ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ୍(ବିସିସିଆଇ) ୨୦୨୨ ଆଇପିଏଲର ସମସ୍ତ ମ୍ୟାଚ୍ ଭାରତରେ ହିଁ ଖେଳାଯିବ ବୋଲି ନିଷ୍ପତ୍ତି ନେଇଛି। ଏଥିସହ ଚଳିତ ବର୍ଷ ମହିଳା ଆଇପିଏଲ୍ ମଧ୍ୟ ଅନୁଷ୍ଠିତ ହେବ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆଜି ଏହି ସୂଚନା ଦେଇ  କହିଛନ୍ତି, ଲିଗ୍ ରାଉଣ୍ଡର ମ୍ୟାଚଗୁଡିକ ମହାରାଷ୍ଟ୍ରର ଦୁଇଟି ସହର ମୁମ୍ବାଇ ଓ ପୁନେରେ ଖେଳାଯିବ। ପ୍ଲେଅଫ୍ ଓ ଫାଇନାଲ ମ୍ୟାଚ କେଉଁଠି ଖେଳାଯିବ ସେ ବିଷୟରେ ପରେ ନିଷ୍ପତ୍ତି ନିଆଯିବ।ମହିଳା ଆଇପିଏଲ ଏ ବର୍ଷ ପୁଣି ଥରେ ଖେଳାଯିବ। ଆଶା କରୁଛୁ ଆମେ ଭବିଷ୍ୟତରେ ଏକ ବଡ ମହିଳା ଆଇପିଏଲ ଆୟୋଜନ କରିବାକୁ ସକ୍ଷମ ହେବୁ।

Advertisment

ମହିଳା ଆଇପିଏଲରେ ୩ଟି ଦଳ ଭାଗ ନେଇଥାନ୍ତି। ଏହି ଦଳଗୁଡିକ ହେଲା ସୁପରନୋଭାସ୍, ଭେଲୋସିଟି ଓ ଟ୍ରେଲ୍-ବ୍ଲେଜର୍ସ । ଆଜି ପର୍ଯ୍ୟନ୍ତ ମହିଳା ଆଇପିଏଲ କେବଳ ୩ ଥର ଖେଳାଯାଇଛି। ୨୦୧୮ ଓ ୧୯ରେ ସୁପରନୋଭାସ୍ ଦଳ ଅଇପିଏଲ ଚମ୍ପଆନ ହୋଇଥିଲା। ୨୦୨୦ରେ ଟ୍ରେଲ୍-ବ୍ଲେଜର୍ସ ଚମ୍ପଆନ ହୋଇଥିଲା।କରୋନା ଯୋଗୁଁ ୨୦୨୧ରେ ମହିଲା ଆଇପିଏଲର ଆୟୋଜନ ହୋଇପାରିନଥିଲା। ମହିଳା ଆଇପିଏଲ ମେ ମାସରେ ଖେଳାଯିବ।

ଗାଙ୍ଗୁଲି ସୂଚନା ଦେଇଛନ୍ତି, ଭାରତରେ କରୋନାର ବର୍ତ୍ତମାନ ସ୍ଥିତିକୁ ଦେଖି ଭାରତରେ ଆଇପିଏଲ ଖେଳାଯିବାକୁ ନିଆ ନିଷ୍ପତ୍ତି ହୋଇଛି। ଦେଶ ବାହାରେ ଆଇପିଏଲ ଆୟୋଜନ କରିବାକୁ ସେତେବେଳେ ନିଷ୍ପତ୍ତି ନିଆଯିବ ଯେତେବେଳେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯିବ।

ଉଲ୍ଲେଖନୀୟ ଯେ ମୁମ୍ବାଇରେ ହିଁ ଓ୍ଵାଙ୍ଖେଡେ, ଡିଓ୍ଵାଇ ପାଟିଲ୍ ଓ ବାବୋର୍ଣ୍ଣ ଆଦି ୩ଟି ଷ୍ଟାଡିୟମ ଅଛି। ପୁନେରେ ଗୋଟିଏ ଷ୍ଟାଡିୟମ ଅଛି। ମୁମ୍ଵାଇ ଓ ପୁନେରେ ମ୍ୟାଚଗୁଡିକ ହେଲେ ଟିମଗୁଡ଼ିକୁ ବିମାନରେ ଅଧିକ ଦୂର ଓ ନୂଆ ସ୍ଥାନକୁ ଯାତ୍ରା କରିବାକୁ ପଡିବ ନାହିଁ। ଦଳଗୁଡିକ ବସ୍ ଦ୍ଵାରା ହିଁ ଗୋଟିଏ ଷ୍ଟାଡିୟମରୁ ଅନ୍ୟ ଗୋଟିଏ ଷ୍ଟାଡିୟମକୁ ଯାତ୍ରା କରି ପାରିବେ।

ଏ ବର୍ଷ ପୁରୁଷ ଆଇପିଏଲରେ ୧୦ଟି ଦଳ ଭାଗନେବେ ଓ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସୂଚନାଯୋଗ୍ୟ, ବିସିସିଆଇ ସମସ୍ତ ଆଇପିଏଲ ଦଳଙ୍କୁ କହିଛି ଯେ ମାର୍ଚ୍ଚ ୨୭ରୁ ଏ ବର୍ଷ ଆଇପିଏଲ ଆୟୋଜନ କରିବାକୁ ବିଚାର କରାଯାଉଛି। ତେବେ ସଠିକ୍ ଭାବେ କେବେ ଆଇପିଏଲ ଖେଳାଯିବ ତାହା ଘୋଷଣା କରାଯାଇ ନାହିଁ।