ମହିଳା ହକି, ଫ୍ରାନ୍‌ସକୁ ହରାଇଲା ଭାରତ-ଏ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଭାରତ-ଏ ଓ ଫ୍ରାନ୍‌ସ-ଏ ମହିଳା ହକି ପ୍ରତିଯୋଗିତାରେ ଘରୋଇ ଦଳ ପ୍ରଥମ ବିଜୟ ପାଇଛି। ଶୁକ୍ରବାର ଭାରତ-ଏ ଦଳ ୦-୧ ଗୋଲ୍‌ରେ ଫ୍ରାନ୍‌ସଠୁ ହାରି ଯାଇଥିଲା ବେଳେ ରବିବାର ଦ୍ବିତୀୟ ମ୍ୟାଚ୍‌ରେ ପ୍ରତିଶୋଧ ନେଇଯାଇଛି। ଏହି ମ୍ୟାଚ୍‌ରେ ଆରମ୍ଭରୁ ପଛୁଆ ରହିବା ସତ୍ତ୍ବେ ଭାରତ-ଏ ୩-୨ ଗୋଲ୍‌ରେ ଫ୍ରାନ୍‌ସ-ଏ ଦଳକୁ ପରାସ୍ତ କରିଛି। ଓଡ଼ିଆ ଝିଅ ମାରିଆନା କୁଜୁର (୧୯ ମିନିଟ୍‌) ତାଙ୍କ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ପ୍ରଥମ ଗୋଲ୍‌ କରି ଭାରତ ସ୍ଥିତି ୧-୧ କରିଦେବା ପରେ ଲାଲ୍‌ରେମ୍‌ସିଆମି (୩୦ ମିନିଟ୍‌) ଓ ମମ୍‌ତାଜ ଖାନ୍‌ (୩୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତ ବିଜୟର କର୍ଣ୍ଣଧାର ସାଜିଥିଲେ। ଅନ୍ୟପକ୍ଷରେ ମିକେଇଲା ଲାହାଲା (୧୪ ମିନିଟ୍‌) ଓ ଗୁଜେ ଭାନ୍‌ ବୋଲ୍‌ହୁଇସ୍‌ (୫୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଫ୍ରାନ୍‌ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଭାରତକୁ ବିଜୟରୁ ବଞ୍ଚିତ କରିପାରିନଥିଲା। ଉଭୟ ଦଳ ଆସନ୍ତା ୧୨ ତାରିଖ ଦିନ ତୃତୀୟ ମ୍ୟାଚ୍‌ ଖେଳିବେ।

ସମ୍ବନ୍ଧିତ ଖବର