ଭାରତୀୟ ମହିଳା କ୍ରିକେଟ୍ ଦଳ ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ସାମିଲ ମହିଳା‌ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଭାରତ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ରେ ହର୍ମନପ୍ରୀତ୍ କୌରଙ୍କ ଦଳ ୯ ରନ୍‌ରେ ହାରିଯାଇଥିଲା। ଅଷ୍ଟ୍ରେଲିଆ ୧୬୧ ରନ୍‌ କରିଥିବାବେଳେ ଭାରତ ୩ ବଲ୍‌ ପୂର୍ବରୁ ୧୫୨ ରନ୍‌ରେ ଅଟକିଯାଇଥିଲା। ଏଥି ସହ ଅଷ୍ଟ୍ରେଲିଆ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା କ୍ରିକେଟ୍‌ ସ୍ବର୍ଣ୍ଣ ପଦକ ବିଜେତା ହୋଇଛି। ଏହା ପୂର୍ବରୁ ଇଂଲଣ୍ଡକୁ ୮ ୱିକେଟ୍‌ରେ ହରାଇ ନ୍ୟୁଜିଲାଣ୍ଡ୍‌ କାଂସ୍ୟ ପଦକ ଜିତିନେଇଥିଲା। ଭାରତ ଫାଇନାଲ୍‌ରେ ହାରିଯାଇଥିଲେ ମଧ୍ୟ ରୌପ୍ୟ ପଦକ ଜିତି ଅପୂର୍ବ ସଫଳତା ପାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୮ ୱି‌କେଟ୍‌ ବିନିମୟରେ ୧୬୧ ରନ୍‌ କରିଥିଲା। ବେଥ୍ ମୁନି (୪୧ ବଲରୁ ୬୧ ରନ୍, ୮ ଚୌକ) ଅର୍ଦ୍ଧଶତକ ହାସଲ କରିଥିବାବେଳେ ମେଗ୍ ଲାନିଙ୍ଗ୍ ୨୬ ବଲ୍‌ରୁ ୩୬ ରନ୍‌, ଆସ୍ ଗାର୍ଡନର୍‌ ୧୫ ବଲ୍‌ରୁ ୨୫ ରନ୍‌ ଏବଂ ଆର୍‌ ହେନ୍ସ ୧୦ ବଲରୁ ୧୮* ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ‌ରେଣୁକା ସିଂହ (୪-୦-୨୫-୨), ସ୍ନେହ ରାଣା (୪-୦-୩୮-୨), ରାଧା ୟାଦବ (୪-୦-୨୪-୧), ଦୀପ୍ତି ଶର୍ମା (୪-୦-୩୦-୧) ସଫଳ ବୋଲର ଥିଲେ। ପଶ୍ଚାତଧାବନ ବେଳେ ଭାରତ ପ୍ରଥମରୁ ପ୍ରାରମ୍ଭିକ ବ୍ୟାଟର୍‌ ‌ସଫଳି ବର୍ମା ଓ ସ୍ମୃତି ମନ୍ଧାନାଙ୍କୁ ସଅଳ ହରାଇ ଦେଇଥିଲା। ଜେମିମା ରଡ୍ରିଗ୍ବେଜ୍ (୩୩ ବଲରୁ ୩୩ ରନ୍, ୩‌ ଚୌକା) ଏବଂ ହର୍ମନପ୍ରୀତ୍ କୌର୍ (୪୩ ବଲରୁ ୬୫ ରନ୍‌, ୭ ଚୌକା, ୨ ଛକା) ବିଜୟ ମୁହାଁ କରିଥିଲେ ମଧ୍ୟ ଉଭୟଙ୍କ ବିଦାୟ ପରେ ଭାରତ ପାଳି ଦିଗହରା ହୋଇଯାଇଥିଲା। ଆଉ କେହି ଲଢ଼ିପାରିନଥିଲେ। ଭାରତ ୧୯.୩ ଓଭରରେ ୧୫୨ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଗାର୍ଡନର ୩, ମଗେନ୍ ଶ୍ଚଟ୍‌ ୨ ଏବଂ ବ୍ରାଉନ୍ ଓ ଜୋନାସେନ୍‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର