ଭାରତୀୟ ମହିଳା କ୍ରିକେଟ ଟିମ୍‌ର କୋଚ ପାଇଁ ଆସନ୍ତାକାଲି ସାକ୍ଷାତକାର, ଦୌଡ଼ରେ ଅଛନ୍ତି କଷ୍ଟର୍ନ, ଗିବସ୍‌, ପାଓ୍ଵାର

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମ୍‌କୁ ନୂଆ କୋଚ ମିଳିବ ଅଥବା ପୁଣି ଥରେ ରମେଶ ପାଓ୍ଵାର କୋଚ ହେବେ, ଏ ନେଇ ଗୁରୁବାର ସ୍ପଷ୍ଟ ହୋଇଯାଇପାରେ। ଭାରତୀୟ ମହିଳା ଟିମ୍‌ ପାଇଁ ମୁମ୍ବାଇରେ ବିସିସିଆଇର ଚୟନ ପ୍ୟାନେଲ ସାକ୍ଷାତକାର ନେବ। ରିପୋର୍ଟ ଅନୁସାରେ ସାକ୍ଷାତକାର ପାଇଁ ଗ୍ୟାରି କଷ୍ଟର୍ନ, ହର୍ସଲ ଗିବସ୍‌ ଓ ରମେଶ ପାଓ୍ଵାରଙ୍କୁ ଡକାଯାଇଛି।

ମହିଳା ଟିମ୍‌ର କୋଚ୍‌ ପାଇଁ ୨୮ ଜଣ ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଯେଉଁମାନଙ୍କ ସାକ୍ଷାତକାର ପାଇଁ ଡକାଯାଇଛି, ସେମାନଙ୍କ ମଧ୍ୟରେ ଗ୍ୟାରି କଷ୍ଟର୍ନ, ହର୍ସଲ ଗିବସ୍‌, ରମେଶ ପାଓ୍ଵାରଙ୍କ ବ୍ୟତୀତ ଡବ୍ଲୁବି ରମଣ, ଭେଙ୍କଟେସ୍‌ ପ୍ରସାଦ, ମନୋଜ ପ୍ରଭାକର, ଟ୍ରେଣ୍ଟ ଜନସନ୍‌, ମାର୍କ କୋଲସ୍‌, ବ୍ରେଡ ହଗ୍‌ ଆଦି ସାମିଲ।

ବିସିସିଆଇର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି, ସର୍ବଶ୍ରେଷ୍ଠ ପ୍ରାର୍ଥୀଙ୍କୁ ଭାରତୀୟ ମହିଳା କ୍ରିକେଟ କୋଚ ପାଇଁ ଚୟନ କରାଯିବ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅଧ୍ୟକ୍ଷ ବିନୋଦ ରାୟ ଏବଂ ଡାଏନା ଏଡୁଲଜି କୋଚ ନିଯୁକ୍ତି ନେଇ ଭିନ୍ନ ଭିନ୍ନ ଆଗ୍ରହ ରଖିଛନ୍ତି। ଏଡୁଲଜି ଚାହୁଁଥିଲେ ଯେ, ପାଓ୍ଵାର ଅତି କମରେ ଆସନ୍ତା ମାସରେ ଭାରତର ନ୍ୟୁଜିଲାଣ୍ଡ ଗସ୍ତ ପର୍ଯ୍ୟନ୍ତ କୋଚ ରୁହନ୍ତୁ। ମାତ୍ର ବିନୋଦ ରାୟ ବିସିସିଆଇର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ପଦ ପାଇଁ ରମେଶ ପାଓ୍ଵାର ଆବେଦନ କରି ପାରିବେ।

ସମ୍ବନ୍ଧିତ ଖବର