ମହିଳା ମୁଷ୍ଟିଯୁଦ୍ଧ: ଷଷ୍ଠ ସ୍ବର୍ଣ୍ଣଠୁ ଗୋଟିଏ ପାଦ ଦୂରରେ ମେରି କମ୍‌

ନୂଆଦିଲ୍ଲୀ: ବିଶ୍ବ ମହିଳା ମୁଷ୍ଟି ଯୁଦ୍ଧ ପ୍ରତିଯୋଗିତାରେ ବ୍ୟକ୍ତିଗତ ଷଷ୍ଠ ସ୍ବର୍ଣ୍ଣ ପଦକଠୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି ଭାରତୀୟ ତାରକା ଏମ୍‌ସି ମେରିକମ୍‌। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମସ୍ଥିତ କେଡି ଯାଦବ ଇନ୍‌ଡୋର ହଲ୍‌ରେ ଗୁରୁବାର ‌ଖେଳା ଯାଇଥିବା ୪୮ କିଲୋଗ୍ରାମ ବର୍ଗ ସେମିଫାଇନାଲ୍‌ରେ ଏହି ୫ ଥର ବିଶ୍ବ ବିଜୟିନୀ ୫-୦ରେ ଉତ୍ତର କୋରିଆର କିମ୍‌ ହ୍ୟାଙ୍ଗ୍‌ ମି’ଙ୍କୁ ଧରାଶାୟୀ କରିଥିଲେ। ଫଳରେ ସପ୍ତମ ଥର ଲାଗି ଏହି ମଣିପୁରୀ ମା’ ବିଶ୍ବ ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ପୂର୍ବ ୬ ଥର ଫାଇନାଲ୍‌ ଯାଇଥିବା ୩୫ ବର୍ଷୀୟା ମେରିକମ୍‌ ୫ ସ୍ବର୍ଣ୍ଣ ଏବଂ ଗୋଟିଏ ‌ରୌପ୍ୟ ପଦକ କରାୟତ କରି ସାରିଛନ୍ତି। ଶନିବାର ଫାଇନାଲ୍‌ରେ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ମେରି କମ୍‌ ୟୁକ୍ରେନ୍‌ର ହାନ୍ନା ଓଖୋତାଙ୍କୁ ଭେଟିବେ। ଓଖୋତା ସେମିଫାଇନାଲ୍‌ରେ ଜାପାନ୍‌ର ମାଦୋକା ୱାଦାଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପହଞ୍ଚିଥିଲେ। ଅନ୍ୟତମ ଭାରତୀୟ ଲଭ୍‌ଲିନ୍‌ ବୋରଗୋହାଇଁ କାଂସ୍ୟରେ ସନ୍ତୁଷ୍ଠ ହୋଇଛନ୍ତି। ୬୯ କିଲୋଗ୍ରାମ୍‌ ବର୍ଗ ସେମିଫାଇନାଲ୍‌ରେ ୨୧ ବର୍ଷୀୟା ଆସାମୀ ଝିଅ ଲଭ୍‌ଲିନା ୦-୪ରେ ଚାଇନିଜ୍‌ ତାଇପେର ଚେନ୍‌ ନିନ୍‌ ଚେନ୍‌ଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର