କଟକ: ପୁଡୁଚେରୀରେ ଚାଲିଥିବା ଜାତୀୟ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ସୁପର ଲିଗ୍‌ରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଖେଳିଥିବା ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ମିଜୋରାମ୍‌କୁ ୧୦ ୱିକେଟ୍‌ରେ ପରାସ୍ତ କରି ଓଡ଼ିଶା ଏହି ଯୋଗ୍ୟତା ଅର୍ଜନ କରିଛି। ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌ ଇ’ରେ ଓଡ଼ିଶା ମୋଟ ୭ ମ୍ୟାଚ୍‌ରୁ ୫ ବିଜୟ ସହ ୨୦ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। ଏହି ଗ୍ରୁପ୍‌ରୁ ମଧ୍ୟପ୍ରଦେଶ ସମସ୍ତ ମ୍ୟାଚ୍‌ ଜିତି ସର୍ବାଧିକ ୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି। ଶୁକ୍ରବାର ମ୍ୟାଚ୍‌ରେ ମିଜୋରାମ ପ୍ରଥମେ ବ୍ୟାଟି˚ କରିଥିଲା ବେଳେ ମାତ୍ର ୧୧ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ସନ୍ଧ୍ୟା କୁମାରୀ (୧) ଓ ଅପୂର୍ବା ଭରଦ୍ବାଜ (୮) ହିଁ କେବଳ ଖା‌ତା ଖୋଲିବାକୁ ସମର୍ଥ ହୋଇଥିଲେ। ଓଡ଼ିଶା ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ମିଜୋରାମର ୯ ଜଣ ଖାତା ଖୋଲିପାରିନଥିଲେ। ମିଜୋରାମ ୯.୫ ଓଭରରେ କରିଥିବା ମାତ୍ର ୧୧ ରନ୍‌ ମଧ୍ୟରୁ ଅତିରିକ୍ତ ରନ୍‌ ୨ ଥିଲା। ଓଡ଼ିଶା ପାଇଁ ସୁଜାତା ମଲ୍ଲିକ ୮ ରନ୍‌ରେ ୩, ପ୍ରିୟଙ୍କା ପ୍ରିୟଦର୍ଶିନୀ ୨ ରନ୍‌ରେ ୩, ମଧୁସ୍ମିତା ବେହେରା କୌଣସି ରନ୍‌ ନଦେଇ ୨ ଏବଂ ରୋସନାରା ପରବିନ୍‌ ମଧ୍ୟ କୌଣସି ରନ୍‌ ବ୍ୟୟ ନକରି ଗୋଟିଏ ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଓଡ଼ିଶା ମାତ୍ର ୧.୨ ଓଭରରେ ହିଁ ମ୍ୟାଚ୍‌କୁ ଜିତିନେଇଥିଲା। ଅଞ୍ଜଳି ସି˚ହ ୭ ରନ୍‌ କରିଥିଲା ବେଳେ ଅତିରିକ୍ତ ୫ ରନ୍‌ ମିଳିଥିଲା। ଏଥିପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ ସୌରାଷ୍ଟ୍ର, ପଣ୍ତିଚେରୀ, ବେଙ୍ଗଲ, ରାଜସ୍ଥାନକୁ ଓଡ଼ିଶା ହରାଇଥିଲା ବେଳେ ମଧ୍ୟପ୍ରଦେଶ ଓ କେରଳଠୁ ହାରିଯାଇଥିଲା।

Advertisment

ସୁପର ଲିଗ୍‌ରେ ପ୍ରଥମେ କର୍ଣ୍ଣାଟକକୁ ଭେଟିବ ଓଡ଼ିଶା
ପୁଡୁଚେରୀରେ ଚାଲିଥିବା ବରିଷ୍ଠ ମହିଳା କ୍ରିକେଟ୍‌ ଲିଗ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆସନ୍ତା ୫ ତାରିଖରୁ ସୁପର ଲିଗ୍‌ ପର୍ଯ୍ୟାୟ ଆରମ୍ଭ ହେବ। ଲିଗ୍‌ ପର୍ଯ୍ୟାୟରେ ସର୍ବାଧିକ ପଏଣ୍ଟ୍‌ ସହ ୫ ଗ୍ରୁପ୍‌ର ଶ୍ରେଷ୍ଠ ୨ ଲେଖାଏଁ ଦଳ ସୁପର ଲିଗ୍‌କୁ ଉନ୍ନୀତ ହୋଇଛନ୍ତି। ଗ୍ରୁପ୍‌-ଏ’ରୁ ଦିଲ୍ଲୀ, ହିମାଚଳ ପ୍ରଦେଶ, ଗ୍ରୁପ୍‌-ବି’ରୁ ଆସାମ, ମହାରାଷ୍ଟ୍ର, ଗ୍ରୁପ୍‌-ସି’ରୁ ରେଳବାଇ, ଝାଡ଼ଖଣ୍ଡ, ଗ୍ରୁପ୍‌-ଡି’ରୁ କର୍ଣ୍ଣାଟକ, ପଞ୍ଜାବ ଏବଂ ଗ୍ରୁପ୍‌-ଇ’ରୁ ମଧ୍ୟପ୍ରଦେଶ, ଓଡ଼ିଶା ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ସୁପର ଲିଗ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ସୁପର ଲିଗ୍‌ରେ ଏହି ୧୦ ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି। ଗୋଟିଏ ଗ୍ରୁପ୍‌ରେ କର୍ଣ୍ଣାଟକ, ଆସାମ, ହିମାଚଳ ପ୍ର‌ଦେଶ ଓ ଝାଡ଼ଖଣ୍ଡ୍‌ ସହ ଓଡ଼ିଶା ସ୍ଥାନ ପାଇଥିଲା ବେଳେ ଅନ୍ୟ ଗ୍ରୁପ୍‌ରେ ଦିଲ୍ଲୀ, ମହାରାଷ୍ଟ୍ର, ରେଳବାଇ, ପଞ୍ଜାବ ଓ ମଧ୍ୟପ୍ରଦେଶ ରହିଛନ୍ତି। ସୁପର ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ୬ ତାରିଖରେ କର୍ଣ୍ଣାଟକ ସହ ଖେଳିବ। ଏହାପରେ ୮ ତାରିଖରେ ଆସାମ, ୯ ତାରିଖରେ ହିମାଚଳ ପ୍ରଦେଶ ଏବଂ ୧୧ ତାରିଖରେ ଝାଡ଼ଖଣ୍ଡକୁ ଭେଟି ଓଡ଼ିଶା ସୁପର ଲିଗ୍‌ ଅଭିଯାନ ଶେଷ କରିବ। ଏହି ଦୁଇଟି ସୁପର ଲିଗ୍‌ ଗ୍ରୁପ୍‌ର ବିଜେତାଙ୍କ ମଧ୍ୟରେ ୧୩ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।