ମହିଳା କ୍ରିକେଟର୍‌ ରିତୁ ସିଂହ ଯାତ୍ରା: କ୍ରିକେଟର୍‌, କନଷ୍ଟେବଳ, ଓଏଏସ୍‌

‘କ୍ରିକେଟ୍‌ ପାଇଁ କାମ କରିବି’

ଭୁବନେଶ୍ବର: ପ୍ରତିବଦ୍ଧତା, ଶୃଙ୍ଖଳା ଓ ସାଧନା ବଳରେ ଜଣେ ସଫଳତାର ସହ ଯେ କୌଣସି ପାହାଚ ଚଢ଼ିପାରିବ ବୋଲି ଓଡ଼ିଶାର ମହିଳା କ୍ରିକେଟର୍‌ ରିତୁ ସିଂହ ପ୍ରମାଣିତ କରିଦେଇଛନ୍ତି। ପିଲାବେଳେ କ୍ରିକେଟର୍‌ ହେବାକୁ ମନସ୍ଥ କରିଥିବା ଏହି ଜୟପୁର ଯୁବତୀ ନିଜ ସ୍ବପ୍ନକୁ ସାକାର ମଧ୍ୟ କରିଥିଲେ। ଓଡ଼ିଶା ଦଳ ସର୍ବଭାରତୀୟ ସ୍ତରରେ ଉପବିଜେତା ହୋଇଥିବାରୁ ଏହାର ଅନ୍ୟତମ ସଦସ୍ୟା ଭାବେ ୨୦୧୫ରେ ଓଡ଼ିଶା‌ ପୁଲିସ୍‌ରେ କନଷ୍ଟେବଳ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ଏତିକିରେ ତାଙ୍କ ତୃଷ୍ଣା ମେଣ୍ଟିନଥିଲା। ସଦ୍ୟ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ପରବେଦା ଶ୍ରୀରାମ କଲୋନିରେ ରହୁଥିବା ଗ୍ୟାରେଜ୍‌ ମିସ୍ତ୍ରୀ ରାଜାରାମ ସିଂହ ଏବଂ ରଞ୍ଜୁଦେବୀ ସିଂହଙ୍କ କନ୍ୟା ରିତୁ ମଡର୍ନ ଇଂଲିସ ସ୍କୁଲ୍‌ରେ ପଢ଼ିଥିଲେ। ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଶେଷ କରିଥିଲେ। ଜଣେ ଡାହାଣହାତୀ ସୁଇଙ୍ଗ ବୋଲର, ମଧ୍ୟକ୍ରମ ବ୍ୟାଟସଓମ୍ୟାନ୍‌ ଏବଂ ବିଚକ୍ଷଣ କ୍ଷେତ୍ରରକ୍ଷକ ଭାବେ ଓଡ଼ିଶା ଦଳରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅନ୍ତଃଜିଲ୍ଲାରେ ଶତକ ହାସଲ କରିବାର ମୁହୂର୍ତଠାରୁ ଆଗକୁ ବଢ଼ି ଓଡ଼ିଶା କନିଷ୍ଠ ଓ ବରିଷ୍ଠ ଦଳର ଜଣେ ପ୍ରତିଷ୍ଠିତ ପେସ୍‌ ବୋଲର ହୋଇଥିଲେ। ୨୦୦୭-୦୮ ଋତୁରେ ହାଇଦ୍ରାବାଦଠାରେ ଖେଳାଯାଇଥିବା ସର୍ବଭାରତୀୟ ନକ୍‌ ଆଉଟ୍ ପ୍ରତିଯୋଗିତାରେ ଖେଳିବା ପରଠାରୁ ଦୀର୍ଘ ଗୋଟିଏ ଦଶନ୍ଧି ଧରି ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ୨୦୧୧-୧୨ରେ ଓଡ଼ିଶା ୧୯ ବର୍ଷରୁ କମ୍‌ ଦଳର ଅଧିନାୟକତ୍ବ କରିବା ଏବଂ ୨୦୧୩ରେ କଟକରେ ପାକିସ୍ତାନ ବିପକ୍ଷରେ ଆଇସିସି ବିଶ୍ବକପ୍‌ ୱାର୍ମ ଅପ୍‌ ମ୍ୟାଚ୍‌ରେ ଓଡ଼ିଶାର ସ୍ମରଣୀୟ ବିଜୟରେ ସାମିଲ ରହିବାର ଅନେକ ଅଭୁଲା ମୁହୂର୍ତକୁ ସାଉଣ୍ଟିଛନ୍ତି ଏହି ଶାଣିତ କ୍ରିକେଟର୍‌। କନିଷ୍ଠ ବର୍ଗରେ ଥାଇ ମଧ୍ୟ ଓଡ଼ିଶା ବରିଷ୍ଠ ଦଳରୁ ସୀମିତ ଓଭର କ୍ରିକେଟ୍ (ଦିନିକିଆ ଏବଂ ଟି-୨୦) ଖେଳିଥିଲେ। ୨୦୧୩-୧୪ ଏବଂ ୨୦୧୪-୧୫ ଋତୁରେ ଓଡ଼ିଶା ଦଳର ସର୍ବଭାରତୀୟ ସଫଳତା ଆଧାରରେ ରାଜ୍ୟ ସରକାରଙ୍କ ପୁଲିସ୍ ବିଭାଗରେ ରିତୁଙ୍କୁ ‌କନଷ୍ଟେବଳ ଚାକିରି ପ୍ରଦାନ କରିବା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ୨୦୧୭-୧୮ ଋତୁ ପର୍ଯ୍ୟନ୍ତ ରିତୁ ଓଡ଼ିଶା ଦଳରେ ଥିଲେ, କିନ୍ତୁ ନିଜ ପ୍ରଦର୍ଶନର ଅବନତିକୁ ନିଜେ ପରଖି‌ ନେବାରୁ ନିଜ ଗତି ପଥ ବଦଳାଇ ଦେଇଥିଲେ। ନିଜ ଆଡୁ କ୍ରିକେଟ୍‌ଠୁ ଦୂରେଇ ପ୍ରଶାସନିକ ସେବାରେ ମନୋନିବେଶ କରିଥିଲେ। ଆର୍ଥିକ ସ୍ବଚ୍ଛଳତା ନ ଥିବାରୁ ସେ ଏଥି ପାଇଁ କୌଣସି ପ୍ରଶିକ୍ଷଣ ମଧ୍ୟ ନେଇ ନଥିଲେ। ଘରେ ପଢ଼ିବା ଏବଂ ଇଣ୍ଟରନେଟ୍‌ର ସହାୟତା ବଳରେ ନିଜକୁ ପ୍ରସ୍ତୁତ କରି ସଫଳ ହୋଇଛି ବୋଲି ଗୁରୁବାର ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି ୨୭ ବର୍ଷୀୟା ରିତୁ ସିଂହ। ନିଜ ସଫଳତାର ଶ୍ରେୟକୁ ସେ ପିତାମାତା ଏବଂ ସାଙ୍ଗସାଥୀଙ୍କୁ ଦେଇଛନ୍ତି। କ୍ରିକେଟ୍‌ରୁ ଅନେକ କିଛି ଶିକ୍ଷା ମିଳିଥିଲା ବୋଲି ମଧ୍ୟ ସ୍ବୀକାର କରିଛନ୍ତି। କ୍ରିକେଟ୍‌ ପ୍ରତି ରହିଥିବା ଦୁର୍ବଳତା ସବୁବେଳେ ଜାରି ରହିବ ବୋଲି ମଧ୍ୟ କହିଛନ୍ତି ଏହି ନୂଆ ପ୍ରଶାସିକା।

‘କ୍ରିକେଟ୍‌ ପାଇଁ କାମ କରିବି’
କୋରାପୁଟ ଭଳି ଅନୁନ୍ନତ ଜିଲ୍ଲାରୁ ବାହାରି ରାଜ୍ୟ ଦଳରୁ ଦଶ ବର୍ଷ ଧରି ପ୍ରତିନିଧିତ୍ବ କରିବାର ଯାତ୍ରା ସହଜ ନ ଥିଲା‌। ଏବେ କେବଳ କୋରାପୁଟ ନୁହେଁ ରାଜ୍ୟର ମହିଳା କ୍ରିକେଟର୍‌ମାନଙ୍କ ପାଇଁ କିଛି କରିବାର ମନ ରହିଛି। ସୁଯୋଗ ମିଳିଲେ ନିଶ୍ଚିତ ଏ କ୍ଷେତ୍ରରେ କାମ କରିବି। ଆମେ ପଡ଼ିଆ, ପ୍ରଶିକ୍ଷଣ, ସରଞ୍ଜାମ ଆଦିର ଘୋର ପ୍ରତିବଂଧକ ଭିତରେ ଖେଳିଥିଲୁ। ପରବର୍ତୀ ପିଢ଼ିର‌ ଖେଳାଳିଙ୍କୁ ଯେଭଳି ଏ ଅସୁବିଧା ନ ହେବ ମୁଁ ଚେଷ୍ଟା କରିବି ବୋଲି କହିଥିଲେ ରିତୁ ସିଂହ। ଓଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ମୋ ପାଇଁ ବଡ଼ କଷ୍ଟକର ଥିଲା। ଜଣେ ଖେଳାଳି ପାଇଁ ସବୁବେଳେ ବହି ସହ ଘଣ୍ଟାଘଣ୍ଟା ବିତାଇବା କାଠିକର ପାଠ ଥିଲା। ପରିବାରର ସମର୍ଥନ ବିନା ମୁଁ ଏତେ ବାଟ ଆସି ପାରିନଥାନ୍ତି ବୋଲି କହିଥିଲେ ରିତୁ। ବଡ଼ ଭଉଣୀ ବିବାହ କରି ସାରିଥିବା ବେଳେ ସାନ ଭାଇ ପଢ଼ୁଛି। ପରିବାରର ସରକାରୀ ଚାକିରିଆ ରିତୁ ଏକ ଗରିବ ପରିବାରରେ ଗୌରବମୟ ଅଧ୍ୟାୟ ସଂଯୋଗ କରିଛନ୍ତି ଏବଂ‌ ଖେଳାଳିମାନଙ୍କ ପାଇଁ ଅନନ୍ୟ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର