ମହିଳା ହକି ଶୃଙ୍ଖଳା, ମାଲେସିଆକୁ ପୁଣି ହରାଇଲା ଭାରତ

କୁଆଲାଲୁମ୍ପୁର (ମାଲେସିଆ): ୫ ମ୍ୟାଚ୍‌ ବିଶିଷ୍ଟ ହକି ଶୃଙ୍ଖଳା ଖେଳିବାକୁ ମାଲେସିଆ ଗସ୍ତରେ ଥିବା ଭାରତୀୟ ମହିଳା ଦଳ ବିଜୟ ଧାରା ଜାରି ରଖିଛି। ଗୁରୁବାର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳକୁ ୩-୦ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ଶନିବାର ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଆଧିପତ୍ୟ ବିସ୍ତାର କରି ମାଲେସିଆକୁ ୫-୦ ଗୋଲ୍‌ରେ ପରାସ୍ତ କରିଦେଇଛି। ନଭ୍‌ଜୋତ୍‌ କୌର (୧୨ ମିନିଟ୍‌), ବନ୍ଦନା କାଟାରିୟା (୨୦ ମିନିଟ୍‌), ନଭ୍‌ନୀତ୍‌ କୌର (୨୯ ମିନିଟ୍‌), ଲାଲ୍‌ରେମ୍‌ସିଆମି (୫୪ ମିନିଟ୍‌) ଏବଂ ନିକ୍କି ପ୍ରଧାନ (୫୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଭାରତକୁ କ୍ରମାଗତ ଏକପାଖିଆ ବିଜୟ ‌ଭେଟି ଦେଇଥିଲେ। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଭାତରକୁ ପେନାଲ୍‌ଟି କର୍ନର ମିଳିଥିଲେ ମଧ୍ୟ ମାଲେସିଆ ରକ୍ଷଣଭାଗ ଦୃଢ଼ତାର ସହ ବଞ୍ଚାଇ ଦେଇଥିଲେ। ଏପରିକି ନଭ୍‌ଜୋତ୍‌ ଦଳ ପାଇଁ ପ୍ରଥମ ଗୋଲ୍‌ କରିବା ପୂର୍ବରୁ ମଧ୍ୟ ଭାରତର ଆଉ ଦୁଇଟି ସୁଯୋଗକୁ ମାଲେସିଆ ଭଣ୍ଡୁର କରି‌ଦେଇଥିଲା। ପ୍ରଥମ କ୍ବାର୍ଟରରେ ୧-୦ର ଅଗ୍ରଣୀ ପରେ ଭାରତ ଦ୍ବିତୀୟ କ୍ବାର୍ଟରରେ ଦୁଇଟି ଗୋଲ୍‌ ଲଦି ଦେଇଥିଲା। ପ୍ରଥମ ମ୍ୟାଚ୍‌ରେ ଯୁଗଳ ଗୋଲ୍‌ କରିଥିବା ଅଭିଜ୍ଞ ବନ୍ଦନା ଓ ନଭ୍‌ନୀତ୍‌ ଦୁଇଟି ଫିଲ୍‌ଡ ଗୋଲ୍‌ କରିବାରୁ ଭାରତ ମଧ୍ୟାନ୍ତର ‌ବେଳକୁ ୩-୦ରେ ଆଗେଇ ଯାଇଥିଲା। ଏହାପରେ ତୃତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିବା ପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଆଉ ଦୁଇଟି ଗୋଲ୍‌ କରି ୫-୦ ବ୍ୟବଧାନରେ ବିଜୟୀ ହୋଇଥିଲା। ବିଜୟ ସତ୍ତ୍ବେ ଆମ ଖେଳର ମାନରେ ଆହୁରି ଉନ୍ନତି ଆଣିବାକୁ ପଡ଼ିବ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌। ପରର୍ବତୀ ମ୍ୟାଚ୍‌ରେ ଦଳ ପ୍ରଦର୍ଶନରେ ଉନ୍ନତି ଆଣିପାରିବ ବୋଲି ସେ ଆଶା ବାନ୍ଧିଛନ୍ତି। ଭାରତ ତା’ର ପରବର୍ତୀ ତଥା ତୃତୀୟ ମ୍ୟାଚ୍‌ ୮ ତାରିଖ ଦିନ ଖେଳିବ।

ସମ୍ବନ୍ଧିତ ଖବର