ଏସିଆଡ଼୍‍ରେ ଭାରତୀୟ ମହିଳା ରିଲେ ଦଳର ଆଧିପତ୍ୟ ଅକ୍ଷୁଣ୍ଣ ରହିଛି। ଗୁରୁବାର ଭାରତ ଏହି ବର୍ଗରୁ ଲଗାତାର ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତି ନେଇଛି। ହିମା ଦାସ, ଏମ୍‌ ଆର ପୁଭାମ୍ମା, ସରିତାବେନ୍‌ ଗାଏକ୍ୱାଡ୍‌ ଓ ବିସ୍ମୟ ଭେଲୁଭା କୋରଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୩ ମିନିଟ୍‌ ୨୮.୭୨ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ହାସଲ କରି ନେଇଥିଲା। ବାହାରିନ୍‌ (୩:୩୦.୬୧) ଓ ଭିଏତନାମ (୩:୩୩.୨୩) ଯଥାକ୍ରମେ ରୌପ୍ୟ  ଏବଂ କାଂସ୍ୟ ପଦକ ପାଇଥିଲେ। ଭାରତ ୨୦୦୨ ଏସିଆଡ଼୍‍ ପରଠାରୁ ମହିଳା ରିଲେରେ ଲଗାତାର ସ୍ୱର୍ଣ୍ଣ ଜିତି ଆସୁଛି। ଭାରତୀୟ ପୁରୁଷ ମହିଳା ଦଳ ୪ ଗୁଣା ୪୦୦ ମିଟର ରିଲେରେ  ରୌପ୍ୟ ପଦକ ପାଇଥିଲା। କୁନୁ ମହମ୍ମଦ, ଧାରୁନ୍‌ ଆୟାସ୍ୱାମୀ, ମହମ୍ମଦ ଆନସ୍‌ ଓ ଆରୋକିଆ ରାଜୀବଙ୍କୁ ନେଇ ଗଠିତ ଭାରତୀୟ ଦଳ (୩:୦୧.୮୫) କାତାର (୩:୦୦.୫୬) ପଛକୁ ରହି ରୌପ୍ୟ ପଦକ ପାଇଥିଲା। ଜାପାନ  (୩:୦୧.୯୪) ଏହି ଇଭେଣ୍ଟର କାଂସ୍ୟ ପଦକ ପାଇଥିଲା। ୨୦୧୪ରେ ଭାରତ ପୁରୁଷ ୪ ଗୁଣା ୪୦୦ର ଚତୁର୍ଥ ସ୍ଥାନରେ ରହିଥିଲା।