ଭାରତର ସାନ୍ତ୍ୱନାମୂଳକ ବିଜୟ

ମହିଳା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା

ମୁମ୍ବାଇ: ନିଜ ଘରୋଇ ମାଟିରେ ଖେଳୁଥିବା ମହିଳା ତିରାଷ୍ଟ୍ରୀୟ ଶୃଙ୍ଖଳାରେ ଭାରତ ଶେଷରେ ବିଜୟ ପାଇଲା। ଲଗାତାର ୩ ପରାଜୟ ପରେ ଗୁରୁବାର ଚତୁର୍ଥ ତଥା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୮ ଓ୍ଵିକେଟ୍‌ରେ ପରାସ୍ତ କରି ଭାରତ ସାନ୍ତ୍ୱନାମୂଳକ ବିଜୟ ହାସଲ କଲା। ବିଶେଷକରି ସ୍ପିନରଙ୍କ କମାଲ୍‌ ପରେ ସ୍ମୃତି ମାନ୍ଧାନାଙ୍କ କ୍ରମାଗତ ଅର୍ଧଶତକ ହିଁ ଭାରତ ବିଜୟର ଶ୍ରେୟ ଥିଲା। ଏଥି ସହିତ ଭାରତ ଚଳିତ ଶୃଙ୍ଖଳାରେ ପଏଣ୍ଟ୍‌ ଖାତା ଖୋଲିବା ସାଙ୍ଗକୁ ୬ ମ୍ୟାଚ୍‌ ବିଜୟଶୂନ୍ୟର ଧାରାକୁ ଭାଙ୍ଗିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିଲେ ମଧ୍ୟ ପୂର୍ବରୁ ୨ ବିଜୟ ଯୋଗୁଁ ଅଷ୍ଟ୍ରେଲିଆ ସହ ଫାଇନାଲ୍‌ ଖେଳିବା ନିଶ୍ଚିତ କରିଛି। ଆସନ୍ତା ୩୧ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଭାରତୀୟ ସ୍ପିନରମାନେ ଇଂଲଣ୍ଡକୁ ବଡ଼ ସ୍କୋର୍‌ କରିବାକୁ ଦେଇନଥିଲେ। ମୁଖ୍ୟତଃ ଅନୁଜା ପାଟିଲ (୩/୨୧), ରାଧା ଯାଦବ (୨/୧୬), ଦୀପ୍ତି ଶର୍ମା (୨/୨୪), ପୂନମ୍‌ ଯାଦବ (୨/୧୭) ଏବଂ ଦ୍ରୁତ ବୋଲର ପୂଜା ଭସ୍ତ୍ରକାର (୧/୧୭) ମିଳିତ ଭାବେ ୧୦ ଓ୍ଵିକେଟ୍‌ ବାଣ୍ଟି ନେବାରୁ ଇଂଲଣ୍ଡ ୧୮.୫ ଓଭରରେ ୧୦୭ ରନ୍‌ରେ ସଫା ହୋଇଯାଇଥିଲା। ଡାନିଏଲ୍‌ ଓ୍ଵାତ୍‌ ସର୍ବାଧିକ ୩୧ ରନ୍‌ କରିଥିଲେ। ଜବାବରେ ସ୍ମୃତି ମାନ୍ଧାନାଙ୍କ ଅପରାଜିତ ୬୨ (୪୧ ବଲ୍‌, ୮ ଚୌକା, ୧ ଛକା) ଏବଂ ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌରଙ୍କ ଅପରାଜିତ ୨୦ ରନ୍‌ ବଳରେ ଭାରତ ୧୫.୪ ଓଭରରେ ୨ ଓ୍ଵିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ଉଭୟ ମାନ୍ଧାନା ଓ ହର୍‌ମନ୍‌ପ୍ରୀତ୍‌ ଅସମାପ୍ତ ତୃତୀୟ ଓ୍ଵିକେଟ୍‌ରେ ୬୦ ରନ୍‌ ଯୋଡ଼ିଥିଲେ। ଶେଷ ୬ ମ୍ୟାଚ୍‌ରୁ ମାନ୍ଧାନାଙ୍କର ଏହା ପଞ୍ଚମ ତଥା ଚଳିତ ଶୃଙ୍ଖଳାରେ ତୃତୀୟ ଅର୍ଧଶତକ ଥିଲା। ତେବେ ଅନୁଜା ପାଟିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର