ରନ୍ କରିଥିଲା ବେଳେ ମିତାଲିଙ୍କ ମୋଟ ରନ୍ ୨୦୧୫ରେ ପହଞ୍ଚିଛି। ମିତାଲି ଏଥିପାଇଁ ୭୪ ମ୍ୟାଚ୍ ଖେଳିଛନ୍ତି। ମିତାଲିଙ୍କ କୀର୍ତିମାନଭରା ୨୦୦୦ ରନ୍ ମଧ୍ୟରେ ୧୪ ଅର୍ଧଶତକ ସାମିଲ ରହିଛି। ଆନ୍ତର୍ଜାତିକ ଟେ୍ଵଣ୍ଟି-୨୦ରେ ମିତାଲିଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍ ୭୬ ଥିଲା ବେଳେ କୋହଲିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ୯୦ ରହିଛି। ୩୫ ବର୍ଷ ବୟସ୍କା ମିତାଲି ମଧ୍ୟ ଭାରତୀୟ ମହିଳା କ୍ରିକେଟର୍ଙ୍କ ମଧ୍ୟରୁ ସର୍ବାଧିକ ମ୍ୟାଚ୍ ଖେଳିବାର କୀର୍ତିମାନ ପାଇଛନ୍ତି। ତେବେ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ୨୦୦୦ ରନ୍ ପୂରଣ କରିବାରେ ମିତାଲି ବିଶ୍ୱର ସପ୍ତମ ମହିଳା କ୍ରିକେଟର୍ ହୋଇଛନ୍ତି। ମହିଳା କ୍ରିକେଟର୍ ଭାବେ ଚାର୍ଲୋଟେ ଏଡ୍ଓ୍ଵାର୍ଡ (୨୬୦୫), ଷ୍ଟିଫାନି ଟେଲର (୨୫୮୨) ଓ ସୁଜି ବେଟ୍ସ (୨୫୧୫) ସର୍ବାଧିକ ରନ୍ ତାଲିକାର ପ୍ରଥମ ତିନି ସ୍ଥାନରେ ରହିଥିଲା ବେଳେ ପୁରୁଷ କ୍ରିକେଟର୍ ଭାବେ ମାର୍ଟିନ୍ ଗପ୍ଟିଲ (୨୨୭୧), ବ୍ରେଣ୍ଡନ ମ୍ୟାକ୍ଲମ୍ (୨୧୪୦) ଏବଂ ବିରାଟ କୋହଲି (୧୯୮୩) ପ୍ରଥମ ତିନି ସ୍ଥାନ ଅକ୍ତିଆର କରିଛନ୍ତି। ମିତାଲିଙ୍କ କିର୍ତିମାନ ପାଇଁ ଗୁରୁବାର ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଏବଂ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ନିଜ ନିଜ ଟ୍ଵିଟର୍ରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୂର୍ବରୁ ମିତାଲି ମଧ୍ୟ ସର୍ବାଧିକ ଦିନିକିଆ ମ୍ୟାଚ୍ ଖେଳିବାର କୀର୍ତିମାନ ପାଇଥିଲେ। ସେ ଇଂଲଣ୍ଡ ଅଧିନାୟିକା ଚାର୍ଲୋଟେ ଏଡ୍ଓ୍ଵାର୍ଡସ୍ (୧୯୧)ଙ୍କୁ ଟପି ଯାଇଥିଲେ। ମିତାଲିଙ୍କ ନାମରେ ଏବେ ୧୯୪ ଦିନିକିଆ ମ୍ୟାଚ୍ ଏବଂ ମୋଟ ୬୩୭୩ ରନ୍ ରହିଛି। ଯାହାକି ବିଶ୍ୱର ଯେକୌଣସି ମହିଳା କ୍ରିକେଟର୍ଙ୍କ ତୁଳନାରେ ସର୍ବାଧିକ।