ମହିଳା କବାଡ଼ିରେ ରୁପା

ଜାକର୍ତା: ଭାରତକୁ ଏକଦା କବାଡ଼ିର କିଙ୍ଗ୍‌ କୁହାଯାଉଥିଲା। ଏଥର କିନ୍ତୁ ସେହି ଗୌରବର ଲେପ ଲିଭିଯାଇଛି। ୭ ଥର ବିଜେତା ଭାରତୀୟ ପୁରୁଷ କବାଡ଼ି ଦଳର ଅଭିଯାନ ଗୁରୁବାର କାଂସ୍ୟରେ ଶେଷ ହୋଇଥିଲା। ପୁରୁଷ ଦଳ ଇରାନ୍‌ଠୁ ସେମିଫାଇନାଲ୍‌ରେ ହାରି ଯାଇଥିଲା। ଶୁକ୍ରବାର ମହିଳା ଦଳ ମଧ୍ୟ ସମାନ ପ୍ରତିଦ୍ୱନ୍ଦ୍ୱୀଠାରୁ ଫାଇନାଲ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଏଥି ସହିତ ଭାରତ ହିସାବରୁ ମଧ୍ୟ ୨ଟି ନିଶ୍ଚିତ ସ୍ୱର୍ଣ୍ଣ ହାତଛଡ଼ା ହୋଇଛି। ଦୁଇ ଥର ବିଜେତା ଭାରତୀୟ ମହିଳା ଦଳକୁ ଫାଇନାଲ୍‌ରେ ଶୁକ୍ରବାର ଇରାନ୍‌ ସଂଘର୍ଷପୂର୍ଣ୍ଣ ଭାବେ ୨୭-୨୪ରେ ହରାଇ ଦେଇଥିଲା। ପାୟଲ୍‌, ସୋନାଲି, ରଣଦୀପ୍‌ଙ୍କ ପ୍ରଦର୍ଶନ ଆଧାରରେ ଭାରତ ଏକଦା ୧୩-୮ରେ ଆଗୁଆ ରହିଥିଲା। ପ୍ରଥମାର୍ଧ ୧୩-୧୧ରେ ଭାରତ ସପକ୍ଷରେ ରହିଥିଲେ ମଧ୍ୟ ସବୁକିଛି ଓଲଟପାଲଟ୍‌ ହୋଇଯାଇଥିଲା।

ଭାରତର ପତନ ପଛରେ ଭାରତୀୟ

ଭାରତର କବାଡ଼ି ପରାଜୟ ପଛରେ ରହିଛି ଭାରତୀୟ ପ୍ରଶିକ୍ଷକଙ୍କ ହାତ। ନିଜକୁ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷକ କରିବା ଅଭିଯାନରେ ଥିବା ଶୈଳଜା ଜୈନ ଇରାନକୁ ସ୍ୱର୍ଣ୍ଣ ପଦକ ବିଜୟୀ କରାଇ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। କିନ୍ତୁ ନିଜ ଦେଶର କ୍ଷତିରେ ସେ ଏହି ଗୌରବ ପାଇଛନ୍ତି। ନାସିକ ଝିଅ ଶୈଳଜା ମାତ୍ର ୧୮ ମାସ ତଳେ ଇରାନ୍‌ ଦାୟିତ୍ୱ ନେଇଥିଲେ। ଭାଷା ପ୍ରତିବଂଧକ କାରଣରୁ ପାର୍ସି ଶିକ୍ଷା କରିଥିଲେ। କିନ୍ତୁ ଏସିଆନ୍‌ ଗେମ୍‌ସ ବେଳେ ଖେଳାଳିଙ୍କୁ କହିଥିଲେ, ‘ମୋତେ ଭାରତକୁ ସ୍ୱର୍ଣ୍ଣ ପଦକ ବିନା ପଠାଅନାହିଁ’। ଶୈଳଜା ଏବେ ବହୁତ ଖୁସୀ। ଫାଇନାଲ୍‌ ମ୍ୟାାଚ୍‌ ମୋ ପାଇଁ ସ୍ୱତନ୍ତ୍ର। ମୁଁ ମୋ ଦେଶକୁ ଭଲ ପାଏ ଏବଂ କବାଡ଼ିକୁ ବି ଭଲପାଏ। ଭାରତୀୟ ଭାବେ ମୁଁ ଦୁଃଖିତ, କିନ୍ତୁ ପେସାଦାର ପ୍ରଦର୍ଶନ ଦୃଷ୍ଟିରୁ ଏହା ମୋତେ ଆନନ୍ଦିତ କରିଛି’ ବୋଲି କହିଥିଲେ ଶୈଳଜା। ଶୁକ୍ରବାର ବିଜୟ ପରେ ମଧ୍ୟ ମୋତେ କିଛି ପିଲା କହିଥିଲେ ‘ମାଡାମ୍‌ ଆପଣ ଯାହା ଚାହୁଁଥିଲେ, ଆମେ ଦେଇଦେଲୁ’। ମୋ ଉପରେ ବିଶ୍ୱାସ ରଖିଥିବାରୁ ମୁଁ ଇରାନ୍‌ କବାଡ଼ି ସଂଘକୁ ଧନ୍ୟବାଦ ଦେବି ବୋଲି କହିଛନ୍ତି ଶୈଳଜା।

ସମ୍ବନ୍ଧିତ ଖବର