ମହିଳା ଆଇପିଏଲ : ଫେବ୍ରୁଆରି ୧୩ରେ ହେବ ଖେଳାଳି ନିଲାମୀ

ମୁମ୍ବାଇ : ଆସନ୍ତା ଫେବ୍ରୁଆରି ୧୩ରେ ମହିଳା ଆଇପିଏଲ୍ ଦଳଗୁଡ଼ିକ ପାଇଁ ଖେଳାଳି ନିଲାମ ହେବ । ଏ ସଂପର୍କରେ ମଙ୍ଗଳବାରଦିନ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ୧୨ ତାରିଖରେ ଟି-୨୦ ମହିଳା ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚ ହେବାକୁ ଥିବାବେଳେ ତାହାର ଦିନକ ପରେ ଏହି ନିଲାମ ହେବ । ମୁମ୍ବାଇର ଜିଓ କନଭେନସନ ସେଣ୍ଟରଠାରେ ୧୩ ତାରିଖ ଅପରାହ୍ଣ ସାଢେ ୨ଟା ବେଳେ ମୋଟ ୫ଟି ଦଳ ପାଇଁ ଏହି ନିଲାମୀ ଅନୁଷ୍ଠିତ ହେବ ।

ଏହି ନିଲାମୀ ପାଇଁ ମୋଟ ୧୫୨୫ ଜଣ ଖେଳାଳି ପଂଜୀକରଣ କରିଛନ୍ତି, ମାତ୍ର ସେମାନଙ୍କ ମଧ୍ୟରୁ ୪୦୯ ଜଣଙ୍କ ପାଇଁ ନିଲାମ ହେବ । ଏମାନଙ୍କ ମଧ୍ୟରେ ୨୪୬ ଜଣ ଭାରତୀୟ ଓ ୧୬୩ ଜଣ ବିଦେଶୀ ଖେଳାଳି ଅଛନ୍ତି ।

ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଏହି ଆଇପିଏଲରେ ୫ଟି ଦଳ – ଅହମଦାବାଦ, ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ ଓ ଲକ୍ଷ୍ନୌ ରହିବେ ।

ଗତ ମାସରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

 

ସମ୍ବନ୍ଧିତ ଖବର