ସ୍ପେନ୍‌ରେ ମହିଳା ହକି ଦଳର ପ୍ରଥମ ବିଜୟ

ମୁର୍ସିଆ (ସ୍ପେନ୍‌): ସ୍ପେନ୍‌ ଗସ୍ତର ପ୍ରଥମ ମ୍ୟାଚ୍‌କୁ ୨-୩ ଗୋଲ୍‌ରେ ହାରିବା ପରେ ଦ୍ବିତୀୟ ମ୍ୟାଚ୍‌କୁ ୧-୧ରେ ଅମୀମାଂସିତ ରଖିଥିବା ଭାରତୀୟ ମହିଳା ହକି ଦଳ ମଙ୍ଗଳବାର ପ୍ରଥମ ବିଜୟ ପାଇଛି। ଭାରତୀୟ ଦଳ ମଙ୍ଗଳବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ‌୫-୨ ଗୋଲ୍‌ରେ ବିଶ୍ବକପ୍‌ କାଂସ୍ୟ ବିଜେତା ସ୍ପେନ୍‌କୁ ପରାସ୍ତ କରିଦେଇଛି। ସପ୍ତମ ମିନିଟ୍‌ରେ ବର୍ତା ବୋନାସ୍ତ୍ରେଙ୍କ ଗୋଲ୍‌ରେ ସ୍ପେନ୍‌ ଆଗୁଅ ହୋଇଥିଲା। ‌୧୭ତମ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଲାଲ୍‌ରେମସିଆ‌ମି ଶୁଝି ଦେଇଥିଲେ। ଏହାପରେ ନେହା‌ ଗୋଏଲ (୨୧ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ୨-୧ରେ ଆଗୁଆ ହୋଇଥିଲା। ତୃତୀୟ କ୍ବାର୍ଟର୍‌ରେ ନବନୀତ କୌର (୩୨ ମିନିଟ୍‌)ଙ୍କ ଗୋଲ୍‌‌ରେ ଭାରତ ୩-୧ରେ ପହଞ୍ଚିଥିଲା। ହେଲେ ସ୍ପେନ୍‌ ବୋନାସ୍ତ୍ରେ (୩୫ ମିନିଟ୍‌)ଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌ ବଳରେ ସ୍ଥିତି ୨-୩ କରିଦେଇଥିଲା। କିନ୍ତୁ ଭାରତୀୟ ଅଧିନାୟିକା ରାଣୀ ୫୧ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇ ଦଳକୁ ୪-୨ରେ ଅଗ୍ରଣୀ କରାଇଥିଲେ। ୫୮ ମିନିଟ୍‌ରେ ଲାଲ୍‌ରେମସିଆମି ପୁଣି ଏକ ଗୋଲ୍‌ ଦେଇ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇବା ସହ ଭାରତକୁ ୫-୨ ବ୍ୟବଧାନର ବିଜୟ ଭେଟି ଦେବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ଗୁରୁବାର ଭାରତୀୟ ଦଳ ଗସ୍ତର ଚତୁର୍ଥ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର