ସୁନ୍ଦରଗଡ଼: ଗୋଆଠାରେ ଆୟୋଜିତ ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ଫୁଟବଲ ଦଳ ଶକ୍ତିଶାଳୀ ମଣିପୁର ଦଳକୁ ପରାଜିତ କରି ସ୍ବର୍ଣ୍ଣପଦକ ହାସଲ କରିଛି। ଏହି ପରିପ୍ରେକ୍ଷିରେ ସୁନ୍ଦରଗଡ଼ ଜିଲ୍ଲାର ମହିଳା ଫୁଟବଲ ଖେଳାଳିଙ୍କୁ ଉଲ୍ଲସିତ କରିଥିବା ଖବରଟି ହେଲା, ଓଡ଼ିଶା ଦଳରେ ସୁନ୍ଦରଗଡ଼ ଜିଲ୍ଲାର ଅନ୍ତର୍ଜାତିକ ଖେଳାଳି ପ୍ୟାରୀ ଖାଖାଙ୍କ ସମେତ ୯ ଜଣ ଖେଳାଳି ଜୁଲି କିସାନ, ମୋନିକା ମିଞ୍ଜ, ସୁମିତ୍ରା ହେମ୍ରମ, ମନିଷା ନାଏକ, ସୋନିଆ ଏକ୍କା, ପ୍ରଜ୍ଞା କିସାନ, ଶିବାନୀ ମୁଣ୍ଡାରୀ, ମଞ୍ଜୁ ଗଞ୍ଜୁ ଚମତ୍କାର ଖେଳ ପ୍ରଦର୍ଶନ କରି ଦଳକୁ ଚାମ୍ପିଅନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ୟାରୀ ଖାଖା ଏକ ଆକର୍ଷଣୀୟ ଗୋଲ୍ ମାରି ଦଳକୁ ଅଗ୍ରଣୀ କରିଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଜିଲ୍ଲା କ୍ରୀଡ଼ା ସଂସଦ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ଫୁଟବଲର ପ୍ରଚାର, ପ୍ରସାର ପାଇଁ ତୃଣମୂଳସ୍ତରକୁ ପହଞ୍ଚିଥିବା ଓ ସବୁ ବ୍ଲକରେ ପ୍ରତିଯୋଗିତା କରି ଗ୍ରାମାଞ୍ଚଳର ମହିଳା ଫୁଟବଲ ଖେଳାଳିଙ୍କ ମନରେ ନୂଆ ଉତ୍ସାହ ଭରିଥିବାରୁ ଏହି ସଫଳତା ମିଳିଛି ଓ ଓଡ଼ିଶା ଦଳରେ ଜିଲ୍ଲାର ୯ ଖେଳାଳି ସାମିଲ ହୋଇଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ସଫଳତା ପାଇଁ ସୁନ୍ଦରଗଡ଼ର ଖେଳାଳିମାନଙ୍କୁ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମସମ୍ପାଦକ ଅଭିଜିତ ପାଲ, ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ସହସମ୍ପାଦକ ଜୟଦେବ ପାତ୍ର, ଫୁଟବଲ ସମ୍ପାଦକ ରାଜେନ୍ଦ୍ର ପାଣ୍ଡେ, ବିମଳ ବୋଷ, ନିତ୍ୟ କୁମାର ବଳ, ରୋମାଞ୍ଚ ଭୈଷାଲ, ଚିତ୍ତରଞ୍ଜନ ବହିଦାର, ଅଶ୍ବିନୀ ଭୋଳ, ପୌଷଚନ୍ଦ୍ର ପଟେଲ, ଫୁଟବଲ ପ୍ରଶିକ୍ଷକ ହୃଦୟରଂଜନ ସିଂ ଓ ମନୀଷା ତିର୍କୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।