ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ୍ରେ ମୁମ୍ବାଇ ଇଣ୍ଡିଆନ୍ସର ବିଜୟ ଧାରା ଜାରି ରହିଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସୋମବାର ନିଜର ଦ୍ବିତୀୟ ମ୍ୟାଚ୍ରେ ଏହି ଦଳ ୯ ୱିକେଟ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଏଥିସହ ମୁମ୍ବାଇ ଦ୍ବିତୀୟ ବିଜୟ ପାଇଥିଲା ବେଳେ ବାଙ୍ଗାଲୋର ଦ୍ବିତୀୟ ପରାଜୟ ବରଣ କରିଛି। ବିସ୍ଫୋରକ ଅର୍ଦ୍ଧଶତକ ସହ ୩ ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ହାଲି ମାଥ୍ୟୁଜ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
୧୫୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୧୪.୨ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ୟାସ୍ତିକା ଭାଟିଆ (୨୩) ଓ ମାଥ୍ୟୁଜ ପ୍ରଥମ ୱିକେଟ୍ରେ ୪୫ ରନ୍ ଯୋଡ଼ି ଥିଲେ। ଭାଟିଆ ଆଉଟ୍ ହେବାପରେ ନାଟ ସିଭର ବ୍ରଣ୍ଟଙ୍କ ସହ ମାଥ୍ୟୁଜ ଦ୍ବିତୀୟ ୱିକେଟ୍ରେ ଶତକୀୟ ଭାଗୀଦାରି (୧୧୪ ରନ, ୫୬ ବଲ୍) ତୋଳି ଦଳକୁ ସହଜ ବିଜୟ ଦେଇଥିଲେ। ମାଥ୍ୟୁଜ (୭୭*, ୩୮ ବଲ୍, ୧୩ ଚୌକା, ୧ ଛକା) ଓ ସିଭର ବ୍ରଣ୍ଟ (୫୫*, ୨୯ ବଲ୍, ୯ ଚୌକା, ୧ ଛକା) ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏକମାତ୍ର ୱିକେଟ୍ଟି ପ୍ରୀତି ବୋଷଙ୍କୁ ମିଳିଥିଲା।
ପୂର୍ବରୁ ଟସ୍ ଜିତି ସ୍ମୃତି ମନ୍ଧାନାଙ୍କ ଆର୍ସିବି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସ୍ମୃତି ଓ ଷ୍ଟେଫି ଡେଭିନ ୪.୨ ଓଭରରେ ୩୯ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଡେଭିନ (୧୬) ଓ ଦିଶା କାସାତ (୦) ଦୁଇଟି ବଲ୍ ବ୍ୟବଧାନରେ ଆଉଟ୍ ହୋଇଯିବାରୁ ରନ୍ ଗତି ଧିମା ହୋଇଯାଇଥିଲା। ଏହା ପର ଓଭରରେ ଦଳୀୟ ସ୍କୋର୍ ୪୩ ଥିଲା ବେଳେ ମନ୍ଧାନା (୨୩) ଓ ହିଦର ନାଇଟ (୦) ପାଭିଲିୟନ ଫେରିଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ଝଡ଼ିଥିଲେ ମଧ୍ୟ ରିଚା ଘୋଷ (୨୮), କନିକା ଆହୁଜା (୨୨), ଶ୍ରେୟଙ୍କା ପାଟିଲ (୨୩), ମେଗାନ ସ୍କୁଟ (୨୦) କିଛି କିଛି ରନ୍ ଯୋଡ଼ିବାରୁ ଦଳ ୧୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା। ହାଲି ମାଥ୍ୟୁଜ (୪-୦-୨୮-୩), ସାଇକା ଈଶାକ (୪-୦-୨୬-୨) ଓ ଆମିଲିଆ କେର (୩.୪-୦-୩୦-୨) ବୋଲିଂ ସଫଳତା ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୮.୪ ଓଭରରେ ୧୫୫/୧୦ (ରିଚା ଘୋଷ-୨୮, ସ୍ମୃତି ମନ୍ଧାନା-୨୩, ଶ୍ରେୟଙ୍କା ପାଟିଲ୍-୨୩, ହାଲି ମାଥ୍ୟୁଜ୍-୩/୨୮, ସାଇକା ଈଶାକ-୨/୨୬, ଆମେଲିଆ କେର୍-୨/୩୦)। ମୁମ୍ବାଇ ଇଣ୍ଡିଆନ୍ସ ୧୪.୨ ଓଭରରେ ୧୫୯/୧ (ହାଲି ମାଥ୍ୟୁଜ୍-୭୭*, ନାଟ୍ ସିଭର ବ୍ରଣ୍ଟ୍-୫୫*, ପ୍ରୀତି ବୋଷ-୧/୩୪)।