ମହିଳା ହକି ଶୃଙ୍ଖଳା ୧-୧, ଭାରତ-ବ୍ରିଟେନ୍‌ ଶେଷ ମ୍ୟାଚ୍‌ ଅମୀମାଂସିତ

ମାର୍ଲୋ (ଇଂଲଣ୍ଡ): ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଅମୀମାଂସିତ ରଖିଛି। ଉଭୟ ଭାରତ ଓ ଗ୍ରେଟ୍‌ ବ୍ରିଟେନ୍‌ ଦଳ ଗୋଟିଏ ଲେଖାଏଁ ମ୍ୟା‌ଚ୍‌ ଜିତିଥିଲା ବେ‌ଳେ ଅବଶିଷ୍ଟ ୩ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଗସ୍ତର ପ୍ରଥମ ମ୍ୟାଚ୍‌କୁ ଭାରତ ୨-୧ ଗୋଲ୍‌ରେ ଜିତିବା ପରେ ଦ୍ବିତୀୟ ଓ ତୃ୍ତୀୟ ମ୍ୟାଚ୍‌ ଯଥାକ୍ରମେ ୧-୧ ଓ ୦-୦ରେ ଅମୀମାଂସିତ ରହିଥିଲା। ଏହାପରେ ଚତୁର୍ଥ ମ୍ୟାଚ୍‌କୁ ବ୍ରିଟେନ୍‌ ୩-୧ରେ ଜିତି ଶୃ୍ଙ୍ଖଳା ସ୍ଥିତି ସମାନ କରିଦେଇଥିଲା। ଫଳରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ହେଲେ ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ନଭ୍‌ଜୋତ୍‌ କୌର ଅଷ୍ଟମ ମିନିଟ୍‌ରେ ଓ ଗୁର୍‌ଜିତ୍‌ କୌର ପେନାଲ୍‌ଟି କର୍ନରରୁ ୪୮ ମିନିଟ୍‌ରେ ଭାରତ ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଏଲିଜାବେଥ୍‌ ନିଏଲ୍‌ ୫୫ ମିନିଟ୍‌ରେ ଓ ଆନ୍ନା ଟୋମାନ୍‌ ୬୦ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ ବିଜୟରୁ ବଞ୍ଚିତ କରିଥିଲେ। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ରେ ଅମୀମାଂସିତ ଭାବେ ଶେଷ ହେଲା। ତେଣୁ ନିଜଠୁ ଶକ୍ତିଶାଳୀ ଦଳ ଇଂଲଣ୍ଡ ବିପକ୍ଷରେ ଶୃଙ୍ଖଳା ଅମୀମାଂସିତ ରଖିପାରିଥିବାରୁ ବିଶ୍ବ ମାନ୍ୟତାର ନବମ ଭାରତ ଖୁସୀର ସହ ଗସ୍ତ ଶେଷ କରିଛି।

ସବିତାଙ୍କ ଦ୍ବିଶତକ
ଭାରତୀୟ ଦଳର ଉପଅଧିନାୟିକା ତଥା ଅଭିଜ୍ଞ ଗୋଲ୍‌କିପର ସବିତା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ମ୍ୟାଚ୍‌ ଖେଳିବା ଅବସର‌ରେ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ଶୁକ୍ରବାର ମ୍ୟାଚ୍‌ ଖେଳି ସେ ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ଗୌରବ ବହନ କରିଛନ୍ତି। ୨୦ ବର୍ଷ ବୟସରେ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତା‌ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ସବିତା ୨୦୧୭ରେ କାନାଡାରେ ଆୟୋ‌ଜିତ ହକି ବିଶ୍ବ ଲିଗ୍‌ ରାଉଣ୍ଡ-୨ରେ ଶ୍ରେଷ୍ଠ ଗୋଲ୍‌କିପର ବିବେଚିତ ହୋଇଥିଲେ। ସେ ମଧ୍ୟ ୨୦୧୩ ମାଲେସିଆ ଏସିଆ କପ୍‌ କାଂସ୍ୟ ବିଜେତା ଏବଂ ୨୦୧୬ ମହିଳା ଏସୀୟ ଚାମ୍ପିଅନ୍‌ସିପ୍‌ ବିଜେତା ଭାରତୀୟ ଦଳର ସଦସ୍ୟା ଥିଲେ। ୨୦୧୭ ଏସିଆ କପ୍‌ ସ୍ବର୍ଣ୍ଣ ବିଜେତା ଦଳର ସଦସ୍ୟା ଥିଲା ବେଳେ ଶ୍ରେଷ୍ଠ ଗୋଲ୍‌କିପର ପୁରସ୍କାର ମଧ୍ୟ ହାସଲ କରିଥିଲେ। ପୁଣି ୨୦୧୮ ଏସୀୟ ଚାମ୍ପିଅନ୍‌ସିପ୍ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଭାରତୀୟ ଦଳ ସହ ୧୦ ବର୍ଷର ସଂପର୍କ ମଧ୍ୟରେ ସବିତା ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଅଂଶଗ୍ରହଣ କରିଥି‌ଲେ। ମହିଳା ହକି ପ୍ରତି ତାଙ୍କର ଅବଦାନ ପାଇଁ ସବିତାଙ୍କୁ ୨୦୧୮ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ମାଇଲଖୁଣ୍ଟ ଛୁଇଁବା ପରେ ସବିତାଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍‌ ଅହମ୍ମଦ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର