ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି ଉଦ୍‌ଘାଟିତ

ରାଉରକେଲା: ତୃତୀୟ ସର୍ବଭାରତୀୟ ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି ପ୍ରତିଯୋଗିତା ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍‌ରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ୮ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାର ପ୍ରଥମ ଦିନ ବର୍ଗ-ଏ ଓ ବିରେ ୨ ଲେଖାଏଁ ମ୍ୟାଚ୍‌ ଖେଳାଯାଇଥିଲା। ବର୍ଗ-ଏର ପ୍ରଥମ ମ୍ୟାଚ୍‌ରେ ପାନପୋଷ କ୍ରୀଡ଼ା ଛାତ୍ରବାସ ୭-୦ ଗୋଲ୍‌ରେ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ ସ୍ପୋର୍ଟ୍ସ ବୋର୍ଡ଼କୁ ପରାସ୍ତ କରିଥିଲା। ପାନପୋଷ ତରଫରୁ ନୀମାବତୀ ସିଂ, ଜୀବନ କିଶୋରୀ ଟପ୍ପୋ ଓ ନମ୍ରତା ବାରା ୨ ଲେଖାଏଁ, ରୋଜିତା କୁଜୁର ଗୋଟିଏ ଗୋଲ୍‌ କରିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ଗୋରଖପୁର ଉତ୍ତର-ପୂର୍ବ ରେଳବାଇ ୧୪-୦ରେ ନାଗପୁର ହକି ଏକାଡେମିକୁ ପରାସ୍ତ କରିଥିଲା । ଗୋଗରଖପୁର ପକ୍ଷରୁ ସୃଷ୍ଟି ସିଂ ହ୍ୟାଟ୍ରିକ୍‌ (କ୍ରମାଗତ ୩ ଗୋଲ୍‌) ଅର୍ଜନ କରିଥିଲା ବେଳେ କମଳା ରାଓ୍ଵତ ୩, ପ୍ରତିଭା ଚୌଧୁରୀ ୪, କୋମଳ ସାହାନୀ ୨, ପ୍ରାଞ୍ଜଲ ଶର୍ମା ଓ ସାଧନା ସିଂ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ବର୍ଗ-ବିର ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ୱର ଛାତ୍ର କ୍ରୀଡାବାସ ୧-୩ ଗୋଲ୍‌ରେ ଉତ୍ତର-କେନ୍ଦ୍ରୀୟ ରେଳବାଇ (ଆଲ୍ଲାହାବାଦ୍‌)ଠାରୁ ପରାସ୍ତ ହୋଇଥିଲା। ଆଲାହାବାଦ୍‌ ପକ୍ଷରୁ ବିନିତା କିଣ୍ଡୋ, ଶ୍ୟାମା ଟିଡଗାମା ଏବଂ ସୁଲେଖା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଭୁବନେଶ୍ୱର ପକ୍ଷରୁ ଅସୀମ କଞ୍ଚନ ବାର୍ଲା ଏକମାତ୍ର ଗୋଲ୍‌ କରିଥିଲେ। ଶେଷ ମ୍ୟାଚ୍‌ରେ ଧାନବାଦ ଉତ୍ତର-କେନ୍ଦ୍ରୀୟ ରେଳବାଇ ଦଳ ୨-୦ ଗୋଲ୍‌ରେ ଚଣ୍ଡିଗଡ଼ ୟୁକୋ ବ୍ୟାଙ୍କ ଦଳକୁ ପରାସ୍ତ କରିଥିଲା। ଧାନବାଦ ଦଳ ତରଫରୁ ମରିୟନ୍‌ ଚାମ୍ପିଆ ଏବଂ ସ୍ୱାତୀ ହେରେଂଜ୍‌ ଗୋଟିଏ ଲେଖାଏଁ ଗୋଲ ମାରିଥିଲେ।

ସମ୍ବନ୍ଧିତ ଖବର