୧୯ ବର୍ଷରୁ କମ୍‌ ମହିଳା ଦିନିକିଆ: ସୁଚିସ୍ମିତାଙ୍କ ଅଲରାଉଣ୍ଡ ପ୍ରଦର୍ଶନରେ ଓଡ଼ିଶା ବିଜୟୀ

କଟକ: ସୁଚିସ୍ମିତା ପଣ୍ଡାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ୧୯ ବର୍ଷରୁ କମ୍‌ ମହିଳା ଦିନିକିଆରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଧ୍ୟପ୍ରଦେଶର ହୋଲ୍‌କର ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୨୨୫ ରନ୍‌ରେ ସିକ୍କିମ୍‌କୁ ହରାଇଛି। ଟସ୍‌ ଜିତି ଓଡ଼ିଶା ବ୍ୟାଟିଂ କରିଥିଲା ବେଳେ ୮ ୱିକେଟ୍‌ ବିନିମୟରେ ୨୮୩ ରନ୍‌ କରିଥିଲା। ଅଧିନାୟିକା ତନ୍ମୟୀ ବେହେରା ୮୮, ସୁଚିସ୍ମିତା ୫୦*, ଅଲିପ୍ସା ବିଶ୍ବାଳ ୪୧ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ।

ପ୍ରତିପକ୍ଷର ସବିତା, ଲିଜା, ମେଣୁକା ଗୁରୁଙ୍ଗ ପ୍ରତ୍ୟେକ ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ତେବେ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ସିକ୍କିମ୍‌ ବିପର୍ଯ୍ୟୟର ସାମ୍ନା କରିଥିଲା ବେଳେ ମାତ୍ର ୫୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଅଧିନାୟିକା ଦିକ୍‌ଚା (୨୨)ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଏକ ଅଙ୍କରେ ରହିଯାଇଥିଲେ। ଏପରିକି ୬ଜଣ ଖାତା ଖୋଲିପାରିନଥିଲେ। ସୁଚିସ୍ମିତା ୫ ୱିକେଟ୍‌ ନେଇ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ବେଳେ ଏସ୍‌ବି ଲରେନ୍ସ ୨, କାଳାନ୍ସି, ଭବାନୀ ଧଡ଼ା ଓ ଅଙ୍କିତା ଗିରି ୧ ୱିକେଟ୍‌ ଲେଖାଏଁ ନେଇଥିଲେ। ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ ଗୁରୁବାର ମିଜୋରାମ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର