ମହିଳା ଟେ୍ଵଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀଙ୍କ ୪ ଓ୍ଵିକେଟ୍‌ ସତ୍ତ୍ୱେ ଗ୍ରିନ୍‌ ହାରିଲା

ଆଲୁର: ମହିଳା ଟେ୍ଵଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୪ ଓ୍ଵିକେଟ୍‌ ସତ୍ତ୍ୱେ ଇଣ୍ଡିଆ ଗ୍ରିନ୍‌ ଦଳ ୮ ରନ୍‌ରେ ଇଣ୍ଡିଆ ରେଡ୍‌ଠୁ ହାରିଯାଇଛି। ଫଳରେ ଗ୍ରିନ୍‌ ୨ ମ୍ୟାଚ୍‌ରୁ ୧ ବିଜୟ ସହ ୪ ପଏଣ୍ଟ୍‌ ପାଇ ତାଲିକାରେ ରେଡ୍‌ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ରେଡ୍‌ ୨ ମ୍ୟାଚ୍‌ରୁ ୨ ବିଜୟ ସହ ୮ ପଏଣ୍ଟ୍‌ ପାଇ ପ୍ରଥମ ଏବଂ ବ୍ଲୁ ଦୁଇଟିଯାକ ମ୍ୟାଚ୍‌ ହାରି ତୃତୀୟରେ ରହିଛି।
ଗୁରୁବାର ରେଡ୍‌ ଦଳ ୮ ଓ୍ଵିକେଟ୍‌ ବିନିମୟରେ ୧୧୪ ରନ୍‌ କରିଥିଲା। ମୋନା ୩୩, ପୁନମ ରାଉତ ୨୫ ରନ୍‌ କରିଥିଲେ। ସୁଶ୍ରୀ ୧୯ ରନ୍‌ରେ ୪ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଗ୍ରିନ୍‌ ୧୯.୪ ଓଭରରେ ୧୦୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭେଡ଼ା କୃଷ୍ଣମୂର୍ତ୍ତି ୨୭, ଅରୁନ୍ଧତୀ ରେଡ୍ଡୀ ୨୦ ଓ ସୁଶ୍ରୀ ୧୧ ରନ୍‌ କରିଥିଲେ। ରେଡ୍‌ ପକ୍ଷରୁ ଶିଖା ପାଣ୍ଡେ ୨ ଓ୍ଵିକେଟ୍‌ ନେଇଥିଲେ। ବୁଧବାର ଗ୍ରିନ୍‌ ତା ପ୍ରଥମ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ରେ ବ୍ଲୁ’କୁ ପରାସ୍ତ କରିଥିଲା। ବର୍ଷା ଯୋଗୁଁ ୧୭ ଓଭର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବ୍ଲୁ ୫ ଓ୍ଵିକେଟ୍‌ରେ ୮୨ ରନ୍‌ କରିଥିଲା। ଜବାବରେ ଗ୍ରିନ୍‌ ଦଳ ପ୍ରିୟା ପୁନିଆଙ୍କ ଅପରାଜିତ ୪୬ ରନ୍‌ ବଳରେ ୧୫.୫ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ରେଡ୍‌ ଦଳ ୭ ରନ୍‌ରେ ବ୍ଲୁ ଦଳକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ବ୍ଲୁ ଦଳ ଅଧିନାୟିକା ମିତାଲି ରାଜ୍‌(୫୧)ଙ୍କ ଅର୍ଧଶତକ ବଳରେ ୮ ଓ୍ଵିକେଟ୍‌ ବିନିମୟରେ ୧୦୦ ରନ୍‌ କରିଥିଲା। ଜବାବରେ ରେଡ୍‌ ଦଳ ୧୬.୩ ଓଭରରେ ୩ ଓ୍ଵିକେଟ୍‌ ହରାଇ ୭୯ ରନ୍‌ କରିଥିଲା। ବର୍ଷା ହେବାରୁ ଭିଜେଡି (ଭି ଜୟଦେବନ୍‌) ପ୍ରଣାଳୀରେ ରେଡ୍‌ ୭ ରନ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର