ମହିଳା ପ୍ରିମିୟର୍ ଲିଗ୍: ପଞ୍ଚମ ବିଜୟ ସହ ମୁମ୍ବାଇ ପ୍ଲେ ଅଫ୍‌ରେ

ମୁମ୍ବାଇ: ପାଞ୍ଚ ମ୍ୟାଚ୍‌ରୁ ୫ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବଲ୍ୟୁପିଏଲ୍‌)ର ପ୍ଲେ ଅଫ୍‌ ପ୍ରବେଶକୁ ନିଶ୍ଚିତ କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ହର୍ମନପ୍ରୀତ୍ କୌରଙ୍କ ଦଳ ଏକତରଫା ଭାବେ ଗୁଜରାଟ ଜାଏଣ୍ଟସକୁ ୫୫ ରନ୍‌ରେ ପରାସ୍ତ କରିଥିଲା। ୫ ଦଳୀୟ ଡବ୍ଲୁପିଏଲ ଫର୍ମାଟ ଅନୁସାରେ ଶୀର୍ଷ ଦଳ ସିଧାସଳଖ ଫାଇନାଲ୍ ଖେଳିବ। ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଳ ମଧ୍ୟରେ ଏଲିମିନେଟର୍‌ ଖେଳାଯିବା ପରେ ଦ୍ବିତୀୟ ଫାଇନାଲିଷ୍ଟ ନିର୍ଣ୍ଣୟ କରାଯିବ। ମଙ୍ଗଳବାର ରନ୍‌ ପାଇଁ ମୁମ୍ବାଇ ସଂଘର୍ଷ କରିଥିଲେ ମଧ୍ୟ ଅଧିନାୟିକା ହର୍ମାନପ୍ରୀତଙ୍କ ୨୯ ବଲ୍‌ରୁ ଅର୍ଦ୍ଧଶତକ (୫୧ ରନ୍‌) ବଳରେ ୧୬୨ ରନ୍‌ କରିନେଇଥିଲା। ଜବାବରେ ୩ ବିଦେଶୀ ବୋଲର୍‌ ବ୍ରଣ୍ଟ, ମାଥ୍ୟୁସ, କେର୍‌ ମିଳିତ ଭାବେ ୮ ୱିକେଟ୍ ନେଇ ଗୁଜରାଟକୁ ୧୦୭ ରନ୍‌ରେ ରୋକି ଦେଇଥିଲେ। ଗୁଜରାଟ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ଚାପରେ ପଡ଼ିଛି।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୨/୮ (ହର୍ମନପ୍ରୀତ୍ କୌର-୫୧, ୟାସ୍ତିକା ଭାଟିଆ-୪୪, ନାଟ୍ ଶ୍ଚିଭର ବ୍ରଣ୍ଟ୍‌-୩୬, ଆମେଲିଆ କେର୍‌-୧୯, ଆସଲେ ଗାର୍ଡନର୍‌-୩/୩୪, ସ୍ନେହ ରାଣା-୧/୧୭, କିମ୍ ଗାର୍ଥ-୧/୩୧, ତନୁଜା କନୱର-୧/୩୨)। ଗୁଜରାଟ ଜାଏଣ୍ଟସ୍‌ ୨୦ ଓଭରରେ ୧୦୭/୯ (ହର୍ଲିନ୍ ଦେଓଲ-୨୨, ସ୍ନେହ ରାଣା-୨୦, ସୁଷମା ବର୍ମା-୧୮*, ନାଟ୍ ଶ୍ଚିଭର ବ୍ରଣ୍ଟ-୩/୨୧, ହାଲେ ମାଥ୍ୟୁସ-୩/୨୩, ଆମେଲିଆ କେର୍‌-୨/୧୮, ଇସି ୱଙ୍ଗ-୧/୧୯)।

ସମ୍ବନ୍ଧିତ ଖବର