ମହିଳା କ୍ରିକେଟ: ଦକ୍ଷିଣ ଆଫ୍ରିକାରେ ଡବଲ ଧମାକା ଦେଖାଇ ଇତିହାସ ରଚିବା ଲକ୍ଷ୍ୟରେ ଭାରତ

କେପ୍‌ଟାଉନ୍‌: ଦିନିକିଆ ଶୃଙ୍ଖଳାକୁ କବ୍‌ଜା କରିବା ପରେ ଟି-୨୦ ଶୃଙ୍ଖଳାରେ ୨-୧ ଆଗରେ ଥିବା ଭାରତୀୟ ମହିଳା କ୍ରିକେଟ ଟିମ୍‌ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ମ ତଥା ଅନ୍ତିମ ଟି-୨୦ର ମୁକାବିଲା କରି ଇତିହାସ ରଚିବା ଲକ୍ଷ୍ୟ ରଖିବ। ପୂର୍ବରୁ ଭାରତ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ସେଞ୍ଚୁରିଅନ୍‌ର ସୁପର ସ୍ପୋର୍ଟସ ପାର୍କରେ ବୁଧବାର ୪ର୍ଥ ଟି-୨୦ ବର୍ଷା ଯୋଗୁଁ ବାଧା ଦେବାରୁ ଫଳାଫଳ ବାହାରି ପାରି ନାହିଁ। ଏବେ ୫ମ ମ୍ୟାଚ୍‌କୁ ନିଜର କରିବା ପାଇଁ ହରମନପ୍ରୀତଙ୍କ ଟିମ୍‌ ପ୍ରବଳ ଉଦ୍ୟମ କରିବ।

ପ୍ରଥମ ଟି-୨୦ରେ ଭାରତ ଭଲ ପ୍ରଦର୍ଶନ କରି ସାତ ଓ୍ଵିକେଟରେ ବିଜୟୀ ହୋଇଥିବା ବେଳେ ୨ୟ ଟି-୨୦ରେ ୯ଟି ଓ୍ଵିକେଟରେ ଜିତିଛି। ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ୫ଓ୍ଵିକେଟରେ ବିଜୟୀ ହୋଇ ଆତ୍ମବିଶ୍ୱାସ ଫେରାଇଛି। ଅନ୍ୟପକ୍ଷରେ ଭାରତ ଶନିବାର ମ୍ୟାଚରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସ୍ଥାପନା କରିବାର ଲକ୍ଷ୍ୟ ରଖିଛି। ଭାରତ ପୂର୍ବରୁ ଅଷ୍ଟ୍ରେଲିଆରେ ଟି-୨୦ ଶୃଙ୍ଖଳାରେ ବିଜୟୀ ହୋଇଥିଲା।

ବରିଷ୍ଠ ଖେଳାଳି ମିତାଲି ରାଜ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ୫୪ ଓ ୭୬ ରନ୍‌ ସଂଗ୍ରହ କରିଥିବା ବେଳେ ୩ୟ ଟି-୨୦ରେ କୌଣସି ରନ୍‌ ନକରି ପାଭଲିଅନ୍‌କୁ ଫେରି ଆସିଥିଲେ। ସେହିପରି ସ୍ମୃତି ମାନ୍ଧାନା ପ୍ରଥମ ମ୍ୟାଚ୍‌ରେ ୨୮, ୨ୟ ମ୍ୟାଚ୍‌ରେ ୫୭ ଓ ୩ୟ ମ୍ୟାଚ୍‌ରେ ୩୭ ରନ୍‌ ଯୋଡିଥିଲେ।

ସମ୍ବନ୍ଧିତ ଖବର