ମହିଳା ଦିନିକିଆ ଶୃଙ୍ଖଳା ଜିତିଲା ଭାରତ, ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ରେ ପରାସ୍ତ

ଭଦୋଦରା: ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ନେଇଥିବା ଭାରତୀୟ ଦଳ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ଆଗୁଆ କବ୍‌ଜା କରିନେଇଛି। ପ୍ରଥମ ଦିନିକିଆକୁ ୮ ୱିକେଟ୍‌ରେ ଜିତିଥିବା ଘରୋଇ ଭାରତ ଶୁକ୍ରବାର ଦ୍ବିତୀୟ ଦିନିକିଆକୁ ୫ ୱିକେଟ୍‌ରେ ଜିତି ନେଇଛି। ଫଳରେ ୨-୦ ଅଗ୍ରଣୀ ସହ ତୃତୀୟ ତଥା ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା ହାତେଇଛି। ଅର୍ଧଶତକୀୟ ପାଳି ଖେଳିଥିବା ପୁନମ୍‌ ରାଉତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ଶୁକ୍ରବାର ଟସ୍‌ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ଶିଖା ପାଣ୍ଡେ (୨/୩୮), ଏକ୍‌ତା ବିସ୍ତ (୨/୪୫) ଓ ପୁନମ୍‌ ଯାଦବ (୨/୪୨) ମିଳିତ ଭାବେ ୬ ୱିକେଟ୍‌ ଦଖଲ କରିଥିଲା ବେଳେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୨୪୭/୬ର ସମ୍ମାନଜନକ ସ୍କୋର୍‌ ହାସଲ କରିନେଇଥିଲା। ଉଲ୍‌ଭାର୍ଟ (୬୯) ଏକା ଅର୍ଧଶତକ ଜମାଇଥିଲା ବେଳେ ଲି (୦), ଡୁ ପ୍ରିଜ୍‌ (୪୪), ଗୁଡ୍‌ଅଲ୍‌ (୩୮) ଓ ଚେଟି (୨୨) ମୂଲ୍ୟବାନ ଅବଦାନ ଦେଇଥିଲେ। ଜବାବ‌ରେ ଭାରତ ପୁନମ୍‌ ରାଉତ (୬୫ ରନ୍‌, ୭ ଚୌକା), ଅଧିନାୟିକା ମିତାଲି ରାଜ (୬୬ ରନ୍‌, ୮ ଚୌକା) ଏବଂ ହର୍‌ମନ୍‌ପ୍ରୀତ୍‌ କୌର (ଅପରାଜିତ ୩୯ ରନ୍‌, ୫ ଚୌକା, ୧ ଛକା)ଙ୍କ ବଳରେ ୧୨ ବଲ୍‌ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ପୁନମ୍‌ ଓ ମିତାଲି ତୃତୀୟ ୱିକେଟ୍‌ରେ ୧୨୯ ରନ୍ ଯୋଡ଼ି ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ୪୮ ଓଭର‌ରେ ଭାରତ ୫ ୱିକେଟ୍‌ ବିନିମୟରେ ୨୪୮ ରନ୍‌ କରିଥିଲା। ପ୍ରିୟା ପୂନିଆ ୨୦, ଜେମିମା ରୋଦ୍ରିଗ୍ବେଜ ୧୮ ରନ୍‌ର ଅବଦାନ ଛାଡ଼ିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଖାଖା ୩ ୱିକେଟ୍‌ ନେଇ ସଫଳ ବୋଲର ରହିଥିଲେ।

ସମ୍ବନ୍ଧିତ ଖବର