ରାଉରକେଲା(ସତୀଶ ଶର୍ମା): ପ୍ରତିଭା ଥିଲେ ଏବଂ ଠିକଣା ସମୟରେ ସହଯୋଗ, ସୁବିଧା, ପ୍ରୋତ୍ସାହନ ମିଳିଲେ ଜଣେ କ୍ରୀଡ଼ା ଜୀବନରେ ଅଗ୍ରସର ହୋଇ ନିଜ ଅଞ୍ଚଳ, ଦେଶ ଓ ଜାତିର ଟେକ ରଖେ। ଅନ୍ୟପକ୍ଷରେ ଅବହେଳା ଯୁବ ପ୍ରତିଭାଙ୍କ ପ୍ରଦର୍ଶନରେ ବାଧକ ସାଜିଥାଏ। ପ୍ରତିଭା ସମ୍ପନ୍ନ ତଥା ଉଦୀୟମାନ ଆଦିବାସୀ ମହିଳା କ୍ରିକେଟର୍ ରୀମାଲକ୍ଷ୍ମୀ ଏକ୍କା (୧୯)ଙ୍କ କ୍ଷେତ୍ରରେ ଏଭଳି ଘଟିଛି। ଅବହେଳାର ଶିକାର ଯୋଗୁଁ ରୀମାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ଚାରି ବର୍ଷ ତଳେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିବା ରୀମାଲକ୍ଷ୍ମୀ ଅଳ୍ପ ସମୟରେ ଦ୍ରୁତ ବଲ୍ର ଭାବେ ରାଜ୍ୟସ୍ତରରେ ପରିଚୟ ସୃଷ୍ଟି କରିଥିଲେ। ତେବେ ତାଙ୍କ ବୋଲିଂ ଢ଼ଙ୍ଗ ଉପରେ କ୍ରିକେଟ୍ ଅଧିକାରୀମାନେ ପ୍ରଶ୍ନ ଉଠାଇ ତାକୁ ବୋଲିଂ କରିବାକୁ ନିଷେଧ କରିଛନ୍ତି। କିନ୍ତୁ ତାଙ୍କ ତ୍ରୁଟି ସୁଧାରିବା ଲାଗି ଥିବା ପ୍ରକ୍ରିୟାରେ ସାମିଲ ନ ହୋଇ ତାଙ୍କୁ ଭୁଲିଯିବା ଭଳି ସ୍ଥିତି କରିବା ତାଙ୍କୁ ଦୁଃଖ, ପରିତାପ ଓ ଅନିଶ୍ଚିତତା ଭିତରେ ରଖିଛି।
ତାଙ୍କ ବୋଲିଂ ଢ଼ଙ୍ଗ ଉପରେ ସନ୍ଦେହ ପ୍ରକଟ କରିବା ପରେ ରାଜ୍ୟ କ୍ରିକେଟ୍ ପ୍ରଶାସକ ତାଙ୍କୁ ମାନସିକ ଓ ବୈଷୟିକ ସହାୟତା ଯୋଗାଇବାର ଆବଶ୍ୟକ। ବୋଲିଂ ଢ଼ଙ୍ଗ ତଥା ଶୈଳୀକୁ ସୁଧାରିବା ପାଇଁ ବିସିସିଆଇର ଚେନ୍ନାଇ ସ୍ଥିତି ପ୍ରୟୋଗଶାଳାରେ ପରୀକ୍ଷଣ କରାଇବାର ଆବଶ୍ୟକତା ରହିଛି। ବିଶେଷଜ୍ଞମାନେ ସନ୍ତୁଷ୍ଟ ହେଲେ ତାଙ୍କୁ ସବୁଜ ସଙ୍କେତ ତେବେ କିମ୍ବା ବାସନ୍ଦ କରିବାର ବ୍ୟବସ୍ଥା ରହିଛି। ଗୋଟିଏ ସ୍ପଷ୍ଟ ନିର୍ଣ୍ଣୟ ହେଲେ ରୀମାଲକ୍ଷ୍ମୀ ନିଜ ଭବିଷ୍ୟତକୁ ନେଇ ନିଶ୍ଚିତ ହୋଇପାରିବେ। ଏସବୁ କାମରେ ସପ୍ତାହେ ଦୁଇ ସପ୍ତାହ ଲାଗେ। କିନ୍ତୁ ଓଡ଼ିଶା କ୍ରିକେଟ୍ ସଂଘ ସାହାଯ୍ୟ କରିବା ବଦଳରେ ତାଙ୍କୁ ଏକ ତ୍ରିଶଙ୍କୁ ସ୍ଥିତିରେ ରଖିଦେଇଛନ୍ତି। ଓସିଏ ତାଙ୍କ ସମ୍ପର୍କରେ କୌଣସି ପଦକ୍ଷେପ ନ ନେବାରୁ ତାଙ୍କ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ଗତି କରୁଛି। ରୀମାଲକ୍ଷ୍ମୀ ଏକ୍କା ଜଣେ ଆଦିବାସୀ ଝିଅ ବୋଲି ତାଙ୍କର କେହି ସାହା ନାହାନ୍ତି। ରାଉରକେଲାର ଜିମଖାନା କ୍ରିକେଟ୍ ପଡ଼ିଆରେ ସାକ୍ଷାତ ବେଳେ ଅନେକ ପ୍ରଶ୍ନ ଉଠାଇଥିଲେ। ‘କ୍ରିକେଟ୍ ଅଧିକାରୀ ମୋତେ ସ୍ପଷ୍ଟ କହି ଦିଅନ୍ତୁ ଯେ, ବୋଲିଂ କରି ପାରିବି କି ନାହିଁ? ତା’ ହେଲେ ମୁଁ ମୋ ଭବିଷ୍ୟତ ଖେଳଜୀବନ ନେଇ ନିଷ୍ପତ୍ତି ନେବି। ମୁଁ କ୍ରିକେଟ୍ ଛାଡ଼ି ପାଠ ପଢ଼ାରେ ଧ୍ୟାନ ଦେବି। (ରୀମାଲକ୍ଷ୍ମୀ ବିଏ ପ୍ରଥମ ବର୍ଷ ଛାତ୍ରୀ) କିମ୍ବା ମୁଁ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବି। କ୍ରିକେଟ୍କୁ ମୁଁ ନିଜ ପାଠ ପଢାଭଳି ଗୁରୁତ୍ୱ ଦିଏ। କ୍ରିକେଟ୍କୁ ମୁଁ ବହୁତ ଭଲପାଏ। ଏଇ ଖେଳରେ ମୁଁ ଯେତେ ସମ୍ଭବ ଉପରସ୍ତରକୁ ଯିବାର ଇଚ୍ଛା ରଖିଛି। ମୋର ବାପା-ମା’ ମଧ୍ୟ ମୋର ସ୍ୱପ୍ନରେ ମୋତେ ପୁରା ସମର୍ଥନ ଦେଉଛନ୍ତି। କିନ୍ତୁ ପ୍ରଶାସକଙ୍କ ପାଇଁ ମୁଁ ଝୁଲା ସ୍ଥିତିରେ ରହିଛି। ଏଇ ସ୍ଥିତି ମୋ ପାଇଁ ବହୁତ ଯନ୍ତ୍ରଣାଦାୟକ, ପୀଡ଼ା ଦାୟକ। ଗୋଟିଏ ନିଷ୍ପତ୍ତି ସହିତ ମୋତେ ମୁକ୍ତ କରାଯାଉ। ଏହାହିଁ ମୋର ଅନୁରୋଧ।’ ବୋଲି ସେ ଭାବବିହ୍ଵଳ କଣ୍ଠରେ କହିଥିଲେ ରୀମାଲକ୍ଷ୍ମୀ।
ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ଜିନ୍ଦା ଏକ୍କା ଏବଂ ମା’ ଅନୀତା ଏକ୍କାଙ୍କ ଚାରି ସନ୍ତାନ ମଧ୍ୟରୁ ତୃତୀୟ ହେଉଛନ୍ତି ରୀମାଲକ୍ଷ୍ମୀ। କ୍ରୀଡ଼ା ପ୍ରତି ପିଲା ଦିନରୁ ଆକର୍ଷିତ ଥଲେ। ୧୦୦ ଓ ୨୦୦ ମିଟର ଦୌଡ଼ର ଅଭ୍ୟାସ କରୁଥିଲେ। ପିଲାଙ୍କ ସହ ଟେନିସ୍ ବଲ୍ ଗଲି କ୍ରିକେଟ ମଧ୍ୟ ଖେଳୁଥିଲେ। ୨୦୧୩ରେ ଆର୍ଏସ୍ପିର କ୍ରିକେଟ ପ୍ରଶିକ୍ଷକ ଆର ଶ୍ରୀକାନ୍ତ ରାଉରକେଲାରେ ମହିଳା କ୍ରିକେଟ୍ ଆରମ୍ଭ କରିବା ପାଇଁ ନିଷ୍ପତ୍ତି କରି ବାଳିକାଙ୍କୁ କ୍ରିକେଟ୍ ଖେଳିବା ପାଇଁ ଆମନ୍ତ୍ରିତ କଲେ। ରାମାଲକ୍ଷ୍ମୀ ବି ଏଥିରେ ସାମିଲ ଥିଲେ। ପ୍ରଥମ ବର୍ଷରୁ ଶ୍ରୀକାନ୍ତ ରୀମାଲକ୍ଷ୍ମୀଙ୍କଠାରେ ଭଲ ବୋଲର ହେବାର ଲକ୍ଷଣ ଦେଖି ତାଙ୍କୁ ଦ୍ରୁତ ବୋଲର ହେବା ପାଇଁ ପ୍ରୋତ୍ସାହିତ କଲେ। ବର୍ଷକ ପରିଶ୍ରମ ଭିତରେ ରୀମା ରାଜ୍ୟର ୧୯ ବର୍ଷରୁ କମ୍ ବାଳିକା ଦଳରେ ସ୍ଥାନ ପାଇବାରେ ସମର୍ଥ ହେଲେ। ଗୌହାଟୀରେ ତାଙ୍କୁ ତ୍ରିପୁରା, ଆସାମ ଏବଂ ବେଙ୍ଗଲ ବିରୋଧରେ ତିନିଟା ମ୍ୟାଚ୍ରେ ମୋଟ ୬ ଓ୍ଵିକେଟ୍ ମିଳିଲା। ଅନ୍ତଃ କ୍ଷେତ୍ର ପ୍ରତିଯୋଗିତାରେ ରୀମାଲକ୍ଷ୍ମୀ କେନ୍ଦ୍ରାଞ୍ଚଳ ବିରୋଧରେ ୩ଟି, ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ବିରୋଧରେ ଗୋଟିଏ ଲେଖାଏଁ ମୋଟ୍ ପାଞ୍ଚ ଓ୍ଵିକେଟ୍ ଅକ୍ତିଆର କଲେ। ସେହିବର୍ଷ ତାଙ୍କୁ ରାଜ୍ୟ ବରିଷ୍ଠ ଦଳରେ ମଧ୍ୟ ସ୍ଥାନ ମିଳିଲା। ଦଳରେ ଯୁବ ଖେଳାଳି ଭାବେ ସାମିଲ ରୀମାଲକ୍ଷ୍ମୀଙ୍କୁ କୌଣସି ମ୍ୟାଚ୍ରେ ସୁଯୋଗ ଦିଆଗଲା ନାହିଁ।
୨୦୧୫-୧୬ କ୍ରିକେଟ୍ ସିଜିନ୍ରେ ତାଙ୍କୁ ରାଜ୍ୟ ୧୯ ବର୍ଷ ଦଳରେ ସ୍ଥାନ ମିଳିଲା ଏବଂ ଏହି ଋତୁ୍ରୁ ତାଙ୍କ ପାଇଁ ବିପଦ ଆରମ୍ଭ ହେଲା। ଧାନବାଦ (ଝାଡ଼ଖଣ୍ଡ)ରେ ୨୦୧୫ ସେପ୍ଟେମ୍ବର ୨୦ରେ ବେଙ୍ଗଲ ବିରୋଧରେ ମ୍ୟାଚ୍ ଥିଲା। ରୀମାଲକ୍ଷ୍ମୀ ଏହି ମ୍ୟାଚ୍ରେ ଦୁଇ ଓ୍ଵିକେଟ୍ ପାଇଲେ। ମ୍ୟାଚ୍ ପରେ ସନ୍ଧ୍ୟାରେ ଦଳର ପ୍ରବଂଧକ ସନ୍ତୋଷ ଦାସ ତାଙ୍କୁ ଡାକି କହିଲେ ଯେ, ତୋର ବୋଲିଂ ଢ଼ଙ୍ଗକୁ ନେଇ ଆପତ୍ତି ଉଠିଛି। କିନ୍ତୁ କିଛି ଚିନ୍ତା କରିବାର କଥା ନୁହେଁ। ଏହାର ସମାଧାନ ଶୀଘ୍ର ହୋଇଯିବ। ପରବର୍ତ୍ତୀ ମ୍ୟାଚ୍ରେ ତାଙ୍କୁ ସୁଯୋଗ ମିଳିଲା ନାହିଁ।
୨୦୧୬ ଜାନୁଆରୀ ମାସରେ ତାଙ୍କୁ ରାଜ୍ୟ ଟି-୨୦ ଦଳରେ ମନୋନୀତ କରାଗଲା। ସେ ରେଳବାଇ, ମହାରାଷ୍ଟ୍ର ବିରୋଧରେ ମ୍ୟାଚ୍ ଖେଳିଲେ। ସେଠାରେ ପୁଣି ତାଙ୍କ ବୋଲିଂ ଢ଼ଙ୍ଗ ଉପରେ ଆପତ୍ତି କରାଗଲା। ଗତ ବର୍ଷ ୨୦୧୬-୧୭ ସିଜିନ୍ରେ ତାଙ୍କୁ ୧୯ ବର୍ଷ ଦଳରେ ନିଆଗଲା। କିନ୍ତୁ ତାଙ୍କୁ ବୋଲିଂ ପାଇଁ ନିଷେଧ କରି କେବଳ ବ୍ୟାଟ୍ସମ୍ୟାନ୍ ଭାବେ ସୁଯୋଗ ଦିଆଗଲା। ଏହା ପରଠାରୁ ତାଙ୍କ କ୍ରିକେଟ୍ ଜୀବନରେ ବାଧା ସୃଷ୍ଟି ହୋଇଛି। ଏବେ ନୂଆ କ୍ରିକେଟ୍ ଋତୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ରୀମାଲକ୍ଷ୍ମୀକୁ ଦ୍ୱନ୍ଦ୍ୱରେ ରଖା ଯାଇଛି। ରାଉରକେଲାରେ କ୍ରିକେଟ୍ ସହ ଜଡ଼ିତ ଲୋକଙ୍କର ମଧ୍ୟ ସମାନ ମତ। ସମସ୍ତେ ରୀମାଲକ୍ଷ୍ମୀ ଏକ୍କାଙ୍କଠାରେ ଏକ ଉଚ୍ଚକୋଟୀର ବୋଲର ହେବାର ସମ୍ଭାବନା ଦେଖୁଛନ୍ତି। ଅନ୍ତର୍ଜାତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ପ୍ରଶଂସିକା ରୀମାଲକ୍ଷ୍ମୀ ଏକ୍କାଙ୍କ ଭବିଷ୍ୟତ ସମ୍ପର୍କରେ ଓଡ଼ିଶା କ୍ରିକେଟ୍ ସଂଘକୁ ଶୀଘ୍ର ନିର୍ଣ୍ଣୟ ନେବା ଆବଶ୍ୟକ। ନଚେତ ଏହି ଆଦିବାସୀ ଝିଅର ବଡ଼ କ୍ରିକେଟ୍ର ହେବାର ସମ୍ଭାବନା ଉପରେ ଗ୍ରହଣ ଲାଗିପାରେ। ରୀମାଲକ୍ଷ୍ମୀର ବୋଲିଂ ଢ଼ଙ୍ଗ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପ୍ରଶିକ୍ଷକ ଆର୍ ଶ୍ରୀକାନ୍ତ କୁହନ୍ତି ‘ମୋ ମତରେ ତାଙ୍କ ବୋଲିଂରେ କୌଣସି ତ୍ରୁଟି ନାହିଁ। ଯଦି କୌଣସି ଅମ୍ପାୟାର କିମ୍ବା ମ୍ୟାଚ୍ ରେଫରିଙ୍କୁ କିଛି ତ୍ରୁଟି ଦିଶୁଛି ତେବେ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇଯିବାର ଥିଲା।’ ଉଲ୍ଲେଖଯୋଗ୍ୟ, ଆର୍. ଶ୍ରୀକାନ୍ତ ଭାରତରେ ଲେବୁଲ-ସି କ୍ରିକେଟ୍ ପ୍ରଶିକ୍ଷକ ଅଛନ୍ତି। ରାଉରକେଲାରେ ଜନ୍ମିତ ଶ୍ରୀକାନ୍ତ ଓଡ଼ିଶା ପାଇଁ ରଣଜୀ ମ୍ୟାଚ୍ ଖେଳିବା ସହ ଓଡ଼ିଶା କ୍ରିକେଟ୍ରେ ବୈଷୟିକ ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।
ନିକଟରେ ସେ ରାଉରକେଲା ଇସ୍ପାତ କାରଖାନାରୁ ସ୍ୱେଚ୍ଛାକୃତ ଅବସର ନେଇ ହାଇଦ୍ରାବାଦରେ ଭିଭିଏସ୍ ଲକ୍ଷ୍ମଣ କ୍ରିକେଟ୍ ଏକାଡେମୀରେ ପ୍ରଶିକ୍ଷକ ଭାବେ ଯୋଗ ଦେଇଛନ୍ତି। ହାଇଦ୍ରାବାଦରୁ ଫୋନ୍ ଯୋଗେ କଥାବାର୍ତ୍ତାରେ ଶ୍ରୀକାନ୍ତ କହିଲେ ‘ରୀମାଲକ୍ଷ୍ମୀ ଜଣେ ଅତ୍ୟନ୍ତ ପ୍ରତିଭା ସମ୍ପନ୍ନ ଦ୍ରୁତ ବୋଲର। ସାରା ପୂର୍ବାଞ୍ଚଳରେ ଅନ୍ତର୍ଜାତୀୟ ଖେଳାଳି ଝୁଲଣ ଗୋସ୍ୱାମୀଙ୍କ ପରେ ରୀମାଲକ୍ଷ୍ମୀ ହେଉଛନ୍ତି ସବୁଠୁ ଦ୍ରୁତ ବୋଲର। ଦେଶରେ ନୂଆ ମହିଳା ଦ୍ରୁତ ବୋଲରଙ୍କ ମଧ୍ୟରେ ରୀମାଲକ୍ଷ୍ମୀ ଏକ୍କା ଅନ୍ୟତମ ଖେଳାଳି। ତାଙ୍କ ପ୍ରତିଭାର ଉଚିତ ଉପଯୋଗ ହେବା କଥା। ତାକୁ ବୋଲିଂରୁ ବଞ୍ଚିତ କରାଗଲେ ଏହା ଓଡ଼ିଶା ପାଇଁ କ୍ଷତିକାରକ ହେବ। ଓଡ଼ିଶା କ୍ରିକେଟ୍ ସଂଘ ଗତ ବର୍ଷ ହିଁ ତାଙ୍କୁ ଚେନ୍ନାଇସ୍ଥିତ ବାଓ ମେକାନିକାଲ ଲାବୋରୋଟୋରି ପଠାଇବା କଥା। ଏହା ଏକ ସାଧାରଣ ପ୍ରକ୍ରିୟା। ଗତବର୍ଷ ମୁଁ ଆଶୀର୍ବାଦ ବେହେରାଙ୍କୁ ସାକ୍ଷାତ କରି ରୀମାଲକ୍ଷ୍ମୀ ସମ୍ପର୍କରେ କଥା ହେଇଥିଲି। ଶ୍ରୀ ବେହେରା ସେତେବେଳେ ଶୀଘ୍ର ପଦକ୍ଷେପ ନେବା ପାଇଁ ଆଶ୍ୱାସନା ଦେଇଥିଲେ। ବ୍ୟକ୍ତିଗତ ଭାବେ ରୀମାଲକ୍ଷ୍ମୀ ଏକ୍କାଙ୍କ ଭବିଷ୍ୟତକୁ ନେଇ ମୁଁ ବହୁ ଆଶାବାଦୀ ଅଛି। ଯଦି ତାଙ୍କୁ ସଠିକ ମାର୍ଗଦର୍ଶନ, ପ୍ରଶିକ୍ଷଣ ଦିଆଯାଏ ସେ ଦିନେ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି।’