ମହିଳା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସ, ବିଜୟରୁ ଭାରତର ଅଭିଯାନ

ହିରୋସିମା: ଜାପାନ୍‌ର ହିରୋସିମା‌ଠାରେ ଚାଲିଥିବା ମହିଳା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ସରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଆୟୋଜିତ ଏହି ପ୍ରତିଯୋଗିତାର ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ଭାରତ ଶନିବାର ମୁକାବିଲାରେ ଉରୁଗୁଏକୁ ୪-୧ ଗୋଲ୍‌ରେ ପରାସ୍ତ କରି ଦେଇଛି। ଦଶମ ମିନିଟ୍‌ରେ ଭାରତୀୟ ଅଧିନାୟିକା ରାଣୀ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ କ୍ବାର୍ଟର୍‌ରେ ଗୁରଜିତ କୌର (୨୧ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ପ୍ରଥମାର୍ଧରେ ୨-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର୍‌ରେ ଜ୍ୟୋତି (୪୦ ମିନିଟ୍‌) ଆଉ ଏକ ଗୋଲ୍‌ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ। ଚତୁର୍ଥ କ୍ବାର୍ଟର‌ରେ ଉରୁଗୁଏର ତେରେସା ଭିଆନା (୫୧ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ୫୬ତମ ମିନିଟ୍‌ରେ ଲାଲରେମସିଆମିଙ୍କ ଗୋଲ୍‌ ବଳରେ ଭାରତ ୪-୧ରେ ବିଜୟୀ ହୋଇଥିଲା। ଗ୍ରୁପ୍‌-ଏର ଅନ୍ୟଏକ ମ୍ୟାଚ୍‌ରେ ପୋଲାଣ୍ଡ ୬-୦ରେ ଫିଜିକୁ ଏବଂ ଗ୍ରୁପ୍‌-ବି‌ର ଦୁଇଟି ମ୍ୟାଚ୍‌ରେ ଜାପାନ୍‌ ୨-୧ରେ ରୁଷିଆକୁ ଓ ଚିନ୍‌ ୭-୦ରେ ମେକ୍ସିକୋକୁ ହରାଇଥିଲା। ପରବର୍ତୀ ମ୍ୟାଚ୍‌ରେ ଭାରତ ରବିବାର ପୋଲାଣ୍ଡକୁ ଭେଟିବ।

ସମ୍ବନ୍ଧିତ ଖବର