ନୂଆଦିଲ୍ଲୀ,: ଭାରତୀୟ ମହିଳା ହକି ଦଳ ବିଶ୍ୱ ମାନ୍ୟତାରେ ପ୍ରଥମ ଥର ଲାଗି ନବମ ସ୍ଥାନ ଅଧିକାର କରିଛି। ପୂର୍ବରୁ ଦଶମ ସ୍ଥାନରେ ଥିବା ରାଣୀ ରାମ୍ପଲଙ୍କ ଦଳ ସଦ୍ୟ ସମାପ୍ତ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ ସହ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଥିଲା। କ୍ୱାର୍ଟର୍ରେ ଆୟର୍ଲାଣ୍ଡଠୁ ୧-୩ ସୁଟ୍ଆଉଟ୍ରେ ବିଦା ହୋଇ ସେମିଫାଇନାଲ୍ରୁ ବଞ୍ଚିତ ହୋଇଥିଲା। ହେଲେ ପ୍ରଭାବୀ ପ୍ରଦର୍ଶନ ଯୋଗୁଁ ମଙ୍ଗଳବାର ବିଶ୍ୱ ହକି ମହାସଂଘ ପକ୍ଷରୁ ଘୋଷିତ ସାନି ମାନ୍ୟତା ତାଲିକାର ଗୋଟିଏ ସ୍ଥାନ ଲମ୍ଫ ଦେଇ ନବମରେ ପହଞ୍ଚିଛି। ଯାହାକି ଭାରତ ପାଇଁ ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା। କେବଳ ସେତିକି ନୁହେଁ, ଭାରତୀୟ ମହିଳା ଦଳ ମଧ୍ୟ ଏସିଆର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଭାରତ ଏବେ କୋରିଆ (ଦଶମ), ଚୀନ୍ (ଏକାଦଶ) ଓ ଜାପାନ (ଚତୁର୍ଦଶ) ଉପରକୁ ରହିଛି। ମହିଳା ମାତ୍ୟତାରେ ନେଦରଲାଣ୍ଡ୍ ଶୀର୍ଷରେ ଅପରିବର୍ତିିତ ରହିଛି। ଭାରତୀୟ ମହିଳା ହକି ଦଳ ମଙ୍ଗଳବାରଠୁ ବେଙ୍ଗାଲୁରୁସ୍ଥିତ ସାଇ କ୍ୟାମ୍ପସ୍ରେ ଏସୀୟ କ୍ରୀଡ଼ା ପ୍ରସ୍ତୁତି ଶିବିରରେ ଯୋଗ ଦେଇଛନ୍ତି। ଶିବିରରେ ଓଡ଼ିଶାରୁ ୫ ଖେଳାଳି ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଏବଂ ଅନୁପା ବାର୍ଲା ସାମିଲ ହୋଇଛନ୍ତି।
ଅନ୍ୟପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ରୌପ୍ୟ ବିଜେତା ଭାରତୀୟ ପୁରୁଷ ଦଳ ପଞ୍ଚମ ସ୍ଥାନରେ ସ୍ଥିର ରହିଛି। ଏଥି ସହିତ ଭାରତ ମଧ୍ୟ ୨୦୧୨ ଅଲିମ୍ପିକ୍ ବିଜେତା ଜର୍ମାନି, ଇଂଲଣ୍ଡ, ସ୍ପେନ୍, ନ୍ୟୁଜିଲାଣ୍ଡ୍ ଓ ଆୟର୍ଲାଣ୍ଡ୍ ଭଳି ଦଳଠୁ ଉପରେ ରହିଛି। ଅଷ୍ଟ୍ରେଲିଆ ଶୀର୍ଷ ମାନ୍ୟତା ବଜାୟ ରଖିଛି।
ମାନ୍ୟତାରେ ମହିଳା ଉଠିଲେ; ପୁରୁଷ ସ୍ଥିର
/sambad/media/post_attachments/wp-content/uploads/2018/08/women-hockey.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)